୩୫ ବର୍ଷ ପରେ ରାୟ । ରାଜସ୍ଥାନର ବହୁ ଚର୍ଚ୍ଚିତ, ହାଇ ଫ୍ରୋଫାଇଲ୍ ରାଜନୈତିକ ହତ୍ୟାକାଣ୍ଡର ଆସିଛି ରାୟ । ରାଜା ମାନ୍ ସିଂହ ଫେକ୍ ଏନକାଉଁଟର୍ ମାମଲାରେ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମଥୁରାର ସ୍ୱତନ୍ତ୍ର ସିବିଆଇ କୋର୍ଟ । ରାଜନୈତିକ ବିବାଦକୁ ନେଇ ୧୯୮୫ ଫେବୃୟାରୀ ୨୧ ତାରିଖରେ ରାଜା ମାନ୍ ସିଂହ ଏବଂ ତାଙ୍କର ଦୁଇ ସହଯୋଗୀ ଠାକୁର ସମର ସିଂହ ଓ ଠାକୁର ହରି ସିଂହଙ୍କୁ ପୋଲିସ୍ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ରହିଥିଲା ।
ରାଜସ୍ଥାନ, ଭରତପୁରର ଶେଷ ରାଜା, ମହାରାଜା ସ୍ୱାମୀ ବ୍ରିଜେନ୍ଦ୍ର ସିଂହଙ୍କ ସାନ ଭାଇ ଥିଲେ ରାଜା ମାନ୍ ସିଂହ । ୧୯୫୨ରୁ ୧୯୮୪ ପର୍ଯ୍ୟନ୍ତ ‘ଦିଗ୍’ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଗାତାର ୭ ଥର ସ୍ୱାଧୀନ ବିଧାୟକ ଭାବେ ଜିତି ଆସୁଥିବା ରାଜା ମାନ୍ ସିଂହ, ୧୯୮୫ ନିର୍ବାଚନରେ ମଧ୍ୟ ଛିଡ଼ା ହୋଇଥିଲେ । କଂଗ୍ରେସ, ତାଙ୍କ ବିରୋଧରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବ୍ରିଜେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରିଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ଶିବଚରଣ ମାଥୁର୍, ଫେବୃୟାରୀ୨୦ ତାରିଖରେ କଂଗ୍ରେସ ପ୍ରାର୍ଥୀ ବ୍ରିଜେନ୍ଦ୍ର ସିଂହଙ୍କ ପାଇଁ ‘ଦିଗ୍’ କୁ ପ୍ରଚାର କରିବାକୁ ଯାଇଥିଲେ । କିନ୍ତୁ ତା ପୂର୍ବରୁ କଂଗ୍ରେସ ସମର୍ଥକମାନେ, ରାଜା ମାନ୍ ସିଂହଙ୍କ ପୋଷ୍ଟର ଏବଂ ବ୍ୟାନର ଚିରା-ଫୋପଡ଼ା କରିଥିଲେ । ଯାହାକୁ ନେଇ ରାଜା ମାନ୍ ସିଂହ, ଭୀଷଣ ଉତକ୍ଷିପ୍ତ ଥିଲେ ।
ମୁଖ୍ୟମନ୍ତ୍ରୀ ଷ୍ଟେଜରେ ଥିବା ବେଳେ ଜିପ୍ ନେଇ ଭଙ୍ଗାରୁଜା କରିଥିଲେ ସେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟରକୁ ମଧ୍ୟ ଜିପ୍ ଦ୍ୱାରା ଧକ୍କା ଦେଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ବହୁ କଷ୍ଟରେ ସୁରକ୍ଷା କର୍ମୀମାନେ ମୁଖ୍ୟମନ୍ତ୍ରୀ ଶିବଚରଣ ମାଥୁରଙ୍କୁ ଉଦ୍ଧାର କରିଥିଲେ । ଫେବୃୟାରୀ ୨୧ ତାରିଖରେ ସହରରେ ୧୪୪ ଧାରା ଲାଗୁ କରାଯିବା ସହ ରାଜା ମାନ୍ ସିଂହଙ୍କ ବିରୋଧରେ ଥାନାରେ ଏତଲା ରୁଜୁ ହେଲା । କିନ୍ତୁ ‘ଦିଗ୍’ ଅନାଜ୍ ମଣ୍ଡି ନିକଟରେ ଡିଏସପି କାନ୍ତିସିଂହ ଭାଟିଙ୍କ ନେତୃତ୍ୱରେ ପୋଲିସ୍, ରାଜା ମାନ୍ ସିଂହ ଏବଂ ତାଙ୍କ ସହଯୋଗୀ ଠାକୁର ସମର ସିଂହ ଓ ଠାକୁର ହରି ସିଂହଙ୍କୁ ଗୁଳିମାରି ଟଳାଇ ଦେଲା । ରାଜା ମାନ୍ ସିଂହଙ୍କ ଝିଅ ତଥା ଗତ ବିଜେପି ସରକାରରେ ରାଜସ୍ଥାନର ପର୍ଯ୍ୟଟନ ମନ୍ତ୍ରୀ ଥିବା କ୍ରିଷ୍ଣେନ୍ଦ୍ର କାଉର୍ ଦୀପାଙ୍କ କହିବା କଥା, ତାଙ୍କ ବାପା ଆତ୍ମସମର୍ପଣ କରିବାକୁ ଯାଉଥିବା ବେଳେ ପୋଲିସ୍ ତାଙ୍କୁ ଫେକ୍ ଏନକାଉଁଟର କରି ହତ୍ୟା କରିଥିଲା ।
କ୍ରିଷ୍ଣେନ୍ଦ୍ରଙ୍କ ଆବେଦନ ଆଧାରରେ ସୁପ୍ରିମକୋର୍ଟ, ମାମଲାର ଶୁଣାଣି ଭରତରପୁରରୁ ମଥୁରାକୁ ସ୍ଥାନାନ୍ତର କରିଥିଲେ । ଡିଏସପି କାନ୍ତିସିଂହ ଭଟିଙ୍କ ସମେତ ମାମଲାରେ ମୋଟ ୧୮ ଜଣ ପୋଲିସ୍ କର୍ମଚାରୀ ପକ୍ଷଭୁକ୍ତ ଥିଲେ । ୩୫ ବର୍ଷରେ ୧୭ ଶହ ଶୁଣାଣି ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ, ମାମଲାର ରାୟ ପ୍ରକାଶ କରିଛନ୍ତି । ଯେଉଁ ସମୟ ମଧ୍ୟରେ ୪ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଛି । ୩ ଜଣ ପ୍ରମାଣ ଅଭାବରୁ ଖଲାସ ହୋଇଥିବା ବେଳେ କାନ୍ତିସିଂହ ଭଟିଙ୍କ ସମେତ ୧୧ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତାକାଲି (ବୁଧବାର), ଦୋଷୀମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ ।
ରାଜା ମାନ୍ ସିଂହ ହତ୍ୟା ମାମଲାରେ ସେତେବେଳର ମୁଖ୍ୟମନ୍ତ୍ରୀ ଶିବଚରଣ ମାଥୁରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଆଉ ଏବେ ଗେହଲଟ୍-ପାଇଲଟ୍ ବିବାଦକୁ ନେଇ ରାଜ୍ୟ ରାଜନୀତିରେ ଅସ୍ଥିରତା ଲାଗି ରହିଥିବା ବେଳେ ଆସିଛି ସେହି ବହୁଚର୍ଚ୍ଚିତ ଏବଂ ଅତି ସମ୍ବେଦନଶୀଳ ମାମଲାର ରାୟ । ପୁଣି ଯେତେବେଳେ କି, ରାଜା ମାନ୍ ସିଂହଙ୍କ ପୁତୁରା ତଥା ନିଲମ୍ବିତ କଂଗ୍ରେସ ବିଧାୟକ ବିଶ୍ୱବେନ୍ଦ୍ର ସିଂହ, ସଚିନ୍ ପାଇଲଟଙ୍କ ଗୋଷ୍ଠୀରେ ଅଛନ୍ତି ।