ଭୁବନେଶ୍ୱର: କରୋନା ସଂକ୍ରମଣର ସାଂଘାତିକ ଚିତ୍ର । ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଡେଇଁଛି ହଜାରେ । ଗତ ୨୪ ଘଣ୍ଟାରେ ୨୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରେକର୍ଡ ୧୦୭୮ ପଜିଟିଭ୍ । ସେଥିମଧ୍ୟରୁ ୩୫୭ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୭୧ । ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ ଖୋର୍ଦ୍ଧାରୁ ଅଛନ୍ତି ୧୨୧ ପଜିଟିଭ୍ ।
ଅନ୍ୟପକ୍ଷରେ କରୋନା ଆଉ ୫ ଜଣଙ୍କର ମୁଣ୍ଡ ନେଇଛି । ଗଞ୍ଜାମରୁ ୬୦ ବର୍ଷୀୟ, ୬୧ ବର୍ଷୀୟ ଦୁଇ ପୁରୁଷ ଏବଂ ୪୦ ବର୍ଷୀୟା ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ବେଳେ ଗଜପତିରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତି ଏବଂ କନ୍ଧମାଳରୁ ଜଣେ ୮୬ ବର୍ଷୀୟ ବ୍ୟକ୍ତିଙ୍କର ଜୀବନ ନେଇଛି କରୋନା । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮ କୁ ବୃଦ୍ଧି ପାଇଛି । କେବଳ ଗଞ୍ଜାମ ଜିଲ୍ଲାରୁ ୬୨ ଜଣ ପ୍ରାଣ ହରାଇଲେଣି ।
ଆଜିର ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯, ୮୩୫ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୩, ୩୦୯ ସୁସ୍ଥ ହୋଇସାରିଥିବା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୮୭ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧, ବାଲେଶ୍ୱର-୧୦, ବରଗଡ଼-୨୬, ଭଦ୍ରକ-୧, ବଲାଙ୍ଗୀର-୬, ବୌଦ୍ଧ-୩, କଟକ-୫୭, ଢ଼େଙ୍କାନାଳ-୨, ଗଜପତି-୨୪, ଗଞ୍ଜାମ-୩୭୧, ଜଗତସିଂହପୁର-୩୫, ଯାଜପୁର-୨୦, ଝାରସୁଗୁଡ଼ା-୩୪, କଳାହାଣ୍ଡି-୧୫, କନ୍ଧମାଳ-୧୩, କେନ୍ଦ୍ରାପଡ଼ା-୨୪, କେନ୍ଦୁଝର-୧୬, ଖୋର୍ଦ୍ଧା-୧୨୧, କୋରାପୁଟ-୧୫, ମାଲକାନଗିରି-୬୬, ମୟୁରଭଞ୍ଜ-୧୩, ନବରଙ୍ଗପୁର-୧୭, ନୟାଗଡ଼-୫, ପୁରୀ-୨୮, ରାୟଗଡ଼ା-୯୬, ସମ୍ବଲପୁର-୨୦, ସୋନପୁର-୧୦, ସୁନ୍ଦରଗଡ଼-୨୯ ।
ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୮ ଜଣଙ୍କର ମୃତ୍ୟୁ ହୋଇଛି । ଏ ପର୍ଯ୍ୟନ୍ତ ୭ ଲକ୍ଷ ୫୩ ହଜାର ୪୯ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୧ ହଜାର ୧୩୩ ।