ଭୁବନେଶ୍ୱର: ୨୪ ଘଣ୍ଟିଆ ଓଡ଼ିଆ ଡିଜିଟାଲ୍ ଚ୍ୟାନେଲ୍ ‘ତକ୍ଷକ ଟିଭି’ ଲୋକାର୍ପିତ ହୋଇଛି । ଗତକାଲି ସଂଧ୍ୟାରେ ଜୟଦେବଭବନଠାରେ ଆୟୋଜିତ ଉତ୍ସବରେ ଏହାକୁ ଲୋକାର୍ପିତ କରିଥିଲେ କଟକର ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ । ଏକ ସାଧାରଣ ମଣିଷ ଓ ଚା ବିକାଳୀରୁ ଅସାଧାରଣ ମଣିଷ ପାଲଟିଥିବା ଶ୍ରୀ ରାଓ ତାଙ୍କ ଜୀବନର ସଂଘର୍ଷ କାହାଣୀ ନିଜ ମୁହଁରୁ ଶୁଣାଇ ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲେ । ଏହି ଅବସରରେ ସଂସ୍ଥା ପକ୍ଷରୁ ତାଙ୍କ ଜୀବନ କାହାଣୀ ଉପରେ ପ୍ରସ୍ତୁତ କ୍ଷୁଦ୍ର ଚଳଚିତ୍ର ‘ଚା କପରେ ସ୍ୱପ୍ନ’ ପ୍ରଦର୍ଶିତ ହୋଇଥିଲା ।
ଲୋକାର୍ପଣ ପର୍ବ ପରେ ‘ସାମ୍ବାଦିକତାରେ ରାଜନୈତିକ ହସ୍ତକ୍ଷେପ’ ଶୀର୍ଷକ ଏକ ବିତର୍କ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସୁଲୋଚନା ଦାସ, ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ସିପିଆଇ ଜାତୀୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା ଓ ଆମ୍ ଆଦମୀ ପାର୍ଟିର ଯୁବନେତା ଶୁଭାଶିଷ ପଟ୍ଟନାୟକ ଯୋଗଦେଇଥିଲେ । ସାମ୍ବାଦିକତାରେ ରାଜନୈତିକ ହସ୍ତକ୍ଷେପ ରହିଆସିଛି ଏବଂ ଏବେ ଏହା ମାତ୍ରାଧିକ ହୋଇଛି । କର୍ପୋରେଟ୍ ଜଗତର ଇଙ୍ଗିତରେ ସବୁ ପରିଚାଳିତ ହେଉଛି । ଗଣମାଧ୍ୟମ ଏଥିରୁ ମୁକ୍ତ ରହିବା ସହଜସାଧ୍ୟ ନହେଲେ ବି ସାମ୍ବାଦିକମାନେ ଉତ୍ସର୍ଗୀକୃତ ମନୋଭାବ ରଖିଲେ ସ୍ୱାଧୀନ ଭାବେ ସମ୍ବାଦ ପରିବେଷଣ ସମ୍ଭବ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ । ଭାରତୀୟ ଗଣତନ୍ତ୍ରର ଚତୁର୍ଥ ସମ୍ଭ କୁହାଯାଉଥିବା ଗଣମାଧ୍ୟମ ନିର୍ଭୀକ ଓ ନିରପେକ୍ଷ ରହିବାର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ । ବିତର୍କକୁ ସଞ୍ଚାଳନ କରିଥିଲେ ‘ତକ୍ଷକ ଟିଭି’ ର ମୁଖ୍ୟ ସମ୍ପାଦକ ଅପୂର୍ବ କୁମାର ମହାନ୍ତି ।
ଲୋକାର୍ପଣ ଉତ୍ସବର କାର୍ଯ୍ୟକ୍ରମକୁ ଯମୁନା ରାଉତରାୟ ସଂଯୋଜନା କରିଥିବା ବେଳେ ସୌଭାଗିନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ‘ତକ୍ଷକ ଟିଭି’ ର ନିଦେ୍ର୍ଦଶକ ଅଭୟ କୁମାର ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।