ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ହେଲିକପ୍ଟର ଉଡ଼ାଣ ଉପରେ ଡିଜିସିଏ(ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ) କ୍ଲିନଚିଟ୍ ର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟର ଜଣାଶୁଣା ଗବେଷକ ତଥା ନବନିର୍ବାଚିତ ପ୍ରାଣୀ ମଙ୍ଗଳ ବୋର୍ଡ ଅଧ୍ୟକ୍ଷ ଅନୀଲ ଧୀର ବିଭିନ୍ନ ବୈଷୟିକ ଦିଗକୁ ନେଇ ଏହା ଉପରେ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି, ଗତ ସେପ୍ଟେମ୍ବର ୧୫ ତାରିଖରେ ବୈଜୟନ୍ତଙ୍କ ଦ୍ୱାରା ଚିଲିକା ଉପରେ ହେଲିକପ୍ଟର ଉଡ଼ାଣର ପୂର୍ଣ୍ଣ ରେକର୍ଡକୁ ଯାଞ୍ଚ କରାଯାଇନାହିଁ । ବୈଜୟନ୍ତଙ୍କ ମତାମତକୁ ଡିଜିସିଏ ଏକପାଖିଆ ବିଚାରକୁ ନେଇ ରାୟ ଶୁଣାଇଛନ୍ତି । ଡିଜିସିଏ ରିପୋର୍ଟରେ ଆବଶ୍ୟକ ତଥ୍ୟ ନ ଥିବା ଦର୍ଶାଇ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ସ୍ପଷ୍ଟୀକରଣ ମାଗିଥିବାରୁ ତାହାକୁ ଯଥାର୍ଥ ଦର୍ଶାଇଛନ୍ତି ଶ୍ରୀ ଧୀର ।
ଶ୍ରୀ ଧୀର କହିଛନ୍ତି, ଡିଜିସିଏ ତାଙ୍କ ଚିଠିରେ ବ୍ୟବହାର କରିଥିବା ଶବ୍ଦ ପ୍ରତି ଯଥେଷ୍ଟ ଯତ୍ନଶୀଳ(କେୟାରଫୁଲି ୱର୍ଡେଡ ଲେଟର୍) ହୋଇଛନ୍ତି । ଚିଲିକା ଉପରେ ଉଡ଼ିଥିବା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଡିଜିସିଏ ରୁଲସ୍ ଆଣ୍ଡ ରେଗୁଲେସନ୍ ଉଲ୍ଲଂଘନ କରିନାହିଁ । ଚିଲିକା ଉପରେ ହେଲିକପ୍ଟରଟି ବିପଦପୂର୍ଣ୍ଣ ଭାବେ ଉଡ଼ିନାହିଁ କି ଚିଲିକା ଜଳରାଶିକୁ ଛୁଇଁନାହିଁ । ତଥ୍ୟ ଏବଂ ପ୍ରମାଣରୁ ଏହି ନିଷ୍କର୍ସ ବାହାରିଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି ।
ଶ୍ରୀ ଧୀର ପଚାରିଛନ୍ତି, କେଉଁ ତଥ୍ୟ ଓ ପ୍ରମାଣ ଆଧାରରେ ଡିଜିସିଏ ଏହି ସିଦ୍ଧାନ୍ତରେ ଉପନୀତ ହେଲେ? ଚିଲିକା ଉପରେ ଉଡିଥିବା ହେଲିକପ୍ଟର ସିଲ୍ ହୋଇ ହ୍ୟାଙ୍ଗର ରେ ଅଛି । ଫ୍ଲାଇଟ୍ ଡାଟା ରେକର୍ଡର, କକପିଟ୍ ଭଏସ୍ ରେକର୍ଡର ଏବଂ ଜିପିଏସ୍ ତଥ୍ୟ ତଦନ୍ତକୁ ନିଆଯାଇନାହିଁ । ଡିଜିସିଏ କେବଳ ହେଲିକପ୍ଟର(ଆର-୪୪)ର ଗତିବିଧିକୁ ବିଚାରକୁ ନେଇଛନ୍ତି । ଯାହା ଫ୍ଲାଇଟ୍ ପ୍ଲାନ୍ ରେ ଆଗରୁ ଉଲ୍ଲେଖ ରହିଛି । ଆଶ୍ଚର୍ଯ୍ୟର ବିଷୟ କି ବୈଜୟନ୍ତ ଗତ ୨୪ ସେପ୍ଟେମ୍ବରରେ ଡିଜିସିଏରେ ହାଜର ହୋଇ ଯାହା କହିଥିଲେ ଡିଜିସିଏ କେବଳ ତାହାକୁ ବିଚାରକୁ ନେଇ ନିଜର ରିପୋର୍ଟ ପ୍ରସ୍ତୁତ କରିଛି ବୋଲି ଶ୍ରୀ ଧୀର କହିଛନ୍ତି ।
ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଏସ.ସି.ହୋତା ଗତ ସେପ୍ଟମ୍ବର ୧୮ ତାରିଖରେ କହିଥିଲେ, ବୈଜୟନ୍ତ ପଣ୍ଡା ଚିଲିକା ଆକାଶର କଟକଣା ଅଞ୍ଚଳରେ ନିଜର ହେଲିକପ୍ଟର ଉଡ଼ାଇଥିଲେ ନା ନାହିଁ ତାହା ଆମେ କହିପାରିବୁ ନାହିଁ । କିନ୍ତୁ ସେ ଉଡ଼ାଣ ପାଇଁ ଅନୁମତି ନେଇଥିଲେ ଏବଂ ତାଙ୍କର ଫ୍ଲାଇଟ୍ ପ୍ଲାନ୍ ଦେଇଥିଲେ । ଯେତେବେଳେ ବିମାନ ଭୂପୃଷ୍ଠଠାରୁ ୫୦୦ ଫୁଟ୍ ଉଚ୍ଚତା ଭିତରେ
ଉଡ଼େ ସେତେବେଳେ ବିମାନ ଉଡ଼ାଣ ବାବଦରେ ତଥ୍ୟ ଜାଣିବା ସମ୍ଭବ ନୁହେଁ । ଭିଜୁଆଲ୍ ଫ୍ଲାଇଟ୍ ନିୟମ ଅନୁଯାୟୀ, ୧୦-୧୫ ମାଇଲ୍ ଦୂରତା ଯିବାପରେ ବିମାନ ବନ୍ଦର କଣ୍ଟ୍ରୋଲ୍ ରୁମ୍ ସହ ଯୋଗାଯୋଗ ଛିନ୍ନ ହୁଏ । ନିର୍ଦ୍ଦେଶକ ମାନିଥିଲେ ଯେ ୧୫ ମାଇଲ୍ ରେଂଜ ଅତିକ୍ରମ କଲା ପରେ ସେମାନଙ୍କ ପାଖରେ ହେଲିକପ୍ଟର ଉଡାଣ ଉଚ୍ଚତାର ଡାଟା ନାହିଁ ।
ଭିଟି-ବିଡ଼ିପିରେ ଗାରମିନ୍ ଜିଡ଼ିୟୁ ୭୦୦ ଏଲ ଟିଏକ୍ସଆଇ ଜିପିଏସ ଟେକ୍ନୋଲୋଜି ସଂଯୋଗ ଅଛି । ଯାହାର ‘ସେଭ୍ ଫ୍ଲାଇଟ୍ ଡାଟା’ ଫଙ୍କସନ୍ ଅଛି । ସେଥିରୁ ହେଲିକପ୍ଟର ଉଡ଼ାଣର ସମୟ, ଅବସ୍ଥିତି, ଅକ୍ଷାଂଶ, ଦିଗ ଏବଂ ବେଗ ଜାଣିହେବ । ବୈଜୟନ୍ତ ପଣ୍ଡା ତାଙ୍କ ହେଲିକପ୍ଟରର ଏହି ଫଙ୍କସନ୍ କୁ ଯଦି ବନ୍ଦ କରି ନ ଥାନ୍ତି ତେବେ ହେଲିକପ୍ଟର ଉଡ଼ାଣର ସବୁ ରେକର୍ଡ ପାଇହେବ । ଏହା ହିଁ ସତ୍ୟକୁ ସାମନାକୁ ଆଣିବ ବୋଲି ଶ୍ରୀ ଧୀର କହିଛନ୍ତି ।