ଭୁବନେଶ୍ୱର: ତିତଲି ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି । ୩୭ଟି କ୍ଷେତ୍ରରେ ପ୍ରଭାବିତଙ୍କୁ ସହାୟତା ରାଶି ମିଳିବ ।
– ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷି ଇନପୁଟ୍ ସବସିଡ଼ି ମିଳିବ । ଅଣଜଳସେଚିତ ଚାଷଜମି ପାଇଁ ହେକ୍ଟର ପିଛା ୬,୮୦୦ ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଦିଆଯିବ । ଆମ୍ବ, କାଜୁ, ନଡିଆ ଭଳି ଶସ୍ୟ ପାଇଁ ହେକ୍ଟର ପିଛା ୧୮,୦୦୦ ସହାୟତା ରାଶି ମିଳିବ । ଆଖୁ ଚାଷୀଙ୍କୁ ହେକ୍ଟର ପିଛା ୨୦ ହଜାର ଟଙ୍କା ସହାୟତା ମିଳିବ ।
– ଚାଷୀଙ୍କୁ ୫୦ ପ୍ରତିଶତ ସବସିଡ଼ିରେ ୧୦୦୦ ପମ୍ପ ସେଟ୍ ଦିଆଯିବ । ପମ୍ପ ସେଟ୍ ପିଛା ସର୍ବାଧିକ ୧୫ ହଜାର ଟଙ୍କା ପଡ଼ିବ ।
– ପ୍ରଭାବିତ ଚାଷୀଙ୍କୁ ୯୦ ପ୍ରତିଶତ ସବସିଡ଼ିରେ ସର୍ବାଧିକ ୫୪ ହଜାର ଟଙ୍କା ପର୍ଯ୍ୟନ୍ତ ୧୦୦୦ ଟି ସୋଲାର୍ ପମ୍ପ ସେଟ୍(୦.୫ ଏଚପି) ଯୋଗାଇ ଦିଆଯିବ ।
– ତିତଲି ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କୁ ୫୦୦୦ ସିଞ୍ଚନ ଯନ୍ତ୍ର ୫୦ ପ୍ରତିଶତ ସବସିଡ଼ିରେ ଯୋଗାଇ ଦିଆଯିବ । ବ୍ୟାଟେରି ଯନ୍ତ୍ର ପାଇଁ ସର୍ବାଧିକ ସର୍ବାଧିକ ୩୮୦୦ ଏବଂ ହାତ ଯନ୍ତ୍ର ପାଇଁ ସର୍ବାଧିକ ୬୦୦ ଟଙ୍କା ମିଳିବ ।
– ଗାଇ ଗୁହାଳ ମରାମତି ପାଇଁ ଚାଷୀଙ୍କୁ ୧୦ ହଜାର ଟଙ୍କା ମିଳିବ ।
– ଉଠା ଜଳସେଚନ ପଏଣ୍ଟଗୁଡ଼ିକର ମରାମତିକୁ ପ୍ରାଥମିକତା ଦିଆଯିବ । ଓଡ଼ିଶା ଉଠା ଜଳସେଚନ ନିଗମ ଏଥିପାଇଁ ତୁରନ୍ତ ପଦକ୍ଷେପ ନେବ ।
– ୨୦୧୮ ଖରିଫ ବର୍ଷରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଅଞ୍ଚଳରେ ସ୍ୱଳ୍ପ ମିଆଦୀ ଖରିଫ୍ କୃଷି ଋଣର ଅବଧି ବଢ଼ିବ । ଏହା ମିଡ଼ଅମ୍ ଟର୍ମ ଲୋନ୍ କୁ ପରିବର୍ତ୍ତନ କରାଯିବ ।
– ତିତଲି ପ୍ରଭାବିତ ଅଞ୍ଚଳର ସରକାରୀ ସ୍କୁଲରେ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଏବଂ ପରୀକ୍ଷା ଫି’ ଛାଡ଼ କରାଯିବ
– ପ୍ରଭାବିତ ଅଞ୍ଚଳର ଏଇମେଣ୍ଟାରି ସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ସ୍କୁଲ ୟୁନିଫର୍ମ ଏବଂ ସ୍କୁଲ ପାଠ୍ୟପୁସ୍ତକ ଦିଆଯିବ ।
ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବହୁ ସହାୟତା ଘୋଷଣା କରାଯାଇଛି ।