ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଭଲ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ସେ ଜବାବ ଦେଇଛନ୍ତି । କହିଛନ୍ତି, ମାଗଣା ସ୍ୱାସ୍ଥ୍ୟ ସେବା ମାମଲାରେ ମୁଖ୍ୟମନ୍ତ୍ରୀ ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଓଡ଼ିଆ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ ଯୋଜନା ପାଇଁ ପ୍ରଥମ ଟେଣ୍ଡର ପ୍ରକ୍ରିୟା ବାତିଲ ହୋଇ ଦ୍ୱିତୀୟ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକାରୀମାନଙ୍କର ମୂଲଚାଲ ଛିଣ୍ଡି ନ ଥିବା କାରଣରୁ ଏହା ବିଳମ୍ବିତ ହେଉଛି କି? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଗାଇଡ଼ଲାଇନ ଏବେ ସୁଦ୍ଧା ପ୍ରସ୍ତୁତ ହୋଇନାହିଁ । ୪୦୩୬ ସ୍ୱାସ୍ଥ୍ୟ ସେବା ପ୍ୟାକେଜ କେବଳ କାଗଜ କଲମରେ ରହିଛି । ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନଙ୍କୁ ଉତ୍ତମ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କେଉଁ ଡାକ୍ତରଖାନା ସହ କି ପ୍ରକାର ବୁଝାମଣା କରାଯାଇଛି? ଆପଣ ନିଜେ ପ୍ରତିନିଧିତ୍ୱ କରୁଥିବା ଗଂଜାମ ଜିଲ୍ଲାର ସବୁଠୁ ଅଧିକ ଲୋକ ସୁରଟରେ ଅଛନ୍ତି । ସେଠାରେ କେଉଁ ଡାକ୍ତରଖାନାରେ ଓଡ଼ିଆମାନେ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାଠାରୁ ରାଜ୍ୟ ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ବହୁତ ଭଲ ବୋଲି କହିଥିଲେ । ବିଜେପିର ସମାଲୋଚନାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ କଟାକ୍ଷ କରିଥିଲେ । କହିଥିଲେ, ରୋଗ କ’ଣ ବିପିଏଲ୍ କାର୍ଡ ଦେଖି କି ଆସେ? ଦୁର୍ଘଟଣା କ’ଣ ବିପିଏଲ୍ କାର୍ଡ ଦେଖି କି ଆସେ? ଯାହାର ବିପିଏଲ୍ କାର୍ଡ ନାହିଁ, ସେ କ’ଣ କରିବ? ମୁଖ୍ୟମନ୍ତ୍ରୀ କହିଥିଲେ, ସବୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ୍ କାର୍ଡ ହୋଲଡର ମାନେ ସୁବିଧା ପାଇବେ । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାର ସବୁ ନାଗରିକ ସୁବିଧା ପାଇବେ । ଓଡ଼ିଶାର ଲୋକମାନେ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏ ସୁବିଧା ପାଇବେ ।