ଭୁବନେଶ୍ୱର: ବିଜେଡ଼ି ସାଂସଦ ତଥାଗତ ଶତପଥୀ ତିନିଦିନ ତଳେ ତାଙ୍କ ଟ୍ୱିଟ୍ ରେ ଏକ ଇଂରାଜୀ ଗପ ପୋଷ୍ଟ କରିଥିଲେ । ରାଜ୍ୟସଭା ପ୍ରାର୍ଥୀ ମନୋନୟନକୁ ନେଇ ବିଜେଡ଼ି ରାଜନୀତି ସରଗରମ ଥିବା ବେଳେ ତଥାଗତ ତାଙ୍କ ଟ୍ୱିଟ୍ ରେ ଏହି ଗପଟି ଛାଡ଼ିଥିଲେ । ଗପଟି ଏମିତି..
ଜଣେ ୭୫ ବର୍ଷର ବୃଦ୍ଧ ଚାଷୀ ତାଙ୍କ ପାଳିତ ଗୋରୁମାନଙ୍କ ଦେଖାଚାହାଁ କଲାବେଳେ ସ୍କୁଇଜ୍ ଗେଟ୍ ରେ ତାଙ୍କ ହାତ କଟିଯାଇଥିଲା । ସେ ଡାକ୍ତରଙ୍କ ପାଖକୁ ଗଲେ । ଆଘାତ ଜାଗାରେ ଷ୍ଟିଚିଂ କଲାବେଳେ ଡାକ୍ତର ତାଙ୍କର କଷ୍ଟ ଲାଘବ ପାଇଁ ବିଭିନ୍ନ କଥା ଗପୁଥିଲେ । କ୍ରମଶଃ ଏହା ରାଜନୀତି ଚର୍ଚ୍ଚା ଆଡକୁ ପଳାଇଲା । ନେତାମାନଙ୍କର ଚରିତ୍ର ଓ ଭୂମିକାକୁ ନେଇ କଥା ଜମିଲା । ବୃଦ୍ଧ ଜଣଙ୍କ ଏହି ଚର୍ଚ୍ଚାରେ ବିଶେଷ ଆଗ୍ରହ ଦେଖାଇଲେ । ଡାକ୍ତରଙ୍କୁ କହିଲେ, ଆଜ୍ଞା, ମୁଁ ଯାହା ଅନୁଭବ କରିଛି ଅଧିକାଂଶ ନେତା ହେଲେ ‘ପୋଷ୍ଟ ଟର୍ଟଲସ୍’ ବା ‘ଖୁଣ୍ଟ କଇଁଛ’ ।
ଡାକ୍ତର କିଛି ବୁଝିପାରିଲେନି । ‘ପୋଷ୍ଟ ଟର୍ଟଲସ୍’ ପୁଣି କ’ଣ ? ବୃଦ୍ଧ ଉତ୍ତର ଦେଲେ, ଆପଣ ଦେଶସାରା ରାସ୍ତାରେ ବୁଲିଆସିଲେ ଅନେକ ଜାଗାରେ ଦେଖିବେ ଗୋଟିଏ ଖୁଣ୍ଟ (ଫେନସ୍ ପୋଷ୍ଟ)ର ଟପ୍ ରେ ଏକ କଇଁଛ ଏକଦମ୍ ବାଲାନସ୍ ରେ ଶୋଭା ପାଉଥିବ । ଏହା ହେଉଛି ‘ପୋଷ୍ଟ ଟର୍ଟଲସ୍’ ବା ଖୁଣ୍ଟ କଇଁଛ.. । ତେବେ ବୃଦ୍ଧଙ୍କ ଏହି ବ୍ୟାଖ୍ୟାକୁ ଡାକ୍ତର ବୁଝି ନ ପାରି ଆଁ କରି ଅନେଇଲେ । ଡାକ୍ତରଙ୍କ ଅସହାୟତା ଜାଣିପାରି ବୃଦ୍ଧ କଥାଟିକୁ ଭଲ ଭାବେ ବୁଝାଇଦେଲେ ।
“ସାର୍, ଖୁଣ୍ଟ ଉପରେ ବସେଇ ଦିଆଯାଇଥିବା କଇଁଛଟି ନିଜ ଜାଗାରୁ ତଳକୁ ଓହ୍ଲାଇବା ଜାଣି ନ ଥାଏ । ସେଠି ସେ କ’ଣ କରୁଛି କି କ’ଣ କରିବ ତାହା ଜାଣି ନ ଥାଏ । ତାହାର ସାମର୍ଥର ବାହାରେ ତାକୁ ସେଠି ନେଇ ବସେଇ ଦିଆଯାଇଯାଏ ।” କହିଲେ ଆଜ୍ଞା..ଏହା କି ପ୍ରକାରର ଇଡ଼ିଅଟ୍ କାମ ?
ଇଂରାଜୀର ଏହି ଗପଟି ତଥାଗତ ଶତପଥୀ ତାଙ୍କ ଟ୍ୱିଟ୍ ରେ କାହାକୁ ଲକ୍ଷ୍ୟ କରି ପୋଷ୍ଟ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜମିଛି ।