କଟକ: ୨୦୧୬ ମସିହାରେ ଅନୁଷ୍ଠିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୧୪୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଭୁବନେଶ୍ୱରର ସିଭିଲ୍ ଇଂଜିନିୟରିଂ ଛାତ୍ରୀ ଚିନ୍ମୟୀ ଚେତନା ଦାଶ ଟପ୍ପର ହୋଇଛନ୍ତି । ଚିନ୍ମୟୀଙ୍କୁ ମିଶାଇ ଉତ୍ତୀର୍ଣ୍ଣ ତାଲିକାରେ ମୋଟ ୪୭ ଜଣ ମହିଳା ଅଛନ୍ତି । ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପର୍ସନାଲିଟି ଟେଷ୍ଟ ଗତ ଫେବୃଆରୀ ୧୨ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହୋଇଥିଲା ।
ଟପ୍ପର ଚିନ୍ମୟୀ ସିଭିଲ୍ ଇଂଜିନିୟରିଂ କଲା ପରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମ ଥରରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇ ସେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅପସନାଲ୍ ବିଷୟ ଭାବେ ସେ ଇତିହାସ ଓ ଭୂଗୋଳ ରଖିଥିଲେ । ଶ୍ରେଷ୍ଠ ୧୦ ତାଲିକାରେ ଥିବା ଅନ୍ୟ ପରୀକ୍ଷାର୍ଥୀମାନେ ହେଲେ ସଂକଳ୍ପ ସ୍ୱସ୍ତିକ୍ ସାହୁ, ଜ୍ଞାନରଞ୍ଜନ ବିଶ୍ୱାଳ, ଦେବାଶିଷ ମହାପାତ୍ର, ସନ୍ତକ ଜେନା, ପ୍ରଜେଶ କାନ୍ତ ଜେନା, ଦୁର୍ଗାପ୍ରସାଦ ଦୋରା, ଶୁଭଶ୍ରୀ ପ୍ରିୟଦର୍ଶିନୀ, କଲ୍ୟାଣ ସୌରଭ ଦାଶ ଏବଂ ମୋନାଲିସା ପଣ୍ଡା ।