ଭୁବନେଶ୍ୱର: ବିଜେଡ଼ିରେ ଯୋଗଦେଇ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଆଉ ଏକ ଭିଡ଼ିଓ ଚର୍ଚ୍ଚାକୁ ଆସିଛି । ନିକଟ ଅତୀତରେ ଓଟିଭିର ‘ଖୋଲାକଥା’ରେ ସେ ଦେଇଥିବା ସାକ୍ଷାତକାରର ଏହା କିଛି ଅଂଶ । ସେଥିରେ ସେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଜେଡ଼ିର ଚଉଦ ପୁରୁଷ ଉଦ୍ଧାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଖଣି ମାଫିଆ ଭଳି କଡ଼ା ଶବ୍ଦ ବ୍ୟବହାର କରିଛନ୍ତି । ସୌମ୍ୟ ବିଜେଡ଼ିରେ ମିଶିବା ପରେ ଜୀ କଳିଙ୍ଗର ତତ୍କାଳୀନ ମୁଖ୍ୟ ସତ୍ୟପ୍ରକାଶ ନାୟକଙ୍କ ସହ ସାକ୍ଷାତକାରର ଏକ ଭିଡ଼ିଓ ପ୍ରବଳ ଭାଇରାଲ୍ ହେବା ପରେ ଏବେ ‘ଖୋଲାକଥା’ରେ ସତ୍ୟଜିତ୍ ମିଶ୍ରଙ୍କ ସହ ସାକ୍ଷାତକାର ଭିଡ଼ିଓ ପୁଣି ଚର୍ଚ୍ଚାର ଖୋରାକ ଆଣିଛି ।
ସେହି ଭିଡ଼ିଓର କିଛି ଅଂଶକୁ ଆମେ ଏଠାରେ ଅବିକଳ ଉପସ୍ଥାପନ କରୁଛୁ ।
“ନବୀନବାବୁଙ୍କର ଯଦି ଏତେ ଦମ୍ ଅଛି ତେବେ ଖଣି ମାଫିଆ କିଏ ସେ କହୁନାହାନ୍ତି କାହିଁକି ? ନବୀନ ବାବୁ ତ ଏତେ ଭୋଟ ପାଇଛନ୍ତି ଡରୁଛନ୍ତି କାହାକୁ ? ତାଙ୍କ ସପକ୍ଷରେ ତ ଏତେ ଲୋକ ଅଛନ୍ତି ସେ କାହିଁକି ଘରେ ବନ୍ଦ ହେଇ ଅଛନ୍ତି ? ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଅପ୍ରତିଦ୍ୱନ୍ଦୀ ନେତା । ହଜାର ହଜାର ଲୋକଙ୍କର ଭୋଟ ପାଇଛନ୍ତି । ଅଧିକରୁ ଅଧିକ ଲୋକଙ୍କର ଜନସମର୍ଥନ ପାଇଆସୁଛନ୍ତି । ହେଲେ ତାଙ୍କର ଦିନଚର୍ଯ୍ୟା କ’ଣ ବୁଝୁନାହାନ୍ତି ? ସେ ସକାଳୁ କେତେବେଳେ ଉଠନ୍ତି ? କେତେବେଳେ କ’ଣ କରନ୍ତି ? ମୁଖ୍ୟମନ୍ତ୍ରୀଙ୍କର ଦିନଚର୍ଯ୍ୟା ଜାଣିବାର ଆମର ଅଧିକାର ଅଛି । ତାଙ୍କର ଶାସନ ଚାଲିଛି, ଲୋକେ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ଆମେ ତାଙ୍କୁ କ’ଣ କିଛି କହିପାରିବାନି । ଏଟା କ’ଣ ରାଜନୀତି ? ନବୀନବାବୁ କେବେ କେଉଁଠି ପ୍ରେସ୍ କନଫରେନସ୍ କଲେଣି ? ପ୍ରଶ୍ନର ଉତ୍ତର ଦେଲେଣି ? ମୁଁ ତାଙ୍କୁ ସ୍ୱୀକାର କରିବି ଯଦି ସେ ନିର୍ଭୁଲ ଓଡ଼ିଆ କହିବେ । ମୁଁ ତାଙ୍କୁ ସ୍ୱୀକାର କରିବି ଯଦି ଚାଷୀମାନଙ୍କୁ ଅଗ୍ରାଧିକାର ଦେବେ । ଏ ପୁଞ୍ଜିପତିମାନଙ୍କ ସପକ୍ଷରେ ପଡ଼ିବେନି ।.. ନବୀନବାବୁଙ୍କ ଆଡକୁ ମୁଁ ଢ଼ଳିବାର ପ୍ରଶ୍ନ ଉଠୁନି । ଢ଼ଳିବି.. ଯେଉଁଦିନ ସେ ଓଡ଼ିଆ ଭାଷା ପାଇଁ କାମ କରିବେ । କାହିଁକି କଳା ପଟୁଆର ଚାଲିଛି ? ସେ ତ କଳାପତାକା ଦେଖିଲେ ଡେଉଁଛନ୍ତି । ସେ ତ କଳାଓଢ଼ଣୀ ଦେଖିଲେ ଝିଅମାନଙ୍କୁ ଲଙ୍ଗଳା କରିଦେବାକୁ ପ୍ରସ୍ତୁତ ଅଛନ୍ତି । ହେଲେ କଳାପତାକା ଧରି ୪ ଜଣ ଓଡ଼ିଆ ଲୋକ ଓଡ଼ିଆ ଭାଷା ବ୍ୟବହାର ହେଉ ପାଇଁ କହିଲେ ତାଙ୍କୁ ଦଣ୍ଡଦେବାକୁ କହୁଛନ୍ତି । କିନ୍ତୁ କାହିଁକି କି ଅପରାଧ କରୁଛନ୍ତି ସେମାନେ ? ଓଡ଼ିଶା ଲୋକଙ୍କର ମନ କିଣିବା ପାଇଁ ଯେଉଁମାନେ ଚେଷ୍ଟା କରୁଛନ୍ତି । ଜୋତା, ଭତ୍ତା, ଛତା, ଟଙ୍କିକିଆ ଚାଉଳ, କୁଡ଼ିଆ ଦେଇ ଯୋଉଭଳି ଭାବେ ଭୋଟ କିଣା ବେପାର ଚାଲିଛି..ଓଡ଼ିଶା ତ ଗରିବ ତେଣୁ ନବୀନ ବାବୁ ଚାହୁଁଛନ୍ତି ଓଡ଼ିଶା ଲୋକ ଗରିବ ହୋଇ ଥାଆନ୍ତୁ..”