ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡ଼ିର ତିନି ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଡ.ଅଚ୍ୟୁତ ସାମନ୍ତ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କ ନିକଟରେ ସେମାନେ ନାମାଙ୍କନ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ ଓ ଦଳୀୟ ନେତା ସେଠାରେ ଉପସ୍ଥିତ ଥିଲେ । ନାମାଙ୍କନ ପତ୍ର ଦାଖଲ ସରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ତିନି ବିଜେଡ଼ି ପ୍ରାର୍ଥୀ ରାଜ୍ୟସଭାରେ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଧାନସଭାରେ ବିଜେଡ଼ିର ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ରାଜ୍ୟସଭା ଆସନ ବିଜେଡ଼ି ହାତରେ ରହିବ । ବିରୋଧୀ ପକ୍ଷରୁ ପ୍ରାର୍ଥୀପତ୍ର କେହି ଦାଖଲ କରିବାର ସମ୍ଭାବନା ନାହିଁ । ଆସନ୍ତା ୧୨ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବା ବେଳେ ୧୩ ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ ହେବ ଏବଂ ୧୫ ତାରିଖ ରହିଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ଆବଶ୍ୟକ ପଡ଼ିଲେ ମାର୍ଚ୍ଚ ୨୩ ତାରିଖରେ ନିର୍ବାଚନ ହେବ ।