ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜେଲ୍ କଏଦୀ ପୁଷ୍ପେନ୍ଦ୍ର ନାଥ ଚୌହାନର ମାନସିକ ଅସ୍ଥିରତା ରହିଛି । ବଡ଼ ବଡ଼ିଆଙ୍କୁ ଧମକେଇ ଚିଠି ଲେଖିଲେ ସମସ୍ତଙ୍କ ଧ୍ୟାନ ପଡ଼େ ବୋଲି ତା ମୁଣ୍ଡରେ ପଶିଛି । ବହୁ ମନ୍ତ୍ରୀ, ଅଫିସର, ଜଜ୍ ଙ୍କୁ ସେ ଆଗରୁ ଏମିତି ଚିଠି ଦେଇଛି । କିଛି ବର୍ଷ ତଳେ ଓଡ଼ିଶାର ଜଣେ ଜିଲ୍ଲାପାଳଙ୍କୁ ସେ ଧମକଭରା ଚିଠି ଦେଇଥିଲା । ଛତିଶଗଡ଼ ବିଳାସପୁରର ପୁଲିସ ତଦନ୍ତରୁ ଏହା ଜଣାପଡ଼ିଛି । ଓଡ଼ିଶା ପୁଲିସକୁ ଖୁବ୍ ଶୀଘ୍ର ତଦନ୍ତ ରିପୋର୍ଟ ଦିଆଯିବ ବୋଲି ବିଳାସପୁର ଏସପି ଆରିଫ୍ ଶେଖ୍ ସୂଚନା ଦେଇଛନ୍ତି ।
ଏସପିଙ୍କ ସୂଚନା ଅନୁଯାୟୀ ପୁଷ୍ପେନ୍ଦ୍ର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ତା ବିରୋଧରେ ୪୨ ଟି ଅପରାଧିକ ମାମଲା ଅଛି । ଏକ ଡକାଏତି ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପୁଷ୍ପେନ୍ଦ୍ର ୨୦୦୯ ମସିହାରୁ ବିଳାସପୁର ସେଣ୍ଟ୍ରାଲ୍ ଜେଲ୍ ରେ ଆଜୀବନ ସଜ୍ଜା କାଟୁଛି ।
ଜେଲ୍ ଭିତରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଦେଇଥିଲା ଏହି ପୁଷ୍ପେନ୍ଦ୍ର । ୫୦ କୋଟି ନ ଦେଲେ ହତ୍ୟା କରାଯିବ ବୋଲି ସେଥିରେ ଧମକ ଦେଇଥିଲା । ଚିଠିଟି ଗତ ୨୫ ତାରିଖରେ ଓଡ଼ିଶା ପୁଲିସ ହାତରେ ପଡ଼ିବା ପରେ ତନାଘନା ଆରମ୍ଭ ହୋଇଥିଲା । ବିଳାସପୁର ସେଣ୍ଟ୍ରାଲ୍ ଜେଲ୍ ରୁ ଚିଠିଟି ଆସିଥିବା ପରିଷ୍କାର ହେଲା ପରେ ସେଠିକା ପୁଲିସର ସହାୟତା ନିଆଯାଇଥିଲା । ଗତ ରବିବାରଠାରୁ ବିଳାସପୁର ପୁଲିସ ଏହାର ଛାନଭିନ୍ ଚଳାଇଛି । ଛାନଭିନ୍ ପରେ ପୁଷ୍ପେନ୍ଦ୍ର ସମ୍ପର୍କରେ ସବୁ ତଥ୍ୟ ପଦାକୁ ଆସିଛି ।