ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦାମ ରାଉତଙ୍କ ଉପରୁ ମୁଖ୍ୟମନ୍ତ୍ରୀ ଆସ୍ଥା ହରାଇନାହାନ୍ତି । ଦଳୀୟ ନେତାଙ୍କ ବିରୋଧରେ ତାଙ୍କର ଖୋଲାଖୋଲି ମନ୍ତବ୍ୟ ଅଡୁଆ ସୃଷ୍ଟି କରୁଥିଲେ ମଧ୍ୟ ଦାମଙ୍କ ବୟସ, ଅଭିଜ୍ଞତା ଓ ପାରଦର୍ଶିତା ମୁଖ୍ୟମନ୍ତ୍ରୀଙ୍କୁ ଆକୃଷ୍ଟ କରି ରଖିଛି । କଟକର ବିଧାୟକମାନଙ୍କ ଉପରେ ଦାମଙ୍କ ଟିପ୍ପଣୀ ବିଜେଡ଼ି ଗୋଷ୍ଠୀ କନ୍ଦଳକୁ ତୀବ୍ର କରିଥିଲା ବେଳେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦାମଙ୍କୁ ପୁରସ୍କୃତ କରିଛନ୍ତି । ଜିଲ୍ଲାପାଳମାନଙ୍କ ଦକ୍ଷତା ମାପିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଧରାଇଛନ୍ତି ଦାମଙ୍କ ହାତରେ । ଜିଲ୍ଲାପାଳମାନଙ୍କ ଦକ୍ଷତା ମାପିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ କମିଟି ଘୋଷଣା କରିଛନ୍ତି । ଜିଲ୍ଲାପାଳ ସମ୍ମିଳନୀରେ ଘୋଷିତ ଏହି କମିଟିରେ ଦାମଙ୍କ ସମେତ ଦେବୀ ମିଶ୍ର, ଉଷା ଦେବୀଙ୍କ ଭଳି ବରିଷ୍ଠ ମନ୍ତ୍ରୀଙ୍କୁ ନିଆଯାଇଛି । ସେହିଭଳି ୩ ବରିଷ୍ଠ ଆଇଏଏସ୍ ଆର.ବାଲକ୍ରିଷ୍ଣନ୍, ସୁରେଶ ମହାପାତ୍ର ଓ ଆରତୀ ଆହୁଜାଙ୍କୁ କମିଟିରେ ରଖାଯାଇଛି । ଏହି ୬ ଜଣିଆ କମିଟି ଜିଲ୍ଲାପାଳମାନଙ୍କର କାର୍ଯ୍ୟଦକ୍ଷତା ମାପିବେ ଏବଂ ସରକାର ପ୍ରଥମ ୩ ଜିଲ୍ଲାପାଳଙ୍କୁ ପୁରସ୍କୃତ କରିବେ । ପରୋକ୍ଷରେ ଏହି କମିଟିର ନେତୃତ୍ୱ ଦାମ ରାଉତଙ୍କ ହାତରେ ନ୍ୟସ୍ତ କରାଯାଇଛି ।
ନବୀନଙ୍କ ଶାସନରେ ନିଜକୁ ହୀନିମାନିଆ ଭାବୁଥିବା ଦାମବାବୁଙ୍କ ଗୁରୁତ୍ୱକୁ ମୁଖ୍ୟମନ୍ତ୍ରୀ ଅଣଦେଖା କରିନାହାନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ଗଣମାଧ୍ୟମରେ ଦଳୀୟ ନେତାଙ୍କ ବିରୋଧରେ ଯେତେ ଯାହା ବୟାନବାଜି କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦାମଙ୍କ ଉପରେ କ୍ଷୁବ୍ଧ ନ ଥିବା ଏଥିରୁ ସ୍ୱଷ୍ଟ ହୋଇଛି । କେବଳ ଦାମଙ୍କ ଆକ୍ରୋଶ ଶିକାରରେ ପଡ଼ିଥିବା ଦଳୀୟ ବିଧାୟକଙ୍କୁ ସନ୍ତୁଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ତାଗିଦ୍ କରିଥିବା ବି ପ୍ରମାଣିତ ହୋଇଛି । ଗଣମାଧ୍ୟମରେ ଦଳକୁ କ୍ଷତି ପହଞ୍ଚାଇଲା ଭଳି ବିବୃତି ନ ଦେବାକୁ ପୁଣିଥରେ କୁଆଡେ ଦାମଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ତଥାକଥିତ ଏଭଳି ତାଗିଦ୍ର ୨୪ ଘଣ୍ଟା ନ ପୂରୁଣୁ ଦାମଙ୍କୁ ତାଙ୍କର ବରିଷ୍ଠତା ଓ ଅଭିଜ୍ଞତାର ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳମାନଙ୍କ ଦକ୍ଷତା ମାପିଲା ଭଳି ଗୁରୁତ୍ୱପୂର୍ଣ୍ଣ କମିଟିରେ ଦାମଙ୍କୁ ରଖିବାକୁ ନିଷ୍ପତ୍ତି ନେଇ ବିରୋଧୀଙ୍କ ପାଟି ଚୁପ୍ କରିଦେଇଛନ୍ତି ।
ଦାମଙ୍କୁ ପୁରସ୍କୃତ କରି ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସୁତରାଂ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଦାମ ବଳି ପଡୁଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଭୁଲ୍ ବୋଲି ଇଙ୍ଗିତ ଆସିଛି । ମୁଖ୍ୟମନ୍ତ୍ରୀ ସେମିତି ଯୋଜନା କରିଥିଲେ ଦାମଙ୍କୁ ବୋଧହୁଏ ଏହି ଗୁରୁ ଦାୟିତ୍ୱ ଦେଇ ନ ଥାଆନ୍ତେ । ଦଳର ଉପସଭାପତି ତଥା ସରକାରରେ ବରିଷ୍ଠ ମନ୍ତ୍ରୀ ଥାଇ ଦାମ ରାଉତ ଯେଉଁ ବୟାନ ଦେଉଛନ୍ତି ସେଥିରେ ଦଳ କେତେ କ୍ଷତି ସହୁଛି ତାହା ମୁଖ୍ୟମନ୍ତ୍ରୀ ଆକଳନ କରିବାର ଆବଶ୍ୟକ ମଣିନାହାନ୍ତି । ତାଙ୍କୁ ଅସନ୍ତୁଷ୍ଟ କରି ପୁଣି ଏକ ଚାଲେଞ୍ଜରେ ପଶିବାକୁ ଚାହୁଁ ନାହାନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାମ ଯେ ନିଜର କାଟ୍ତି ଜାହିର ରଖିଛନ୍ତି ତାହା ଏହି ଘଟଣା ସ୍ପଷ୍ଟ କରିଛି ।