ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ଆଜି ତାଗିଦ୍ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଦାମଙ୍କୁ ଡାକି ଦେଢ଼ ମିନିଟିଆ ତାଗିଦ୍ ଶୁଣାଇଛନ୍ତି । ଗଣମାଧ୍ୟମରେ ଦଳୀୟ ନେତାଙ୍କ ବିରୋଧରେ ବିଷୋଦଗାରରୁ ନିବୃତ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ସତର୍କ କରାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଦାମ ମୁହଁ ଖୋଲି ନ ଥିଲେ ମଧ୍ୟ ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଛନ୍ତି । ଆଜି ସେ ନିଜର ପାଟି ଚୁପ୍ ରଖି ଓଲଟି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବର୍ଷିଛନ୍ତି । ଗଣମାଧ୍ୟମ ଏଥିକ୍ସ ଭୁଲି ଶସ୍ତା ଲୋକପ୍ରିୟତା ପଛରେ ଗୋଡାଇଛନ୍ତି । ତେବେ ତାଙ୍କୁ କ୍ଷତ ବିକ୍ଷତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଗଣମାଧ୍ୟମର ଉଦେ୍ଦଶ୍ୟ ସାଧନ ହେବ ନାହିଁ ବୋଲି ଦାମ ସତର୍କ କରାଇଛନ୍ତି । ତେବେ କିଛି ଦିନ ଚୁପ୍ ରହି ପୁଣି ମିଡ଼ିଆ ଆଗକୁ ଆସିବେ ବୋଲି ପ୍ରତିଶ୍ରୁତି ଦେବାକୁ ଭୁଲିନାହାନ୍ତି ଦାମ ।
ଗୁରୁବାର ସକାଳେ ସଚିବାଳୟରେ ପୃଥକ୍ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡାକିଥିଲେ ନା ସେମାନେ ନିଜ ଆଡୁ ଭେଟିଥିଲେ ତାହାର ଖୁଲାସା ହୋଇନାହିଁ । ତେବେ ଦୁଇ ଦିନ ତଳେ ଏହି ତିନିଙ୍କୁ ବିଜେଡ଼ିର ମୂଷା ଦର୍ଶାଇ ଦାମବାବୁ ଭୀଷଣ ବର୍ଷିଥିବା ପରିପ୍ରେକ୍ଷୀରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବାରୁ ରାଜନୈତିକ ମହଲରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ହୁଏତ ଦାମଙ୍କ ବିରୋଧରେ କଟକ ଜିଲ୍ଲାର ଏହି ତିନି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥାଇପାରନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ତିନି ବିଧାୟକଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ ହଠାତ୍ ଦାମଙ୍କୁ ଡାକରା ଆସିଥିଲା । ଦାମ ତରବରରେ ମୁଖ୍ୟମନ୍ତ୍ରୀଙ୍କୁ ଯାଇ ଭେଟିଥିଲେ ଏବଂ ଦେଢ଼ ମିନିଟ୍ ପରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଫେରି ଆସିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ କ”ଣ କହିଲେ ତାହା ଜଣାପଡ଼ି ନ ଥିଲେ ମଧ୍ୟ ଦାମଙ୍କ ମୁହଁରୁ ହସ ଲିଭିଯାଇଥିଲା ଏବଂ ତୁଣ୍ଡ ବନ୍ଦ ହୋଇଯାଇଥିଲା । ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କଠାରୁ ପ୍ରତିକ୍ରିୟା ପାଇଁ ଯିବାରୁ ଚିହିଁକି ଉଠିଥିଲେ ଦାମ । ମନଇଚ୍ଛା ଗାଳି କଲେ । କହିଥିଲେ, ତମେମାନେ ଯାହା ଇଚ୍ଛା ତାହା ଦେଖୋଉଛ । ମୋତେ ଉଖାରି କଥା ଆଦାୟ କରୁଛ ଏବଂ ତାହାକୁ ରେକର୍ଡ କରି ବଜୋଉଛ । ଏବେ ମୁଁ କିଛି କହିବିନି । ପରିସ୍ଥିତି ଭଲ ନାହିଁ । ଯାଉ କିଛି ଦିନ ଯାଉ ଯାହା କହିବା କଥା କହିବି ।
ତୁଣ୍ଡ ବିଶାରଦ ଦାମଙ୍କ ଏଭଳି ବୟାନ ପଛରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ଯେ ରହିଛି ତାହା ସ୍ପଷ୍ଟ ଜଣାପଡୁଥିଲା । ଖାଲି ସେତିକି ନୁହେଁ ବ୍ୟସ୍ତ ବିବ୍ରତ ଦାମ ଏହା ମଧ୍ୟ କହିବାକୁ ଭୁଲି ନ ଥିଲେ ଯେ ସେ କୌଣସି କଥାରେ ଅନୁତପ୍ତ ନୁହଁନ୍ତି । ଯାହା କହୁଛନ୍ତି ଦଳର ହିତ ପାଇଁ କହୁଛନ୍ତି । ଏହାଦ୍ୱାରା ଲୋକଙ୍କଠାରୁ ସେ ବହୁତ ପ୍ରଂଶସା ପାଉଛନ୍ତି । ସେପଟେ ଦାମଙ୍କ ତୁଣ୍ଡକୁ ନେଇ ଦଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଦାମଙ୍କୁ ଲଗାମ୍ ନ ଦେଲେ ବିଜେଡ଼ି ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେବ ଏବଂ ସାଧାରଣରେ ଦଳ ନିନ୍ଦିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବାର୍ତ୍ତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ଠିକଣା ସମୟରେ ଠିକ୍ ପଦକ୍ଷେପ ନେବେ ବୋଲି ଯୁବଗୋଷ୍ଠୀ ପକ୍ଷରୁ ପ୍ରଚାର କରାଯାଉଛି । ଦଳର ଯୁବ ମୁଖପାତ୍ରମାନେ ମଧ୍ୟ ସେହି ଢ଼ଙ୍ଗରେ ନିଜର ପ୍ରତିକ୍ରିୟା ରଖୁଛନ୍ତି ।
ଗୋଟେ ପଟେ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ସମସ୍ତଙ୍କ ନଜର ଏବେ ଦାମଙ୍କ ଉପରେ । ମୁଖ୍ୟମନ୍ତ୍ରୀ ତାଙ୍କୁ ବଳି ପକାଇବେ ନା ନାହିଁ ତାହା ଏବେ ସମସ୍ତଙ୍କ ପାଇଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଇତିମଧ୍ୟରେ କଟକ ରାଜନୀତିକୁ ନେଇ ଦାମଙ୍କ ବୟାନ ଦଳକୁ କ୍ଷତି ପହଞ୍ଚାଇଛି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି । ଦାମଙ୍କୁ ନ ହଟାଇଲେ ଆଗକୁ ଅଧିକ କ୍ଷତି ହେବ ବୋଲି ସେଥିରେ କୁହାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଏହା ଉପରେ କି ବିଚାର ରଖୁଛନ୍ତି ତାହା କେହି ଠଉରେଇ ପାରିନାହାନ୍ତି । ଦାମଙ୍କୁ ବଳି ପକାଇଲେ ଅବସ୍ଥା ଅଧିକ ଖରାପ ହେବ ବୋଲି ବିଜେଡ଼ିର କିଛି ତୁଙ୍ଗ ନେତା ମତ ଦେଉଥିବା ବେଳେ ଦାମ ଦଳର କିଛି ବି ବଙ୍କା କରିପାରିବେ ନାହିଁ ବୋଲି ପ୍ରଭାବଶାଳୀ ଯୁବଗୋଷ୍ଠୀ ହାଇକମାଣ୍ଡଙ୍କୁ ବାର୍ତ୍ତା ଦେବା ଆରମ୍ଭ କରିଛନ୍ତି । ବରଂ ଦାମଙ୍କର ପ୍ରଫୁଲ୍ଲ ଘଡ଼ାଇଙ୍କ ଅବସ୍ଥା ହେବ ବୋଲି ସେମାନେ ଦୃଢ଼ ବିଶ୍ୱାସ ରଖିଛନ୍ତି ।
ବିଜେଡ଼ି ଘରେ ଏଭଳି ମୁହାଁମୁହିଁ ଅବସ୍ଥାକୁ ସୁପ୍ରିମୋ ନବୀନ ପଟ୍ଟନାୟକ କିଭଳି ହାଣ୍ଡଲ୍ କରୁଛନ୍ତି ତାହାକୁ ଏବେ ସମସ୍ତଙ୍କ ଅପେକ୍ଷା ରହିଛି । ତେବେ ଦାମଙ୍କର ଏଭଳି ବୟାନବାଜି କେବଳ ବିଜେଡ଼ି ଘରେ ନିଆଁ ଲଗାଇନାହିଁ । ଦାମଙ୍କ ନିଜ ପରିବାରରେ ମଧ୍ୟ ନିଆଁ ଲଗାଇଛି । ଗଣମାଧ୍ୟମରେ ଏଭଳି ବିବୃତିକୁ ତାଙ୍କ ପୁଅ ବି ପସନ୍ଦ କରିନାହାନ୍ତି । ତୁଣ୍ଡ ଚୁପ୍ ରଖିବାକୁ ପୁଅ ତାଙ୍କୁ ସାବଧାନ କରାଇଛନ୍ତି ।