ଭୁବନେଶ୍ୱର: ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂ ବିଜେଡ଼ିରେ ଯୋଗ ଦେବା ଆଉ ଚର୍ଚ୍ଚାରେ ସୀମିତ ନାହିଁ । ତାହା ନିଶ୍ଚିତ ହୋଇଗଲାଣି । ନିଜେ ଯୋଗେଶ ଏହାର ସ୍ପଷ୍ଟ ଇଙ୍ଗିତ ଦେଇଛନ୍ତି । ବିଜେଡ଼ି ଦ୍ୱାରରେ ପହଞ୍ଚିସାରିଥିବା ସହଯୋଗୀ ନବ ଦାସଙ୍କ ଭାଷାକୁ ଗଣମାଧ୍ୟମରେ ନକଲ କରିଛନ୍ତି ଯୋଗେଶ । ସୁନ୍ଦରଗଡ଼ ଜନସାଧାରଣ ମୋର ହାଇକମାଣ୍ଡ । ସେମାନେ ଯାହା ଚାହିଁବେ ମୁଁ ସେୟା କରିବି । ବିଜେଡ଼ିକୁ ଯିବେ କି ବୋଲି ପ୍ରଶ୍ନରେ ଯୋଗେଶ ଏହି ଉତ୍ତର ଦେବା ସହ ଟାଣି ଓଟାରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ୧୮ ବର୍ଷ ଧରି ଶାସନ କରୁଥିବା ନବୀନ ପଟ୍ଟନାୟକ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା । ତାଙ୍କର ତୁଳନା ନାହିଁ ବୋଲି ଯୋଗେଶ କହିଛନ୍ତି । ଏଥିସହ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଥିବା ରାହୁଲ ଗାନ୍ଧୀଙ୍କ ସଭାରେ ସେ ଉପସ୍ଥିତ ରହିବେନି ବୋଲି ସିଧା ସିଧା ଜଣାଇ ଦେଇଛନ୍ତି । ଯୋଗେଶ ଯେ ବିଜେଡ଼ିରେ ଯୋଗଦେବା ନିଶ୍ଚିତ ତାଙ୍କ ବକ୍ତବ୍ୟରୁ ଆଉ ଅବୁଝା ନାହିଁ ।
କଂଗ୍ରେସ ବିଧାୟକ ନବ ଦାସ, ଯୋଗେଶ ସିଂ, ପ୍ରକାଶ ବେହେରା, ଅଂଶୁମାନ ମହାନ୍ତି ଓ ଡାକ୍ତର ପ୍ରଫୁଲ୍ଲ ମାଝୀ ବିଜେଡ଼ିରେ ଯୋଗଦେଉଥିବା ବହୁ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଛି । ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ସେମାନେ ଗାଲୁରେ ପେଲି ଦେଉଥିଲେ । ମାତ୍ର ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ଏବେ ଜଣଙ୍କ ପରେ ଜଣେ ସେମାନଙ୍କ ମନ ଖୋଲୁଛନ୍ତି । ନବ ଦାସ ବିଜେଡ଼ିରେ ମିଶିବା ନେଇ ସ୍ପଷ୍ଟ ଇଙ୍ଗିତ ଛାଡ଼ି ସାରିଛନ୍ତି । ଆସନ୍ତା ୨୪ ତାରିଖରେ ସେ ଶଙ୍ଖ ହାତ ଧରିବା ପାଇଁ ବ୍ୟାପକ ଆୟୋଜନ ହେଉଛି । ସାଲେପୁର ବିଧାୟକ ପ୍ରକାଶ ବେହେରା ବି ବିଜେଡ଼ିମୁହାଁ ହୋଇଥିବା ସଙ୍କେତ ଦେଇସାରିଛନ୍ତି । ନବୀନଙ୍କୁ ସେ ବି ମନଭରି ପ୍ରଶଂସା କରିଛନ୍ତି । ଏବେ ଯୋଗେଶ ତାଙ୍କ ମନ ଖୋଲିଦେଇଛନ୍ତି । ଅର୍ଥାତ୍ ନବଙ୍କ ରାସ୍ତାରେ ପ୍ରକାଶ ଓ ଯୋଗେଶ ସାମିଲ ହୋଇସାରିଥିବା ଜଣାପଡ଼ିଗଲାଣି ।
ବାକି ରହିଲେ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଓ ତଳସରା ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ । ଗଣମାଧ୍ୟମଠାରୁ ଦୂରେଇ ରହିଥିଲେ ମଧ୍ୟ ଦୁହେଁ ବିଜେଡ଼ିରେ ଯୋଗଦେବା ନିଶ୍ଚିତ ବୋଲି କୁହାଯାଉଛି । ଆହୁରି ବଡ଼କଥା ହେଲା, ଏହି ତାଲିକାରେ ଜୟପୁର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ତାରାପ୍ରକାଶ ବାହିନୀପତିଙ୍କ ନାଁ ଆସିଲାଣି । ତାରା ବିଜେଡ଼ିକୁ ଆସିବା ନେଇ କୁଆଡ଼େ କଥାବାର୍ତ୍ତା ସରିଯାଇଛି ।
ତେବେ ବିଜେଡ଼ିମୁହାଁ ତାଲିକାରେ କେବଳ କଂଗ୍ରେସ ବିଧାୟକ ନାହାନ୍ତି, ବିଜେପିର ବିଧାୟକଙ୍କ ନାଁ ବି ଚର୍ଚ୍ଚା ହେଉଛି । ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡା, ଦେଓଗଡ଼ ବିଧାୟକ ନୀତିଶ ଗଙ୍ଗଦେବ ଏବଂ ଖରିଆର ବିଧାୟକ ଦୁର୍ଯୋଧନ ମାଝୀ ବିଜେଡ଼ି ସହ ଯୋଗସୂତ୍ରରେ ଅଛନ୍ତି ବୋଲି କୁହାଯାଉଛି । ତେବେ ଏ ସମ୍ପର୍କରେ ସେମାନଙ୍କ ମତାମତ ମିଳିପାରିନାହିଁ । ନବୀନ ନିବାସ ସହ ସମ୍ପର୍କରେ ଥିବା ବିଜେଡ଼ିର ଜଣେ ବରିଷ୍ଠ ନେତା କହିଛନ୍ତି, ଅପେକ୍ଷା କରନ୍ତୁ । ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ଓଡ଼ିଶା ରାଜନୀତିରେ ବିରାଟ ହଲଚଲ୍ ଦେଖିବାକୁ ପାଇବେ ।