ଭୁବନେଶ୍ୱର: ବିଜେଡ଼ି ଟିକେଟରୁ ବଂଚିତ ହୋଇ ବିଜେପିରେ ଯୋଗଦେଇଥିବା ୫ ବିଧାୟକ ସେମାନଙ୍କ ପଦ ହରାଇଛନ୍ତି । ଗତକାଲି ରାତିରେ ବାଚସ୍ପତି ପ୍ରଦୀପ ଅମାତ୍ ସେମାନଙ୍କ ସଭ୍ୟପଦ ରଦ୍ଦ କରିଦେଇଛନ୍ତି । ଏହି ବିଧାୟକମାନେ ହେଲେ ଗୁଣୁପୁରର ତ୍ରିନାଥ ଗମାଙ୍ଗ, ଦଶପଲ୍ଲାର ପୂର୍ଣ୍ଣଚନ୍ଦ୍ର ନାୟକ, ଆସ୍କାର ଦେବରାଜ ମହାନ୍ତି, ନୀଳଗିରିର ସୁକାନ୍ତ ନାୟକ ଏବଂ ମୋହନାର ଶ୍ରୀମତୀ ବାସନ୍ତୀ ମଲ୍ଲିକ । ସଭ୍ୟ ପଦ ରଦ୍ଦ ହୋଇଥିବାରୁ ସେମାନେ ଆଉ ବିଧାୟକ ହୋଇନାହାନ୍ତି ।
ବିଜେଡ଼ିରୁ ଇସ୍ତଫା ଦେଇଥିବା ଏହି ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଗତକାଲି ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର ଦେଇଥିଲେ । ଶ୍ରୀ ଶତପଥୀ ଦର୍ଶାଇଥିଲେ ଯେ ୫ ବିଧାୟକ ବିଜେଡ଼ି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଲୋକମତକୁ ବିଭ୍ରାନ୍ତ କରିଛନ୍ତି । ସ୍ୱଇଚ୍ଛାରେ ବିଜେଡ଼ିରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ତେଣୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସେମାନେ ଆଉ ବିଧାୟକ ହୋଇ ରହିବାର ଅଧିକାର ନାହିଁ । ସମ୍ବିଧାନର ଦଶମ ଅନୁଚ୍ଛେଦର ଧାରା ୧୯୧ ଓ ଉପଧାରା ୨ର ନିୟମ ୧୮୭ ଅନୁଯାୟୀ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ପଦକ୍ଷେପ ନେବା ପାଇଁ ବାଚସ୍ପତିଙ୍କୁ ସେ ଅନୁରୋଧ କରିଥିଲେ । ବାଚସ୍ପତି ଏହି ପିଟିସନ୍ କୁ ଅନୁଧ୍ୟାନ କଲା ପରେ ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ଗତକାଲି ବିଳମ୍ବିତ ରାତିରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।