ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମେୟର ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଅନ୍ଧ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେୟରଙ୍କ ନିନ୍ଦା, ଅପବାଦକୁ ନିଜ ମୁଣ୍ଡରେ ରଖି ନିଜର ଓ ଦଳର ଭାବମୂର୍ତ୍ତିକୁ ବାଜି ଲଗାଇ ଦେଇଛନ୍ତି । ଖାସ୍ ଏହି ଭାବମୂର୍ତ୍ତି ବଞ୍ଚାଇବାକୁ ପ୍ରଚାର ଓ ପ୍ରସାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅଥଚ ଭାବମୂର୍ତ୍ତିର ବିରାଟ ଘଳିଆକୁ ନିରବରେ ସହିଛନ୍ତି । ନବୀନଙ୍କର ଏମିତିକା ଅଦ୍ଭୂତ ଆଚରଣ ଖୋଦ୍ ବିଜେଡ଼ି ମହଲକୁ ବିଚଳିତ କରିଛି । ସାମାନ୍ୟ ମେୟରଙ୍କ ପାଇଁ ନବୀନ ଏତେବଡ଼ କ୍ଷତି ଡାକି ଆଣିବାକୁ ସେମାନେ ସହ୍ୟ କରିପାରୁନାହାନ୍ତି । ମେୟରଙ୍କ ପ୍ରତି ନବୀନଙ୍କର ଦୁର୍ବଳତା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ତାହା ସେମାନେ ବୁଝିପାରୁନାହାନ୍ତି । ସେପଟେ ନବେ ଦଶକରେ ଅଞ୍ଜନା ମିଶ୍ର ମାମଲାରେ ଆଡଭୋକେଟ ଜେନେରାଲ୍ ଇନ୍ଦ୍ରଜିତ ରାୟଙ୍କୁ ସୁରକ୍ଷା ଦେବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଯେଭଳି ମହଙ୍ଗା ପଡ଼ିଥିଲା ନବୀନଙ୍କ କ୍ଷେତ୍ରରେ ତାହାର ପୁନରାବୃତ୍ତି ହେବାର ଆଶଙ୍କା କରିଛନ୍ତି ରାଜନୈତିକ ସମୀକ୍ଷକ ।
ମେୟର ଅନନ୍ତ ଜେନାଙ୍କ ବିରୋଧରେ ଆସିଛି ସଙ୍ଗୀନ ଯୌନ କେଳେଙ୍କାରୀ ମାମଲା । ଦୁର୍ନୀତି ଅଭିଯୋଗଠାରୁ ଏହା ଆହୁରି ଭୟଙ୍କର । ଭୁବନେଶ୍ୱରର ପ୍ରଥମ ନାଗରିକଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ସହରର ରାସ୍ତାଘାଟ, ବଜାର, ଗଳି, କନ୍ଦି ସବୁଆଡେ ଛାଇ ଯାଇଛି । ତାଙ୍କ ବିରୋଧରେ ଅଡ଼ିଓ ସିଡ଼ି ଚାରିଆଡେ ବାଜୁଥିଲା ବେଳେ ଏଲଇଡି ପରଦାରେ ଖେଳୁଛି ସେକ୍ସ ଭିଡ଼ିଓ କ୍ଲିପିଂ । ପଞ୍ଚାୟତ ନିର୍ବାଚନ ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ହାତରେ ଏହି ପ୍ରସଙ୍ଗ ବିଜେଡି ବିରୋଧରେ ବଢ଼ିଆ ଅସ୍ତ୍ର ହୋଇ ଖସିଛି । ତେବେ ସବୁ ପରେ ବି ମୁଖ୍ୟମନ୍ତ୍ରୀ ଚୁପ୍, ନିର୍ବିକାର । ଦଳୀୟ କାର୍ଯ୍ୟକ୍ରମକୁ ମେୟରଙ୍କୁ ବାରଣ କରିବା ଭିତରେ ସୀମିତ ରହିଛି ତାଙ୍କ କାର୍ଯ୍ୟାନୁଷ୍ଠାନ ।
ଭୁବନେଶ୍ୱର ମେୟରଙ୍କ ଦୁର୍ନାମ ଛବି ସମଗ୍ର ବିଜେଡ଼ିକୁ ଧ୍ୱାଂସାଭିମୁଖୀ କରିଛି ବୋଲି ଦଳର ଅଧିକାଂଶ ମୁଖପାତ୍ର ଓ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି । ନବୀନଙ୍କୁ କିଛି କହିବାର ସାହାସ ନ ଥିବା ଏହି ନେତାମାନେ ଏଭଳି ସମ୍ବେଦନଶୀଳ ମାମଲାକୁ ନବୀନ ଯେଉଁ ଢ଼ଙ୍ଗରେ ହ୍ୟାଣ୍ଡଲ୍ କରୁଛନ୍ତି ସେଥିନେଇ ଭୀଷଣ ଅସନ୍ତୋଷ ଢ଼ାଳିଛନ୍ତି । ମେୟରଙ୍କୁ ସୁରକ୍ଷା ଦେବାକୁ ନବୀନ ସେମାନଙ୍କୁ କହୁନାହାନ୍ତି କି ମେୟରଙ୍କୁ ସୁରକ୍ଷା ଦେଲେ ନବୀନ ମନା କରୁନାହାନ୍ତି । ନବୀନଙ୍କର ଏମିତିକା ଅଜବ ଖିଆଲ୍ ସେମାନଙ୍କୁ ସ୍ତମ୍ଭୀଭୂତ କରିଛି । ନବୀନ ଓ ଦଳର ଭାବମୂର୍ତ୍ତି ତିଷ୍ଠି ରଖିବାରେ ଚାଲିଥିବା ଅବିଶ୍ରାନ୍ତ କଠିନ ପରିଶ୍ରମ ଧୂଳିସାତ୍ ହୋଇଯାଉଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ମେୟରଙ୍କ ଇସ୍ୟୁରେ ନବୀନଙ୍କର ମତିଗତିକୁ ପୁଲିସ ବି ଠଉରାଇ ପାରୁନାହିଁ । ମେୟରଙ୍କ ବିରୋଧରେ ଅଭିଯୋଗ ହେଉଥିବା ବ୍ଲୁ ସିଡିର ସତ୍ୟାସତ୍ୟ ଯାଞ୍ଚ କରି ଗୁଇନ୍ଦା ପୁଲିସ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାଥମିକ ରିପୋର୍ଟ ଦେଇସାାରିଛନ୍ତି । ସିଡ଼ି ଯେ ସମ୍ପୂର୍ଣ୍ଣ ଅସଲି ତାହା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି । ମାତ୍ର ତାହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଖାଇନାହାନ୍ତି । ସିଡି ସହ ଋଷି ମୃତ୍ୟୁ ସମ୍ପର୍କର ଦିଗ ଉପରେ ପୁଲିସ ଟେର୍ ପାଇ ତଦନ୍ତ ଆଗୋଉ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ପୁଲିସକୁ ଦ୍ୱନ୍ଦରେ ପକାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବାସ୍ତବରେ କ’ଣ ଚାହୁଁଛନ୍ତି ତାହା ପୁଲିସ ବୁଝିପାରୁନାହିଁ । ଏଣୁ ମାରିଲେ ଗୋହତ୍ୟା, ତେଣୁ ମାରିଲେ ନରହତ୍ୟା ଭଳି ପୁଲିସ ଏହି ମାମଲାରେ ଦୋଛକିରେ ପଡ଼ିଛି । ତେବେ ଡିଜି କେ.ବି.ସିଂ ନିରପେକ୍ଷ ତଦନ୍ତ ନେଇ ବିଶେଷ ଆଗ୍ରହ ରଖିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ମେୟରଙ୍କୁ ଜେରା ପାଇଁ ଛାଡ଼ିବେ ନାହିଁ ବୋଲି ସେ କହିଛନ୍ତି । ମେୟରଙ୍କ ମାମଲା ବିଭିନ୍ନ ଦୃଷ୍ଟିକୋଣରୁ ପୁଲିସ ପାଇଁ ବି ଭୀଷଣ ମୁଣ୍ଡବ୍ୟଥା ଆଣିଛି । ମେୟରଙ୍କ ବିରୋଧରେ ପ୍ରତିଦିନ ବକ୍ଷୋଭ, ରାଲି ପାଇଁ ପୁଲିସ ନୟାନ୍ତ ହୋଇସାରିଲାଣି । ମେୟରଙ୍କ ଘର ଆଗରେ ଚବିଶ ଘଣ୍ଟା ପ୍ରହରାଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସକୁ ଝାଳନାଳ ହେବାକୁ ପଡୁଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଇସାରାକୁ ଅପେକ୍ଷା ନ କରି ପୁଲିସ ଯାହା ଠିକ୍ ସେହି ଦିଗରେ ଯାଉଛି ବୋଲି କମିଶନରେଟ୍ ପୁଲିସର ଜଣେ ପଦାଧିକାରୀ କହିଛନ୍ତି ।