ଭୁୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସମସ୍ତଙ୍କ ନଜରରେ ଥିବା ବ୍ରଜରାଜନଗରରେ କିଶୋର ମହାନ୍ତି ହୋଇଛନ୍ତି ପ୍ରାର୍ଥୀ । ଫଳରେ ଅନୁପ ସାଏଙ୍କୁ ନିରାଶ ହେବାକୁ ପଡ଼ିଛି ।
ପୂର୍ବତନ ବିଧାୟକ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେବା ପରେ ଗତଥର ବ୍ରଜରାଜନଗରରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ଏଥର ସେ ଟିକେଟ ପାଇବାକୁ ମୁଖ୍ୟ ଦାବିଦାର ଥିଲେ । ମାତ୍ର ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିବା ପରେ ତାଙ୍କୁ ଝାରସୁଗୁଡ଼ା ଆସନ ଟିକେଟ ଦିଆଯାଇଥିବାରୁ ପୁରୁଣା ଦାବିଦାର କିଶୋର ମହାନ୍ତିଙ୍କୁ ବ୍ରଜରାଜନଗରରେ ଥଇଥାନ କରାଯାଇଛି । ଯୋଉଥିପାଇଁ ଅନୁପ ବଳି ପଡ଼ିଛନ୍ତି ।
ସେହିଭଳି ବଲାଙ୍ଗୀର ଆସନରୁ ଅର୍କେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି । ସେ ହେଉଛନ୍ତି ଅନଙ୍ଗ ଉଦୟ ସିଂହଦେଓଙ୍କ ସାନପୁଅ । ବଡ଼ପୁଅ କଳିକେଶ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ ହୋଇସାରିଛନ୍ତି । ଅନଙ୍ଗ ଉଦୟଙ୍କ ଦୁଇପୁଅଙ୍କୁ ଟିକେଟ ମିଳିବା ପରେ ଶ୍ରୀମୟୀ ମିଶ୍ର ନିରାଶ ହୋଇଛନ୍ତି । ଲୋଇସିଂହାରେ ଟିକେଟ ପାଇଛନ୍ତି ପ୍ରଦୀପ ବେହେରା । ସେହି ଆସନଟି ଥିଲା ଯୋଗେନ୍ଦ୍ର ବେହେରାଙ୍କର । ସାନପୁଅ ନିହାର ରଞ୍ଜନ ବେହେରାଙ୍କୁ ପ୍ରାର୍ଥୀ କରାଇବା ପାଇଁ ସେ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ । ହେଲେ ତାଙ୍କ ଆଶା ପୂରଣ ହୋଇନି ।
ଲାଞ୍ଜିଗଡ଼ରେ ବିଧାୟକ ବଳଭଦ୍ର ମାଝୀଙ୍କୁ ଟିକେଟ ମିଳିନି । କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବା ପ୍ରଦୀପ ଦିଶାରୀଙ୍କୁ ମିଳିଛି ଟିକେଟ । ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କୁ ଟିକେଟ ମିଳିନି । ପୀତମ୍ ପାଢ଼ୀଙ୍କୁ ସେଠାରେ ପ୍ରାର୍ଥୀ କରାଯାଇଛି । ଝରିଗାଁରେ ପ୍ରାର୍ଥୀ ହୋଇଛନ୍ତି ପ୍ରକାଶ ଚନ୍ଦ୍ର ମାଝୀ । ସେ ହେଉଛନ୍ତି ରମେଶ ଚନ୍ଦ୍ର ମାଝୀଙ୍କ ଭାଇ । ରମେଶ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ଆସନଟି ଭାଇ ପ୍ରକାଶଙ୍କ ଭାଗରେ ପଡ଼ିଛି । ମାଲକାନଗିରି ବିଧାୟକ ମାନସ ମାଡ଼କାମୀଙ୍କୁ ଟିକେଟ ମିଳିନି । ସେଠାରେ ଗତଥର ବିଜେଡ଼ି ଟିକେଟରୁ ବଂଚିତ ବିଧାୟକ ମୁକୁନ୍ଦ ସୋଢ଼ୀ ବିଜେପିକୁ ପଳାଇଥିଲେ । ବିଜେଡ଼ିକୁ ଫେରିଲା ପରେ ତାଙ୍କୁ ପୁଣି ସୁଯୋଗ ଦିଆଯାଇଛି ।
ସମ୍ବଲପୁର ବିଧାୟକ ଡା. ଶ୍ରୀମତୀ ରାସେଶ୍ୱରୀ ପାଣିଗ୍ରାହୀ ଏବଂ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ପୁନର୍ବାର ସେହି ଆସନରୁ ଟିକେଟ ମିଳିଛି ।
ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ବ୍ରଜରାଜନଗର- କିଶୋର କୁମାର ମହାନ୍ତି
ବଲାଙ୍ଗୀର- ଅର୍କେଶ ନାରାୟଣ ସିଂହଦେଓ
ଲୋଇସିଂହା- ପ୍ରଦୀପ ବେହେରା
ପଟ୍ଟାଙ୍ଗୀ- ପୀତମ୍ ପାଢ଼ୀ
ଲାଞ୍ଜିଗଡ଼- ପ୍ରଦୀପ କୁମାର ଦିଶାରୀ
ଝରିଗାଁ- ପ୍ରକାଶ ଚନ୍ଦ୍ର ମାଝୀ
ମାଲକାନଗିରି- ମୁକୁନ୍ଦ ସୋଢ଼ୀ
ସମ୍ବଲପୁର- ଡା. ରାସେଶ୍ୱରୀ ପାଣିଗ୍ରାହୀ
ରେଢ଼ାଖୋଲ- ରୋହିତ ପୂଜାରୀ