ଭୁବନେଶ୍ୱର: ପୂର୍ବନ ଡିଜିପି ପ୍ରକାଶ ମିଶ୍ର ଆଜି ବିଜେପିରେ ଯୋଗଦେଇଛନ୍ତି । ବିଜେପିରେ ତାଙ୍କର ଯୋଗଦାନ ସମ୍ପର୍କରେ ବହୁ ଦିନ ହେଲା ଚର୍ଚ୍ଚା ହୋଇ ଆସୁଥିଲେ ମଧ୍ୟ କିଛି ଦିନ ତଳେ ନିଜେ ଶ୍ରୀ ମିଶ୍ର ଏହାକୁ ଖଣ୍ଡନ କରିଥିଲେ । ତେବେ ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଗତକାଲି ସ୍ପଷ୍ଟ ହୋଇଥିଲା । କଟକ ଲୋକସଭା ଆସନରୁ ସେ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସମୀର ଦେ, ଡାକ୍ତର ଦାମୋଦର ରାଉତ ଉପସ୍ଥିତ ଥିଲେ । ଶ୍ରୀ ମିଶ୍ରଙ୍କ ଛଡ଼ା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଦେବୀ ପ୍ରସାଦ ଚାନ୍ଦ ମଧ୍ୟ ବିଜେପିରେ ମିଶିଛନ୍ତି ।
୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରୀ ମିଶ୍ର ରାଜ୍ୟ ପୁଲିସ ଡିଜି ଭାବେ କାର୍ଯ୍ୟ କରିଥିଲେ । ୨୦୧୪ ଡିସେମ୍ବରରେ ସିଆରପିଏଫ୍ ବିଭାଗର ଡିଜି ପଦରେ ସେ ଅବସ୍ଥାପିତ ହୋଇଥିଲେ । ୨୦୧୬ ରେ ଚାକିରିରୁ ଅବସର ନେଲା ପରେ ଉତ୍ତରଖଣ୍ଡ ରାଜ୍ୟପାଳ କେ.କେ.ପଲଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଆଜିଠାରୁ ବିଜେପିରେ ସେ ନୂଆ ରାଜନୈତିକ ଇଂନିସ୍ ଆରମ୍ଭ କରିବେ । ଓଡ଼ିଶାରେ ବିଜେଡ଼ି ସରକାରଙ୍କ ଶାସନ ଅତି ନୀଚ୍ଚସ୍ତରକୁ ଖସି ଆସିଲାଣି ଏବଂ ଏବେ ଓଡ଼ିଶାର ଭବିଷ୍ୟତ କିଛି ନାହିଁ ବୋଲି ବିଜେପି ହାତ ଧରିବା ପରେ ଶ୍ରୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ନରେନ୍ଦ୍ର ମୋଦିଙ୍କ ପ୍ରତି ଆକୃଷ୍ଟ ହୋଇ ବିଜେପିରେ ମିଶିଥିବା କହିଛନ୍ତି ପ୍ରକାଶ ମିଶ୍ର ।