ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ କି ଓଡ଼ିଆ ମାଟିର ସନ୍ତାନ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ସମ୍ମାନ ରଖିଦେଲେ । ମହତାବଙ୍କ ଭଳି ବରପୁତ୍ରଙ୍କୁ ସରକାରୀ ପୋର୍ଟାଲରେ ଜାଗା ଦେବାକୁ ନବୀନ ସରକାରଙ୍କ ମନ ଯାଉ ନ ଥିଲା । ବିଜୁବାବୁ, ନନ୍ଦିନୀ ଶତପଥୀ କି ନୀଳମଣି ରାଉତରାୟଙ୍କଠାରୁ ହୀନ ହୋଇଥିଲେ ମହତାବ । ଆମ ପାଇଁ ଦୁର୍ଭାଗ୍ୟର କଥା ଯେ ମହତାବଙ୍କୁ ଏଇ ଟିକକ ସମ୍ମାନ ଦେବାକୁ ସରକାରଙ୍କ ପାଖରେ ବାରମ୍ବାର ଦାବି କରିବାକୁ ପଡ଼ିଲା । ଆଉ ଏହି ଦାବିକୁ ଅଣଦେଖା କରି ଆସୁଥିବା ନବୀନ ସରକାରଙ୍କୁ ଶେଷରେ ଧର୍ମେନ୍ଦ୍ରଙ୍କ ମୈଲମ୍ କାମ କଲା । ମହତାବଙ୍କ ୱାଜିବ୍ ହକ୍ ପାଇଁ କାକୁତୀମିନତୀ ହେବାକୁ ପଡ଼ିଲା ।
ବିଜୁ ଜନତା ଦଳ ଓ ଏହାର ନେତା ନବୀନ ପଟ୍ଟନାୟକ ଓଡ଼ିଆ ପ୍ରୀତିରେ ଉବୁଟୁବୁ ହେଉଛନ୍ତି । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ପାଳନକୁ ୨୦ ବର୍ଷ ଥିଲେ ବି ଏବେଠାରୁ ପ୍ରସ୍ତୁତିରେ ଲାଗିପଡ଼ିଲେଣି । ଓଡ଼ିଆ ଜାତିର ସ୍ୱାଭିମାନକୁ ସେମାନେ ସମୃଦ୍ଧ କରିବେ । ଓଡ଼ିଆ ବରପୁତ୍ରମାନଙ୍କୁ ଖୋଜି ଖୋଜି ବାହାର କରିବେ ଏବଂ ଲୋକଙ୍କ ପାଖରେ ସେମାନଙ୍କ ସ୍ମୃତି ଉଜ୍ଜୀବିତ କରାଇବେ । ଗତ ଡିସେମ୍ବର ୨୬ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଅବଶ୍ୟ ଚଳିତବର୍ଷ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପଡୁଥିବାରୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ପାଳନକୁ ରାଜନୈତିକ ଚାଲ୍ ରେ ଯୋଡାଯାଇଛି । ତେବେ ସେ ଯାହା ହେଉ, ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ବିଜେଡ଼ି ଓ ସରକାରଙ୍କ ପକ୍ଷରୁ ଧୂମ୍ଧାମ୍ ପ୍ରସ୍ତୁତି ଚାଲିଥିବା ବେଳେ ସାମାନ୍ୟ ସରକାରୀ ପୋର୍ଟାଲ୍ରେ ମହତାବଙ୍କୁ ସ୍ଥାନ ଦେବାକୁ ଉଚିତ୍ ମଣି ନ ଥିଲେ ବିଜେଡ଼ି ସରକାର ।
ବିଜୁବାବୁ ଓଡ଼ିଶାର ମହାନ୍ ବରପୁତ୍ର ତାହା କେହି ଅସ୍ୱୀକାର କରିବେନି । ତା ବୋଲି ମହତାବ ତାଙ୍କଠାରୁ ସରକାରୀ ପୋର୍ଟାଲ୍ ରେ ସ୍ଥାନ ପାଇବାକୁ ଅଯୋଗ୍ୟ ତାହା ଭାବିଲେ ମନ ଛୋଟ ହୋଇଯାଉଛି । ଦଳମତକୁ ଧରି ମହତାବଙ୍କ କଥା ମନେଇବାକୁ ବିଜେଡ଼ି ସରକାରଙ୍କ ଯଦି ଇଚ୍ଛା ନ ହେଲା ତେବେ ତାଙ୍କ ପୁଅ ଭର୍ତ୍ତୃହରି ବାପାଙ୍କ କଥା ଭୁଲିଗଲେ କେମିତି? ଭର୍ତ୍ତୃହରି ବାବୁ ବିଜେଡ଼ିର ଛୋକାଟିଆ ଲୋକ ନୁହଁ । ପାର୍ଲିଆମେଣ୍ଟରେ ବିଜେଡ଼ିର ନେତା ସିଏ । ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ କଥା ବହୁତ ଗପୁଛନ୍ତି ପାର୍ଲିଆମେଣ୍ଟରେ । ବିଜୁବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଗର୍ଜନ କରୁଛନ୍ତି । ମାତ୍ର ପୁଅ ହିସାବରେ ବାପାଙ୍କ କଥା ଭୁଲିଯିବାକୁ ଛିଛାକର କରୁଛନ୍ତି ଓଡ଼ିଶାବାସୀ ।
ତାଙ୍କ ବାପା ଯେ ଓଡ଼ିଶାର ଜଣେ ସୁଯୋଗ୍ୟ ଓ ମହାନ୍ ବରପୁତ୍ର ସେକଥା ଭର୍ତ୍ତୃହରି ଜାଣିଥିଲେ ତାଙ୍କ ବିବେକର ସ୍ୱର ଚପିଯାଇ ନ ଥାଆନ୍ତା । ସ୍ୱର୍ଗତ୍ ମହାନ୍ ପିତାଙ୍କ ପାଇଁ ସୁନାର ହାତୀ ଘୋଡା ଦେଉ ନ ଥିଲେ ଭର୍ତ୍ତୃହରି । କେବଳ ବାପାଙ୍କୁ ସରକାରୀ ପୋର୍ଟାଲ୍ ରେ ଜାଗା ଟିକେ ଦେବାକୁ ଗୁହାରି କରିପାରିଥାଆନ୍ତେ । ମାତ୍ର କ୍ଷମତାର ମୋହ ଆଗରେ ବାପାଙ୍କ ସମ୍ମାନକୁ ବନ୍ଧା ପକାଇବାକୁ ସାହାସ କରିପାରିଲେ ଭର୍ତ୍ତୃହରି । ହୁଏତ୍ ନେତା ନବୀନଙ୍କଠାରୁ ବାପାଙ୍କ ହକ୍ ଆଣିପାରିଥିଲେ ଭର୍ତ୍ତୃହରି ନିଜର ସମ୍ମାନ ବଢ଼ାଇ ପାରିଥାଆନ୍ତେ । ଆଉ ବାପାଙ୍କ ସ୍ୱର୍ଗତ୍ ଆତ୍ମାକୁ ଶାନ୍ତି ଦେଇପାରିଥାଆନ୍ତେ । ସେହି କାମ ଧର୍ମେନ୍ଦ୍ର ପ୍ରଧାନ କରିଥିବାରୁ ଭର୍ତ୍ତୃହରି ତାଙ୍କ ପାଖରେ ଋଣୀ ହେବା ଦରକାର । ଆଉ ବାପାଙ୍କ ସ୍ମୃତିକୁ କିଭଳି ସମ୍ମାନ ଦିଆଯାଇପାରେ ତାହା ନେତା ନବୀନ ପଟ୍ଟନାୟକଙ୍କ ପାଖରୁ ଶିକ୍ଷା ଲାଭ କଲେ ଭର୍ତ୍ତୃହରିଙ୍କ ଜୀବନ ସାର୍ଥକ ହୋଇପାରନ୍ତା ।