ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରର ସାଣ୍ଡି ଟାୱାର ହୋଟେଲରେ ସାମ୍ବାଦିକମାନଙ୍କ ସହ ଏକ ମତ ବିନିୟମ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ବ୍ୟକ୍ତିଗତ ଭାବେ ସବୁ ଖବରକାଗଜ, ଟିଭିର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକମାନଙ୍କୁ ସେଠାକୁ ଆମନ୍ତ୍ରଣ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କର ଏଭଳି ମେଗା ଗେଟ୍ ଟୁଗେଦର କାର୍ଯ୍ୟକ୍ରମ ପ୍ରଥମ ବୋଲି କୁହାଯାଉଛି । କେନ୍ଦ୍ର ସରକାର ଓଡ଼ିଶା ପାଇଁ କ’ଣ କରିଛନ୍ତି ଏବଂ ଆଗକୁ କ’ଣ କରିବେ ଦୀର୍ଘ ଦେଢ଼ ଘଣ୍ଟା ଧରି ବଖାଣିଥିଲେ କେନ୍ଦ୍ରମନ୍ତ୍ରୀ ।
ତେବେ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୌଣସି ବିବାଦୀୟ ପ୍ରସଙ୍ଗକୁ ଛୁଇଁ ନ ଥିଲେ ଧର୍ମେନ୍ଦ୍ର । ବିଶେଷ କରି ରାଜନୈତିକ ପ୍ରସଙ୍ଗଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ । ସାମ୍ବାଦିକମାନେ ଉଖୁରେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଧର୍ମେନ୍ଦ୍ର ତାଙ୍କର ଚିରାଚରିତ ଢ଼ଙ୍ଗରୁ ବାହାରି ଟିକେ ସଂଜମତା ଦେଖାଇଥିଲେ । ରାଜ୍ୟରେ ଚିଟଫଣ୍ଡ ଓ ଖଣି ଦୁର୍ନୀତି ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତର ସାମ୍ବାଦିକମାନେ ଜାଣିବାକୁ ଚାହିଁବାରୁ ଧର୍ମେନ୍ଦ୍ର କଥା ବୁଲାଇଥିଲେ । କହିଥିଲେ, ‘ମୁଁ ଏଠାକୁ ପଲିଟିକାଲ୍ କଥା କହିବାକୁ ଆସିନି । ସେ ବିଷୟରେ ଆଲୋଚନା କରିବାକୁ ଏହା ଉପଯୁକ୍ତ ପ୍ଲାଟଫର୍ମ ନୁହେଁ । ଜନସାଧାରଣ, ଜଗନ୍ନାଥ ଓ ଆପଣମାନଙ୍କ ଆର୍ଶିବାଦରୁ ମୁଁ କେନ୍ଦ୍ରମନ୍ତ୍ରୀ ଭାବେ ୪ ବର୍ଷ ରହିଲିଣି । ଆଗକୁ କ’ଣ ହେବ କହିହେବନି । ତେବେ ଓଡ଼ିଶାରେ ବହୁତ ସମ୍ଭାବନା ରହିଛି ।’







