ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ‘ମୌସୁମୀ’ । ସ୍ୱାଭାବିକ ସମୟର ଦୁଇଦିନ ଆଗରୁ ଆଜି ଓଡ଼ିଶାକୁ ଏହା ପ୍ରବେଶ କରିଛି । ମାଲକାନଗିରିରୁ ଆରମ୍ଭ ହୋଇ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦକ୍ଷିଣ ଓଡ଼ିଶାକୁ ଛୁଇଁବ ମୌସୁମୀ । ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟରେ ମୌସୁମୀ ପ୍ରବାହ ସାଙ୍ଗକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ରାତିଠାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।