ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜୁତିଦାରରେ ଥିବା ରାଜ୍ୟ ବିଜେପିର କୋଣଠେସା ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ତାଙ୍କ ମନର କଥା ଖୋଲିଛନ୍ତି । ‘ବିଜେପିରେ ବରିଷ୍ଠ ନେତା ଅଲୋଡା ହୋଇପଡ଼ିଛନ୍ତି । ଅଲୋଡ଼ାଙ୍କ ସଂଖ୍ୟା ବଢ଼ିଚାଲିଛି । ଅଭିଜ୍ଞ ଓ ପୁରୁଖା ନେତାଙ୍କ ମନରେ ଆଶଙ୍କା ଓ ସନ୍ଦେହ ବଢ଼ୁଛି’ ବୋଲି ବିଜୟ କହିଛନ୍ତି । ଖାଲି ସେତିକି ନୁହେଁ, ଓଡ଼ିଶାରେ ବିଜେପିର ୧୨୦ ପ୍ଲସ୍ ମିଶନ୍ କୁ ଠାରରେ ଗ୍ରହଣ କରିପାରିନାହାନ୍ତି ସେ । କେନ୍ଦ୍ରୀୟ ନେତା ଓ ମନ୍ତ୍ରୀମାନେ ଓଡ଼ିଶାର ବାସ୍ତବ ରାଜନୈତିକ ସ୍ଥିତି ଜାଣନ୍ତୁ ବୋଲି ବିଜୟ ପରାମର୍ଶ ଦେଇଛନ୍ତି । ଯାଜପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳର ସମୀକ୍ଷା ହେଉ କହି ବିଜେପି ମୁଣ୍ଡିଆଳମାନଙ୍କ ଗାଲରେ ଚୂନ ବୋଳିଛନ୍ତି ।
ବିଜୟ ମହାପାତ୍ରଙ୍କ ଏହି ମନ୍ତବ୍ୟ ଧର୍ମେନ୍ଦ୍ରଙ୍କ ଶିବିରକୁ ଚହଲେଇଦେଇଛି । ବିଜୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚାଟୁକାରମାନେ ଚୁଗୁଲି ଆରମ୍ଭ କରିଛନ୍ତି । ଦିଲ୍ଲୀ ନେତୃତ୍ୱ ପାଖରେ ଫେରାଦ ହୋଇ ଧର୍ମେନ୍ଦ୍ରଙ୍କୁ ଖୁସି କରାଇବାକୁ ସେମାନେ ଚାହିଁଛନ୍ତି । ତେବେ ସେହି ଗୋଷ୍ଠୀର ଆଉ କିଛି ଘନିଷ୍ଠ ଚାଟୁକାର ବିଜୟଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମୂଳରୁ ନାହାନ୍ତି । ବିଜୟଙ୍କୁ ଦଳରେ ପକେଇ ପକେଇ ସଢ଼େଇ ଦେବାକୁ ସେମାନେ ବିକଳ୍ପ କୌଶଳ ଧରିଛନ୍ତି । ସମ୍ଭବତଃ ଏହି ଦ୍ୱିତୀୟ କୌଶଳ ଦିଲ୍ଲୀମନ୍ତ୍ରୀଙ୍କ ମନକୁ ପାଇଛି । ସେହି ଅନୁଯାୟୀ ବିଜୟଙ୍କ କ୍ଷେତ୍ରରେ ବିଜେପି ହାଇକମାଣ୍ଡ ଏ ପର୍ଯ୍ୟନ୍ତ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି । ବିଜୟ ଯେ ଏହାର ଗନ୍ଧ ପାଇ ନ ଥିବେ ତାହା ନୁହେଁ । ମାତ୍ର ତାଙ୍କ ପାଖରେ ତ୍ୱରିତ ବିକଳ୍ପ ନ ଥିବାରୁ ହୁଏତ ପଦ୍ମ ଛାଇ ତଳୁ ମୁଣ୍ଡ କାଢ଼ି ପାରୁନାହାନ୍ତି ।
ତେବେ ଖାଲି ବିଜୟ ନୁହଁନ୍ତି, ଦଳର ଅଧିକାଂଶ ବରିଷ୍ଠ ନେତା ଏବେ ସମଦଶା ଭୋଗୁଛନ୍ତି । ବିଜୟଙ୍କ ଖୁଲମ୍ ଖୋଲା ମନ୍ତବ୍ୟ ସେମାନଙ୍କୁ ଉତ୍ସାହିତ କରିଛି । ଖୋଲାଖୋଲି ସେମାନେ ଗଣମାଧ୍ୟମକୁ ଆସିବାକୁ ଚାହିଁ ନ ଥିଲେ ମଧ୍ୟ ଧର୍ମେନ୍ଦ୍ର ଶିବିରର ମନମାନି ଓ ଆତଙ୍କରାଜରେ ତ୍ରାହି ତ୍ରାହି ଡାକିଛନ୍ତି । ବିଜେପି ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକାରୁ ଦଳର ହୀନମାନ କିଭଳି ଅବସ୍ଥାକୁ ଯାଇଛି ତାହା ଭଲଭାବେ ବୁଝିପାରୁଥିବେ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି । ସମୟ ଆସିଛି ସେମାନେ ଉତ୍ପାତ କରୁଛନ୍ତି । ନିର୍ବାଚନ ବେଳେ ସେମାନଙ୍କ ତୋଡ଼ ଭାଙ୍ଗିଯିବ ବୋଲି ସେ ସତର୍କ କରାଇଛନ୍ତି ।
ରାଜନୈତିକ ପଣ୍ଡିତଙ୍କ କହିବାନୁଯାୟୀ, ଅର୍ଥବଳ ଓ ଅହଂକାରରେ ଭୋଟ ଜିତି ହୁଏନି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନୂଆପଡ଼ାରେ ଦଳ ତିନି ନମ୍ବରରେ ରହିବା ପରେ ବି ନେତାଙ୍କ ଅହଂକାର କମିନି । ଏହି ପରିପ୍ରେକ୍ଷୀରେ ଯାଜପୁର ପଞ୍ଚାୟତ ଉପନିର୍ବାଚନ ଫଳର ସମୀକ୍ଷା ପାଇଁ ବିଜୟ ମହାପାତ୍ରଙ୍କ ଆହ୍ୱାନ ଅନେକ କଥା ସଙ୍କେତ ଦେଉଛି ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବିଝାଂରପୁର ବ୍ଲକ୍ ଅରେଇ ପଂଚାୟତର ୪ ନଂ ୱାର୍ଡରେ ଗତ ମାସରେ ଅନୁଷ୍ଠିତ ୱାର୍ଡମେମ୍ବର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ କାଳନ୍ଦୀ ଜେନା ବିଜେଡ଼ି ପ୍ରାର୍ଥୀ ମେଘନାଦ ଜେନାଙ୍କଠାରୁ ପରାସ୍ତ ହୋଇଥିଲେ । ନିର୍ଦ୍ଦିଷ୍ଟ ଭାବେ ଏହି ୱାର୍ଡକୁ ଜୁଲାଇ ୫ ତାରିଖରେ ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନ ‘ମୋ ବୁଥ୍ ସବୁଠୁ ମଜବୁତ’ କାର୍ଯ୍ୟକ୍ରମରେ ଆସିଥିଲେ । ସୁତରାଂ ୱାର୍ଡମେମ୍ବର ସିଟ୍ ଖଣ୍ଡେ ବି ଜିତାଇପାରିଲେନି ଶାହା-ଧର୍ମେନ୍ଦ୍ର ଯୋଡି । ଖାଲି ବିଝାରପୁର ନୁହେଁ, ସୁକିନ୍ଦାର ହରିପୁର ଓ ବର୍ତଣ୍ଡା ଗ୍ରାମପଞ୍ଚାୟତ ଉପନିର୍ବାଚନରେ ବି ବିଜେପି ଚିତପଟାଙ୍ଗ ମାରିଛି । ଯାଜପୁର ଜିଲ୍ଲାରେ ବିଜେଡ଼ିର ପ୍ରବଳ ଗୋଷ୍ଠୀକନ୍ଦଳ, ବିଜେପିର ବିଜେଡ଼ି ବଡ଼ଶିକାର, ବିଜେପି ବଡ଼ବଡ଼ିଆଙ୍କ ଘନ ଘନ ଅଞ୍ଚଳ ଗସ୍ତ ଓ ପ୍ରଚାର ସତ୍ତ୍ୱେ ବିଜେପି ନିଜ ସ୍ଥିତି ସମ୍ଭାଳିପାରିନି । ସେଥିରେ ପୁଣି ମିଶନ୍ ୧୨୦ ପ୍ଲସ୍ ? ଏୟା ହିଁ କହିବାକୁ ଚାହିଁଛନ୍ତି ବିଜୟ ମହାପାତ୍ର ।