ଭୁବନେଶ୍ୱର: ସୋହେଲାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ଫାୟାରିଂ ଘଟଣାକୁ ନେଇ ବିଜେଡ଼ି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଘଟଣା ପଛରେ ବିଜେପିର ହାତ ଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ଉପରେ ରାଗି ନିଆଁ ହୋଇଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସଂଧ୍ୟାରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ‘ହିଂସାର ମହାନାୟକ’ ବୋଲି ଆକ୍ଷେପ କରିବା ସହ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଧମକାଇଛନ୍ତି । ‘ଆପଣଙ୍କ ସିସୋର ଭାଗିଦାରୀ ଲୁଚିଯିବ ବୋଲି ଭାବନ୍ତୁନୁ । ବେନାମୀ ସମ୍ପତ୍ତି ଜବତ ନେଇ ଆଇନ ଆସୁଛି । କାହାର କେତେ ବେନାମୀ ସମ୍ପତ୍ତି ଅଛି ପଦାକୁ ଆସିବ’ ବୋଲି ଧର୍ମେନ୍ଦ୍ର ଧମକେଇଛନ୍ତି ।
ସୂଚନାଯୋଗ୍ୟ, ମନ୍ତ୍ରୀଙ୍କ ଭାଇଙ୍କୁ ଫାୟାରିଂ ଘଟଣା ପଛରେ ବିଜେପିର ସଂପୃକ୍ତି କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ବାସୁଦେବ ନାୟକ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ପ୍ରାର୍ଥୀ ଥିଲେ ବୋଲି ଆଇଜି ସୂଚନା ଦେଲେଣି । ଖାଲି ସେତିକି ନୁହେଁ ଏହି ଘଟଣା ପଛରେ ଜଣେ ପୂର୍ବତନ ବିଧାୟକଙ୍କ ହାତ ଥିବା ମଧ୍ୟ ପୁଲିସ ଜାଣିସାରିଲାଣି । ଆଇଜି ତାଙ୍କ ନାଁ ନେଇ ନ ଥିଲେ ମଧ୍ୟ ସେହି ପୂର୍ବତନ ବିଧାୟକଜଣଙ୍କ କିଏ ତାହା ମଧ୍ୟ ସ୍ଥାନୀୟ ଲୋକେ ଜାଣିଛନ୍ତି । ତେବେ ପୁଲିସର ତଦନ୍ତ ଏବଂ ସ୍ଥାନୀୟବାସୀଙ୍କ ମତାମତକୁ ଭ୍ରୃକ୍ଷେପ କରିନାହାନ୍ତି କେନ୍ଦ୍ରମନ୍ତ୍ରୀ । ଘଟଣାରେ ବିଜେପିର ସଂପୃକ୍ତି ନାହିଁ ବୋଲି କହି ବିଜେଡ଼ି ଉପରେ ରକ୍ତ ଚାଉଳ ଚୋବାଇଛନ୍ତି ।
ରାତି ପାହିଲେ ବିଜେପୁର ଉପନିର୍ବାଚନ । ଏତିକିବେଳେ ବିଜେଡ଼ି ପାଇଁ ବିଜେପୁର ଗଡ଼ ସମ୍ଭାଳୁଥିବା ଭଟଲୀ ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ଆକ୍ରମଣକୁ ନେଇ ବିଜେଡ଼ି-ବିଜେପି ଛକାପଂଝା ରାଜନୀତି ବାଡ଼ ମାନିନି । ଆଜି ଦିନବେଳେ ବରଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ଗୁଳିକାଣ୍ଡ ପଛରେ ବିଜେପିର ସମ୍ପୂର୍ଣ୍ଣ ହାତ ଥିବା କହିଥିଲେ । ବିଜେପୁରରୁ ସୁଶାନ୍ତ ସିଂଙ୍କୁ ତଡ଼ିପାର କରିବାକୁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବାର କିଛି ଘଣ୍ଟା ପରେ ସୁଶାନ୍ତଙ୍କ ଭାଇଙ୍କୁ ଆକ୍ରମଣ ତାହାର ସ୍ପଷ୍ଟ ପ୍ରମାଣ ବୋଲି ସେ କହିଥିଲେ । ତେବେ ପଦ୍ମପୁରର ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଟେଣ୍ଡର ପଇସା ଭାଗବଣ୍ଟରାକୁ ନେଇ ଗୁଳିକାଣ୍ଡ ଘଟିଥିବା କହୁଥିବା ବେଳେ ତାଙ୍କ ନେତା କିନ୍ତୁ କୌଣସି କଥା ଶୁଣିନାହାନ୍ତି । ସିଧା ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି ।
ବିଜେପୁର ଉପନିର୍ବାଚନ ଦୃଶ୍ୟପଟରେ କେନ୍ଦ୍ରମନ୍ତ୍ରୀଙ୍କ ଧମକ ରାଜନୀତି ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଖବର ଅନୁଯାୟୀ, ଗତକାଲି ବରଗଡ଼ରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିବା ବେଳେ ସିଧାସଳଖ ଧମକେଇଥିଲେ । ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କ ରାଗକୁ ଧୈର୍ଯ୍ୟର ସହ ଶୁଣିଥିଲେ ମଧ୍ୟ ପରେ ତାଙ୍କର ଧୈର୍ଯ୍ୟଚ୍ୟୁତି ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ କହିଥିଲେ ‘ସାର୍ ଆପଣ ବହୁତ କଥା କହିଲେଣି । ଆପଣଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି । ହେଲେ ଆପଣ ବି ଭୁଲିଯିବା ଉଚିତ୍ ନୁହେଁ କି ମୁଁ ଏଠିକା ଡିଷ୍ଟ୍ରିଟ୍ ମାଜିଷ୍ଟ୍ରେଟ୍ ଏବଂ ଉପନିର୍ବାଚନ ରିଟର୍ଣ୍ଣିଂ ଅଫିସର । ମୋ କ୍ଷମତା ବଳରେ ମୁଁ ବହୁତ କିଛି କରିପାରିବି ।’ ଖାଲି ସେତିକି ନୁହେଁ ପ୍ରତିନିଧିମଣ୍ଡଳୀରେ ଥିବା ଜଣେ ନେତା ତାଙ୍କୁ ତାତ୍ସଲ୍ୟ ଢ଼ଙ୍ଗରେ ‘ଯାମିନୀ ମାଡାମ୍’ ବୋଲି ବାରମ୍ବାର ସମ୍ବୋଧନ କରିବାରୁ ଜିଲ୍ଲାପାଳ ଉତକ୍ଷିପ୍ତ ହୋଇପଡ଼ିଥିଲେ । ଜଣେ ଜିଲ୍ଲାପାଳଙ୍କୁ ତାଙ୍କ ଅଫିସରେ କିଭଳି ବ୍ୟବହାର କରାହୁଏ ସେହି ସୌଜନ୍ୟତା ଆପଣ ଶିଖିବା ଦରକାର ବୋଲି ପରାମର୍ଶ ଦେଇ ‘ମାଡାମ୍’ ଡାକନ୍ତୁ ବୋଲି ତାଗିଦ୍ କରିଥିଲେ । ଘଟଣାଟି ଅଫିସରମହଲରେ ଚର୍ଚ୍ଚାର ବିଷୟ ହୋଇଛି ।