ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଲୋକ ଶାରଦା ଶତପଥୀଙ୍କୁ ରାଜ୍ୟ ସଂଗଠନ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନ ନେଇଛନ୍ତି ମାନସ ମହାନ୍ତି । ମାନସ କାହା ଲୋକ ନୁହଁନ୍ତି । ବଜରଙ୍ଗ ଦଳ ଓ ଆରଏସଏସ୍ ର ଜଣେ ସଚ୍ଚା କର୍ମୀ ଭାବେ ଏକଦମ୍ ଷ୍ଟ୍ରେଟ୍ ଫରୱାର୍ଡ । ରାଜ୍ୟରେ ବଜରଙ୍ଗ ଦଳ ସଂଯୋଜକ ଏବଂ ଆରଏସଏସ କଟକ ଜିଲ୍ଲା ପ୍ରଚାରକ ଦାୟିତ୍ୱରେ ଥିଲେ । ଓଡ଼ିଶାରେ ବିଜେପିର ଯେଉଁଭଳି ଅବସ୍ଥା ତାକୁ ସମ୍ଭାଳିବା ପାଇଁ ରାଜ୍ୟ ଆରଏସଏସ୍ ଖାଲି ତାଙ୍କୁ ଉପଯୁକ୍ତ ମନେ କରିନି ବରଂ ତାଙ୍କ ପାଇଁ ଅନ୍ୟ ସବୁ ଲବିକୁ ଟାଳି ଦେଇଛି ।
ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶାରଦାଙ୍କୁ ସାଂଗଠନିକ ମନ୍ତ୍ରୀ ଦାୟିତ୍ୱରୁ ହଟାଇବା ପାଇଁ ହାଇକମାଣ୍ଡ ମନସ୍ଥିର କଲା ପରେ ତାଙ୍କ ଜାଗାକୁ ସୁନୀଲ ମହାନ୍ତିଙ୍କୁ ଆଣିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଚାହୁଁଥିଲେ । ଅରୁଣାଚଳ ପ୍ରଦେଶ ସଂଗଠନ ଦାୟିତ୍ୱରେ ଥିବା ସୁନୀଲଙ୍କର ଦକ୍ଷତା ଉପରେ କାହାରି ପ୍ରଶ୍ନ ନ ଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ଲବି ତାଙ୍କ ପାଇଁ କଣ୍ଟା ହେଲା । ଶାରଦାଙ୍କ ଭଳି ନିର୍ଦ୍ଦିଷ୍ଟ ଗୋଷ୍ଠୀ ତୁଷ୍ଟିକରଣ ରାଜନୀତିକୁ ହାଇକମାଣ୍ଡ ଆଉ ପସନ୍ଦ କରି ନ ଥିଲେ । ଓଡ଼ିଶାରେ ଏହା ଦଳ ପାଇଁ ଘାତକ ପ୍ରମାଣିତ ହୋଇଥିବାରୁ ତାହାର ପୁନରାବୃତ୍ତି ନ ହେବା ପାଇଁ ସୁନୀଲ ମହାନ୍ତିଙ୍କ ନାଁକୁ ଏଡ଼ାଇ ଦେଇଥିଲେ ।
ବିଜେପିର ଜଣେ ବରିଷ୍ଠ ନେତାଙ୍କ ମତରେ, ସୁନୀଲଙ୍କ ଭଳି ମାନସଙ୍କର ମଧ୍ୟ ଅନୁରୂପ ଦକ୍ଷତା ରହିଛି । ତାଙ୍କର ବଡ଼ ପ୍ଲସ୍ ପଏଣ୍ଟ ହେଉଛି ସେ ‘ହାଁ ଜି’ କରିବା ଲୋକ ନୁହଁନ୍ତି । ସଂଗଠନ ପାଇଁ ଯାହା ଠିକ୍ ତାହା ସବୁବେଳେ କରିଥାଆନ୍ତି । ତାଙ୍କ ରକ୍ତରେ ସଂଗଠନ ଭରି ରହିଥିବାରୁ ଓଡ଼ିଶା ବିଜେପିକୁ ସେ ନିଶ୍ଚିତ ଶକ୍ତିଶାଳୀ କରିପାରିବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ମାନସଙ୍କ ନିଯୁକ୍ତିକୁ ସାଦରେ ଗ୍ରହଣ କରିପାରୁନାହାନ୍ତି । ମନରେ କଷ୍ଟ ଥିଲେ ମଧ୍ୟ ତାହାକୁ ପ୍ରକାଶ ବି କରିପାରୁନାହାନ୍ତି ।
ସୂଚନାଯୋଗ୍ୟ, ଶାରଦା ପ୍ରସାଦ ଶତପଥୀ ସଂଗଠନ ସମ୍ପାଦକ(ମନ୍ତ୍ରୀ) ଦାୟିତ୍ୱ ନେଲା ପରଠୁ ବିଜେପିକୁ ଶକ୍ତିଶାଳୀ କରିବା ପରିବର୍ତ୍ତେ ଦୁର୍ବଳ କରିଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଗୋଷ୍ଠୀ ଦ୍ୱାରା ସେ ନିଜକୁ ପରିଚାଳିତ କରୁଥିଲେ । ସେମାନଙ୍କ କଥାରେ ବସଉଠ ହେଉଥିଲେ । ନିଜ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ସେ ନିଜକୁ ଗୋଷ୍ଠୀଭୁକ୍ତ କରି ଦଳର ସ୍ୱାର୍ଥକୁ ଆଖି ବୁଜିଦେଇଥିଲେ । ପଞ୍ଚାନନ ରାଉତ ହୁଅନ୍ତୁ କି ପ୍ରସନ୍ନ ମିଶ୍ର ହୁଅନ୍ତୁ ସଂଗଠନ ମନ୍ତ୍ରୀର ଯେଉଁ ଗାରିମା ରଖିଥିଲେ ଶାରଦା ତାହାକୁ ନଷ୍ଟଭ୍ରଷ୍ଟ କରିଦେଲେ । ଫଳ ହେଲା ସଂଗଠନ ଦିନକୁ ଦିନ ଦୁର୍ବଳ ହୋଇଗଲା । ଏକଥା ହାଇକମାଣ୍ଡ ହୃଦୟଙ୍ଗମ କଲା ପରେ ଶାରଦାଙ୍କୁ ବିଦା କରିଛନ୍ତି ।