ଭୁବନେଶ୍ୱର: ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ପୁଣି ଏକ ଗୌରବର ଅଧିକାରୀ ହୋଇଛନ୍ତି । ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ୍(ଇଣ୍ଡିଆନ୍ ଷ୍ଟୁଡେଣ୍ଟ ପାର୍ଲିଆମେଣ୍ଟ) ଓ ଏମଆଇଟି-ଡବ୍ଲୁପିୟୁ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଆଇଡିଆଲ୍ ସିଏମ୍’ ସମ୍ମାନ ପାଇଁ ମନୋନୀତ କରାଯାଇଛି । ଦୃଢ଼ ସଂକଳ୍ପବୋଧ, ସ୍ୱଚ୍ଛ ଶାସନ, ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ତଥା ଓଡ଼ିଶାକୁ ଏକ ଅଗ୍ରଣୀ ଓ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାର ପ୍ରତିଶ୍ରୁତିବଦ୍ଧତା ପାଇଁ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରର ପୁନେ ସହରସ୍ଥିତ ଏମଆଇଟି-ଡବ୍ଲୁପିୟୁ କ୍ୟାମ୍ପସ୍ ରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ନବୀନ ଏହି ପୁରସ୍କାର ଗ୍ରହଣ କରିବେ ।
ପୁରସ୍କାର ଗ୍ରହଣ ପାଇଁ ଆସନ୍ତାକାଲି ଭୁବନେଶ୍ୱର ଛାଡୁଥିବା ମୁଖ୍ୟମନ୍ତ୍ରୀ ୨୨ ତାରିଖରେ ଫେରିବେ । ସେଦିନ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ଅଭିନନ୍ଦନ ପାଇଁ ବିଜେଡ଼ି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ଆଣିବେ ଦଳୀୟ ନେତା ଓ କର୍ମୀ । ଆଖିଦୃଶିଆ ଗହଳି ପାଇଁ ସମସ୍ତେ ଲାଗିପଡ଼ିଲେଣି । ଶକ୍ତି ପ୍ରଦର୍ଶନ ପାଇଁ ଏଭଳି ମୌକା ପାଇ ଦଳୀୟ ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ବିଧାୟକମାନେ ନିଜ ନିଜ ଅଞ୍ଚଳରୁ କର୍ମୀଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରୁଛନ୍ତି । ନବୀନଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ବିଜେଡ଼ିକୁ ଆଗାମୀ ନିର୍ବାଚନ ପ୍ରଚାରର ମୁଖ୍ୟ ଅସ୍ତ୍ର କରିଥିଲା ବେଳେ ନେତା ଓ କର୍ମୀଙ୍କ ଛାତି କୁଣ୍ଢେମୋଟ କରିଛି ।