ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ବିଜେଡ଼ି ଜିଲ୍ଲା ସଭାପତି ଧ୍ରୁବ ସାହୁ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗତକାଲି ଦେଇଥିବା ରିପୋର୍ଟରେ ବୈଜୟନ୍ତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଜିଲ୍ଲାରେ ଦଳ ସହ ସେ ସମ୍ପର୍କରେ ନାହାନ୍ତି କି କୌଣସି କାର୍ଯ୍ୟକ୍ରମରେ ଯୋଗଦେଉନାହାନ୍ତି । ଓଲଟି ବିଜେଡ଼ି ଅସନ୍ତୁଷ୍ଟଙ୍କୁ ମେଳି କରି ବିଜେପିରେ ଯୋଗଦେବାକୁ ପ୍ରବର୍ତ୍ତୋଉଛନ୍ତି । ଆଗକୁ ନିର୍ବାଚନ ଥିବାରୁ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଜରୁରୀ । ନହେଲେ ଦଳ କ୍ଷତିଗ୍ରସ୍ତ ହେବ ବୋଲି ଧ୍ରୁବ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।
ସେ ଲେଖିଛନ୍ତି, ତୃଣମୂଳ କର୍ମୀଙ୍କ ସହ ବୈଜୟନ୍ତଙ୍କର ଆଦୌ ସମ୍ପର୍କ ନାହିଁ । ସାଧାରଣ ଲୋକ କି କର୍ମୀଟିଏ ତାଙ୍କୁ ଦେଖା କରି ସାହାଯ୍ୟ ମାଗିବା କଷ୍ଟକର । ବୈଜୟନ୍ତ ନିଜେ କାହାରିକୁ ଭେଟ ନ ଦେଇ ତାଙ୍କର ଦରମାପ୍ରାପ୍ତ ଚାକିରିଆ ଏବଂ ଗୁଣ୍ଡାଗର୍ଦ୍ଦିରେ ଲିପ୍ତ ଥିବା କିଛି ସମର୍ଥକଙ୍କ ପାଖକୁ ପଠାଇଦିଅନ୍ତି । ବୈଜୟନ୍ତଙ୍କର ଏହି ସମର୍ଥକମାନେ ଲୋକଙ୍କୁ ସାହାଯ୍ୟ ଆଳରେ ହଇରାଣ ହରକତ କରିବା ସହ ବିଜେଡ଼ି ଛାଡ଼ି ଚାଲି ଆସିବାକୁ ଧମକ ଦିଅନ୍ତି । ଏଭଳି ଭାବେ ବିଜେଡ଼ି ଲୋକଙ୍କ ମଧ୍ୟରେ ସାଂସଦ ଅସନ୍ତୋଷ ସୃଷ୍ଟି କରିଚାଲିଛନ୍ତି । ଦଳର ଜିଲ୍ଲା ଏକଜ୍ୟୁଟିଭ୍ ମିଟିଂରେ ସାଂସଦଙ୍କ ପାଦ ପଡୁନି । ଜିଲ୍ଲାରେ ଦଳୀୟ ସଭା ସମିତି କି ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସେ ଆସନ୍ତି ନାହିଁ ।
ବିଜେଡ଼ିରେ ବିଭାଜନ ସୃଷ୍ଟି କରି ଅସନ୍ତୁଷ୍ଟ କର୍ମୀଙ୍କୁ ବିଜେପି ଆଡକୁ ମୁହାଁଇବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଜିଲ୍ଲା ସଭାପତି । କେନ୍ଦ୍ରାପଡ଼ାର ପୂର୍ବତନ ଉପାଧ୍ୟକ୍ଷ ବିଜୟ ବଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ନାୟକ ଏବଂ ପୂର୍ବତନ ରାଜ୍ୟ କାଉନସିଲ୍ ସଭ୍ୟ କୈଳାସ ପରିଡ଼ା ବିଜେଡ଼ି ଛାଡ଼ି ବିଜେପିରେ ମିଶିବା ପଛରେ ବୈଜୟନ୍ତଙ୍କ ଭୂମିକା ରହିଛି ବୋଲି ଜିଲ୍ଲା ସଭାପତି ତାଙ୍କ ରିପୋର୍ଟରେ ଲେଖିଛନ୍ତି । ବୈଜୟନ୍ତଙ୍କ ଦଳ ବିରୋଧୀ କାର୍ଯ୍ୟର ତାଲିକା ଲମ୍ବା ବୋଲି ସଭାପତି ଶ୍ରୀ ସାହୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ତେବେ ଜିଲ୍ଲା ସଭାପତିଙ୍କ ରିପୋର୍ଟ ଉପରେ ବୈଜୟନ୍ତଙ୍କର ପ୍ରତିକ୍ରିୟା ମିଳିନାହିଁ ।