ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ଉପରେ ପ୍ରବଳ ଆଟାକ୍ କରିଛନ୍ତି । ଆଗ ତାଳଚେର ଓ ପରେ ଝାରସୁଗୁଡ଼ା ଅମରିପାଲିରେ ଭାଷଣ ଦେଇ ମୋଦୀ ନବୀନ ସରକାରକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭ୍ରଷ୍ଟାଚାର ଓ ବିଳମ୍ବିତ ନିଷ୍ପତ୍ତି ଓଡ଼ିଶା ସରକାରଙ୍କ ପରିଚୟ ହେଲାଣି । ପିସି ନ ଦେଲେ ଏଠି କାମ ହେଉନି । ଚାରାଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ କାମରେ ଘୋଟାଲା । ଶିଶୁମାତୃ ମୃତ୍ୟୁ, ସ୍ୱାସ୍ଥ୍ୟସେବା ସମସ୍ୟା ଏଠି ଗମ୍ଭୀର । ଏଭଳି ସରକାରର ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ସିଧାସଳଖ ଆହ୍ୱାନ ଦେଇଛନ୍ତି ।
ତାଳଚେର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ପ୍ରଥମେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାକୁ ସମାଲୋଚନା କରିଥିଲେ । ଓଡ଼ିଶାରେ ସ୍ୱାସ୍ଥ୍ୟସେବା କଥା କାହାରିକୁ ଅଛପା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଓଡ଼ିଶା ଆୟୁଷ୍ମାନ୍ ଭାରତ ଯୋଜନାରେ କ’ଣ ପାଇଁ ସାମିଲ ହୋଇନି ବୋଲି ପ୍ରଶ୍ନ କରିଥିଲେ । ନବୀନବାବୁ କାହିଁକି ବୁଝିପାରୁନାହାନ୍ତି ତାହା ମୁଁ ବୁଝିପାରୁନି ବୋଲି ପ୍ରଧାନମନ୍ତ୍ରୀ କଟୁକ୍ତି କରିଥିଲେ । ନବୀନବାବୁଙ୍କୁ ପୁଣି ଥରେ କହୁଛି, ଏ ଯୋଜନାରେ ସାମିଲ ହୁଅନ୍ତୁ । ଗରିବଙ୍କୁ ଲାଭ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ସ୍ୱାସ୍ଥ୍ୟସେବା ସହ ସ୍ୱଚ୍ଛତା ମିଶନରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରଧାନମନ୍ତ୍ରୀ ଅଙ୍ଗୁଳି ଉଠାଇଥିଲେ । ସ୍ୱଚ୍ଛତା ମିଶନ ମାପଦଣ୍ଡରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କଠାରୁ ପଛରେ ପଡ଼ିଛି ବୋଲି କହିଥିଲେ । ନବୀନବାବୁ ଓଡ଼ିଶାର ସ୍ୱଚ୍ଚତାକୁ ପ୍ରାଥମିକତା ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିଭଳ. ରାଜ୍ୟ ସରକାର ବାହାବା ନେଉଥିବା ଟଙ୍କିକିଆ ଚାଉଳକୁ ଟାର୍ଗେଟ୍ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ, ରାଜ୍ୟ ସରକାର ଯେଉଁ ଟଙ୍କିକିଆ ଚାଉଳ ଦେଉଛନ୍ତି ସେଥିରେ କେନ୍ଦ୍ର ସରକାରଙ୍କ ଅବଦାନ ୨୫ ରୁ ୩୦ ଟଙ୍କା । ଯେଉଁଥିପାଇଁ ଓଡ଼ିଶାକୁ ପ୍ରତିମାସରେ କେନ୍ଦ୍ର ସରକାର ୪୫୦ ଟଙ୍କା ଦେଉଛନ୍ତି ।
ତେବେ ଝାରସୁଗୁଡ଼ାରେ ବିମାନବନ୍ଦର ଉଦଘାଟନ ପରେ ଅମଲିପାଲିଠାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଉପରେ ଆହୁରି ଶାଣିତ ହୋଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟରେ ପିସି ଏବେ ପରିଚିତ ନାଁ ହୋଇଯାଇଛି । ଏହି ପିସି ଯୋଗୁଁ ରାଜ୍ୟର ବିକାଶ ହୋଇପାରୁନି । ଚାରାଠାରୁ ରାସ୍ତାଘାଟ ସବୁଠି ଘୋଟାଲା । ରାଜ୍ୟରେ ଭ୍ରଷ୍ଟ ଶାସନ ଚାଲିଛି । ଏହି ସରକାରର ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି । ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗେଇ ନେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସେପଟେ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର ଜବାବ ଦେଇଛି ବିଜେଡ଼ି । ମୋଦୀଙ୍କର ଏହା ନିର୍ବାଚନୀ ପ୍ରଚାର ଓ ଡ୍ରାମାବାଜି ବୋଲି ଦଳର ମୁଖପାତ୍ର କହିଛନ୍ତି ।