ଭୁବନେଶ୍ୱର: ଡେଡିକେସନ୍, ଡିଟରମିନେସନ୍, ଡିଭୋସନ୍ । ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ବିଶ୍ୱାସ ଅତୁଟ ରଖିବା ପାଇଁ ନିଜ ସହଯୋଗୀମାନଙ୍କୁ ଏହି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ମୁହୂର୍ତ୍ତରେ କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏକ ସଶକ୍ତ ଓଡ଼ିଶା ଗଠନରେ ଓଡ଼ିଶାବାସୀଙ୍କ ସହଯୋଗକୁ ସ୍ମରଣ କରି ସେମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଜେଡ଼ି ସରକାରଙ୍କ ଚତୁର୍ଥ ପାଳିର ଚାରି ବର୍ଷ ଆଜିକୁ ପୂରିଥିବାରୁ ସରକାରଙ୍କ କାର୍ଯ୍ୟର ସମୀକ୍ଷା ପାଇଁ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ୧୦ଟି ସଫଳତା ଉପସ୍ଥାପନ କରିଥିଲେ । ଏଥିସହ ଓଡ଼ିଶାକୁ ଆହୁରି ସଶକ୍ତ କରି ଗଢ଼ି ତୋଳିବାକୁ ସହଯୋଗୀଙ୍କ ଉଦ୍ଦେଶ୍ୟରେ ଥ୍ରୀ- ଡ଼ି(ଡେଡିକେସନ୍, ଡିଟରମିନେସନ୍, ଡିଭୋସନ୍) ମନ୍ତ୍ର ଶୁଣାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ସରକାରଙ୍କ ସଫଳତାର ଫର୍ଦ୍ଦ
(୧) ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ସରକାର ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।
(୨) ବାସହୀନଙ୍କ ପାଇଁ ସୁରକ୍ଷା ଯୋଜନା: ଗ୍ରାମ୍ୟ ବାସଗୃହ ଯୋଗାଣରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଉଦାହରଣ ପାଲଟିଛି । ଗତ ୪ ବର୍ଷରେ ୧୭ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି । ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ଅବଶିଷ୍ଟ ୭ ଲକ୍ଷ ଘର ନିର୍ମିତ ହେବ ।
(୩) ଗତ ୪ ବର୍ଷରେ ୨୨,୫୦୦ କିମି ଗ୍ରାମ୍ୟରାସ୍ତା ନିର୍ମାଣ ହୋଇଛି । ବିଜୁ ସେତୁ ଯୋଜନାରେ ୬୦୦ ପୋଲ ନିର୍ମାଣ ହୋଇଛି । କେବିକେ ଅଞ୍ଚଳ ଦେଇ ଉତ୍ତର ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବାକୁ ବିଜୁ ଏକ୍ସପ୍ରେସ୍ୱେ ଲକ୍ଷ୍ୟ ରଖାଯାଇଛି ।
(୪) ଗତ ଦଶନ୍ଧିରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି । ସରକାର ୧୦ ଲକ୍ଷ ହେକ୍ଟର ଚାଷଜମିକୁ ଅତିରିକ୍ତ ଜଳସେଚନର ସୁବିଧା ଦେବାକୁ ଲକ୍ଷ୍ୟ ରଖିଥିଲେ । ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସୁବିଧା ହୋଇପାରିଛି । ଏପ୍ରିଲ ପହିଲା ସୁଦ୍ଧା ଅବଶିଷ୍ଟ ୩ ଲକ୍ଷ ହେକ୍ଟର ଜମିକୁ ଏହି ସୁବିଧା ମିଳିଯିବ । ୧୧୭ ଲକ୍ଷ ମେଟ୍ରିକ୍ ଟନ୍ ସହ ଶସ୍ୟ ଉତ୍ପାଦନରେ ଓଡ଼ିଶା ରେକର୍ଡ ସୃଷ୍ଟି କରିଛି । ଭାଗଚାଷୀଙ୍କୁ ଋଣ ମଧ୍ୟ ସରକାରଙ୍କ ଅନ୍ୟ ଏକ ସଫଳତା ।
(୫) ବସ୍ତିବାସିନ୍ଦାଙ୍କ ପାଇଁ ଜମି ଅଧିକାର ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି । ୧୦ ଲକ୍ଷ ବସ୍ତିବାସିନ୍ଦା ଏଥିରେ ଉପକୃତ ହେବେ ।
(୬) ଦକ୍ଷତା ବିକାଶରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି । ଲକ୍ଷ୍ୟଧାର୍ଯ୍ୟ ୧୧ ଲକ୍ଷ ଯୁବକଯୁବତୀଙ୍କ ମଧ୍ୟରୁ ୯ ଲକ୍ଷ ଯୁବକଯୁବତୀଙ୍କୁ ପ୍ରଶିକ୍ଷିତ କରାଯାଇସାରିଲାଣି ।
(୭) ରାଜ୍ୟରେ ପ୍ରସ୍ତାବିତ ୯ଟି ମେଡ଼ିକାଲ କଲେଜ ମଧ୍ୟରୁ ୪ ଟି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇସାରିଛି । ଆଉ ୫ ଟି ର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
(୮) ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି ।
(୯) ମିଶନ ଶକ୍ତି ଅଧୀନରେ ୭୦ ଲକ୍ଷ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ମମତା ଯୋଜନାରେ ୩୦ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି ।
(୧୦) ଓଡ଼ିଶା ଏବଂ ଭୁବନେଶ୍ୱର ବିଶ୍ୱ କ୍ରୀଡ଼ାର ଲକ୍ଷ୍ୟସ୍ଥଳ ହୋଇପାରିଛି ।
ସେପଟେ ବିଜେଡ଼ି ସରକାରଙ୍କ ସଫଳତାର ବଖାଣକୁ ବିଜେପି କଡ଼ା ସମାଲୋଚନା କରିଛି । ଓଲଟି ବିଜେଡ଼ି ସରକାରର ୧୮ ବର୍ଷ ପୂର୍ତ୍ତି ଅବସରରେ ୩୬ ଟି ମହାଦୁର୍ନୀତିର ମହଭିଯୋଗ ଫର୍ଦ୍ଦ ପ୍ରକାଶ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ମହାଭିଯୋଗ ଫର୍ଦ୍ଦର ପୁସ୍ତିକା ଖୋଲିଛନ୍ତି ।