ଭୁବନେଶ୍ୱର: ଚଳିତ ସପ୍ତାହ ଆଉଟଲୁକ୍ ର ଜାତୀୟ ସ୍ତମ୍ଭରେ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଏକ ଆର୍ଟିକିଲ୍(ନିବନ୍ଧ) ପ୍ରକାଶ ପାଇଛି । ‘ଦି ପାର୍ଟି ଆଣ୍ଡ ଇଟସ୍ ଏକ୍ସ’ ଶୀର୍ଷକ ଏହି ଆର୍ଟିକିଲ୍ ଟି ଲେଖିଛନ୍ତି ସନ୍ଦୀପ ସାହୁ । ବିଜେଡ଼ିରେ ବୈଜୟନ୍ତଙ୍କ ପ୍ରଭାବଠାରୁ ଆରମ୍ଭ କରି ମାହାଙ୍ଗାରେ ତାଙ୍କୁ ଅଣ୍ଡାମାଡ଼, ଦଳରୁ ସସପେଣ୍ଡ, ତାଙ୍କ ପତ୍ନୀଙ୍କ ପରିଚାଳିତ ଟିଭି ଚାନେଲ୍ କୁ ବିଜେଡ଼ିର ବୟକଟ୍, ଇମ୍ଫା କମ୍ପାନୀ ବିରୋଧରେ ବିକ୍ଷୋଭ, ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲା ଅଫିସରଙ୍କ ଷଡ଼ଯନ୍ତ୍ର ଆଦି ସ୍ଥାନ ଦେଇଛନ୍ତି । ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟ ରଖି ସ୍ତମ୍ଭକାର ତାଙ୍କ ନିବନ୍ଧ ଶେଷ କରିଛନ୍ତି ।
ଏକ ଜାତୀୟ ମାଗାଜିନ୍ ରେ ପ୍ରଭାବଶାଳୀ ସାଂସଦ ବୈଜୟନ୍ତଙ୍କୁ ନେଇ ଅବେଳରେ ପ୍ରକାଶିତ ଏହି ଆର୍ଟିକିଲ୍ ରେ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତାହା ହେଲା, ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ଏବଂ ସ୍ଥାନୀୟ କୋର୍ଟ ତାହାକୁ ଅପରାଧିକ ମାମଲା ଭାବେ ଗ୍ରହଣ ପ୍ରସଙ୍ଗଟି ସ୍ଥାନିତ ହୋଇନାହିଁ । କୋର୍ଟ ଏହି ମାମଲାରେ ପୁଲିସକୁ ଅନ୍ୟାନ୍ୟ ଦଫା ସମେତ ୪୨୦ ଦଫାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ଏବଂ ପୁଲିସ ମାମଲା ରୁଜୁ କରି ତଦନ୍ତ ବି ଆରମ୍ଭ କରିଛନ୍ତି । ଜଣେ ସାଂସଦ ମିଥ୍ୟା ସତ୍ୟପାଠ ଦେଇ ୪୨୦ ଦଫାରେ କେସ୍ ଖାଇବା ଭଳି ଏକ ମୁଖ୍ୟ ପ୍ରସଙ୍ଗକୁ ସଂପୃକ୍ତ ସ୍ତମ୍ଭକାର ଭୁଲିଯାଇଛନ୍ତି ନା ଜାଣିଶୁଣି ଛାଡ଼ିଦେଇଛନ୍ତି ତାହା ପ୍ରଶ୍ୱବାଚୀ ସୃଷ୍ଟି କରିଛି ।