ଭୁବନେଶ୍ୱର: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଜି ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିମାନବନ୍ଦରରୁ ସେ ସିଧା ଯାଇଥିଲେ ନବୀନ ନିବାସ । ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ହୋଇଥିଲା । ପରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଦଲାଇଲାମା । ଏହି ଅବସରରେ ନବୀନ ପଟ୍ଟନାୟକଙ୍କୁ ସେ ଆଲିଙ୍ଗନ କରିବା ସହ ପ୍ରଶଂସାରେ ପୋତି ପକାଇଥିଲେ । କହିଥିଲେ, ‘ନବୀନ ଦୀର୍ଘ ଦିନ ଧରି ଏଠାରେ ଶାସନ କରୁଛନ୍ତି । ତାଙ୍କ କାର୍ଯ୍ୟଶୈଳୀ ଖୁବ୍ ଭଲ ।’
ସେ ପୁଣି କହିଥିଲେ ଯେ ଓଡ଼ିଶାରେ ଅନେକ ତୀବ୍ଦତୀୟ ରହୁଛନ୍ତି । ମୁଁ ପୂର୍ବରୁ ଅନେକ ଥର ଓଡ଼ିଶା ଆସିଛି । ଏଠାକୁ ଆସିଲେ ବହୁତ ସମ୍ମାନ ମିଳେ । ଭାରତ-ଚୀନ ସମ୍ପର୍କ ଉପରେ ଦଲାଇଲାମା କହିଥିଲେ, ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଉଭୟ ଦେଶ ଭଲ ସମ୍ପର୍କ ରଖନ୍ତୁ ଓ ପରଷ୍ପରକୁ ସାହାଯ୍ୟ କରନ୍ତୁ । ଆସନ୍ତାକାଲି ଦଲାଇଲାମା ‘କିସ୍’ ର ଏକ ଉତ୍ସବରେ ଯୋଗଦେବେ । ‘କିସ୍’ ପକ୍ଷରୁ ତାଙ୍କୁ ହ୍ୟୁମାନିଟାରିଆନ୍ ଆୱାର୍ଡ ପ୍ରଦାନ କରାଯିବ ।