ଭୁବନେଶ୍ୱର: ଗତକାଲି ବିଜେପି ରାଜ୍ୟ ସଭାପତିଙ୍କ ଚାମ୍ବରରେ ପଶି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବା ପିନାକ ମହାନ୍ତି ବିଜେପିର ଜଣେ ସକ୍ରିୟ ସଦସ୍ୟ । ବାରଙ୍ଗ ବ୍ଲକ୍ ଗବଗସ୍ତ ମଣ୍ଡଳ ଉପସଭାପତି । ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ଦଳୀୟ ପ୍ରାର୍ଥୀଙ୍କ ପୋଷ୍ଟରରେ ଶୋଭା ପାଉଥିଲା ତାଙ୍କରି ଫଟୋ । ଆମେ ଏଠାରେ ଛାପିଥିବା ପୋଷ୍ଟରରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ ସୁଶାନ୍ତ ମଲ୍ଲିକଙ୍କ ସହ ଶୋଭାପାଉଛନ୍ତି ପିନାକ ମହାନ୍ତି । ମଣ୍ଡଳ ଉପସଭାପତି ବୋଲି ସେଥିରେ ନିଜକୁ ଉଲ୍ଲେଖ ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ, ବିଜେପିର ଜଣେ ଟାଣୁଆ ଯୁବନେତା ଭାବେ ଅଞ୍ଚଳରେ ତାଙ୍କୁ ସମସ୍ତେ ଜାଣନ୍ତି । ତାଙ୍କ ମାଆ ବି ତାଙ୍କ ପୁଅ ବିଜେପି ନେତା ବୋଲି ସ୍ୱୀକାର କରିଛନ୍ତି । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସଂଗଠନ ସମ୍ପାଦକ ଶାରଦା ଶତପଥୀଙ୍କ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିବା ପିନାକଙ୍କ ଗାଁ ରାଇପୁରବାସୀଙ୍କଠାରୁ ଜଣାପଡ଼ିଛି । ସେହି ଅଞ୍ଚଳକୁ ଶାରଦା ଶତପଥୀ ଯେତେବେଳେ ଗସ୍ତ କରନ୍ତି ପିନାକ ତାଙ୍କ ପାଖେ ପାଖେ ସଦାବେଳେ ରହନ୍ତି । ଦୁହେଁ ଏକାଠି ଢ଼ାବାରେ ଖିଆପିଆ କରିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିବା କହିଛନ୍ତି ।
କିନ୍ତୁ ଏହି ପିନାକ ମହାନ୍ତିଙ୍କୁ ବିଜେପି ଏବେ ପର କରିଦେଇଛି । ସେ କିଏ ଜାଣିନାହାନ୍ତି ବୋଲି ରାଜ୍ୟ ସଭାପତି କହିଛନ୍ତି । ଗତକାଲିର ଘଟଣା ପରେ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ ବି ଦୃଢ଼ୋକ୍ତି ଦେଖାଇଥିଲେ । ସେ ଦଳର ସଭ୍ୟ ନୁହଁନ୍ତି କି କର୍ମକର୍ତ୍ତା ନୁହଁନ୍ତି ବୋଲି ମନମୋହନ କହିଥିଲେ । ପାର୍ଟି ଅଫିସ୍ କାଗଜପତ୍ର ଯାଞ୍ଚ କରି ସେ ଏକଥା କହୁଛନ୍ତି ବୋଲି ବିଜେପି ପକ୍ଷରୁ ସଫେଇ ଦେଇଥିଲେ ।
ନିଜ ଆଡକୁ ବିପଦ ଆସିବା ଭୟରେ ବିଜେପି ପିନାକଙ୍କୁ ଅଜଣା କରିଦେଇଥିବା ଏବେ ଧରାପଡ଼ିଯାଇଛି । ନିଜ ଦଳର ଏଭଳି ଅପରାଧୀଙ୍କ ପରିଚୟ ନେବାକୁ ବିଜେପି ନେତାଙ୍କ ସାହାସ ପାଇନି । ଓଲଟି ସଫେଇ ଦେଇଛନ୍ତି ଏହା ପ୍ରୟୋଜିତ । ଅନ୍ୟ ଦଳକୁ ଅଙ୍ଗୁଳି ଉଠାଇ ସେମାନଙ୍କ ଇଙ୍ଗିତରେ ସେ ଏଭଳି କାଣ୍ଡ କରିଥିବା ବିଜେପି ନେତାମାନେ ପ୍ରଚାର ଚଳାଇଛନ୍ତି । ସୂଚନାଯୋଗ୍ୟ, ସଭାପତି ବସନ୍ତ ପଣ୍ଡା ନିଜେ ମାନୁଛନ୍ତି, ପିନାକ ଓ ସମ୍ବିତ ନାମକ ଦୁଇ ଯୁବକ ପୂର୍ବଦିନ ତାଙ୍କ ପାଖକୁ ଆସିଥିଲେ । ବାପାଙ୍କ ଚିକିତ୍ସା ଲାଗି ସରକାରୀ ଅର୍ଥ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ତାମାନେ ବସନ୍ତ ପଣ୍ଡା ନିଶ୍ଚିତ ଭାବେ ଯୁବକଙ୍କୁ ଚିହ୍ନିଥିଲେ । ନହେଲେ ଦୁଇଜଣ ଅଜଣା ଯୁବକ ପାର୍ଟି ଅଫିସରେ ପଶି ସଭାପତିଙ୍କୁ ଏଭଳି ଅନୁରୋଧ କରିବାକୁ ସାହାସ ଓ ସୁଯୋଗ ପାଇଲେ କେମିିତି ? ଦ୍ୱିତୀୟରେ କାଲିର ଘଟଣା ବେଳେ ପିନାକଙ୍କୁ ପାଖରେ ରଖି କିଛି ବୁଝାଉଥିଲେ ସଂଗଠନ ସମ୍ପାଦକ ଶାରଦା ଶତପଥୀ । ଯଦି ପିନାକ ଜଣେ ଅଜଣା ଲୋକ ହୋଇଥାଆନ୍ତେ ତେବେ ତାକୁ କାବୁ କରି ପୁଲିସ ଜିମା ଦେବା ପୂର୍ବରୁ ଏମିତି ବୁଝାସୁଝା କେମିତି ସମ୍ଭବ ? ପାରିପାଶ୍ୱିର୍କ ଘଟଣା ଓ ପିନାକଙ୍କ ଅଞ୍ଚଳବାସୀଙ୍କ ସୂଚନା ଓ ଫଟୋ ହିଁ ବୟାନ କରୁଛି ସତ କ’ଣ । ଅପ୍ରିୟ ସତ ଲୁଚାଇବାକୁ ଯାଇ ବିଜେପି ସମସ୍ତଙ୍କୁ ଜଳକା ବନାଇବାଇବାକୁ ଚେଷ୍ଟା କରିଥିବା ଏବେ ଧରାପଡିଛି ।