ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ହାତରୁ ପୂର୍ତ୍ତ ଓ ଜଳସମ୍ପଦ ବିଭାଗ ଛାଡ଼ି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ଓ ଜଳସମ୍ପଦ ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଅନ୍ୟ ମନ୍ତ୍ରୀଙ୍କ ହାତକୁ ହସ୍ତାନ୍ତର କରିଛନ୍ତି । ଏଥିସହ ତାଙ୍କ ମନ୍ତ୍ରୀମଣ୍ଡଳରେ ଏକ ଛୋଟ ଧରଣରର ବିଭାଗ ଅଦଳ ବିଭାଗ କରିଛନ୍ତି ।
ପୂର୍ତ୍ତ ବିଭାଗକୁ ପ୍ରଫୁଲ୍ଲ ମଲ୍ଲିକଙ୍କ ହାତରେ ମୁଖ୍ୟମନ୍ତ୍ରୀ ଦେଇଥିବା ବେଳେ ନିରଞ୍ଜନ ପୂଜାରୀଙ୍କୁ ଦେଇଛନ୍ତି ଜଳସମ୍ପଦ ବିଭାଗ । ନଗର ଉନ୍ନୟନ ମନ୍ତ୍ରୀ ପୂଜାରୀଙ୍କୁ ମୂଳବିଭାଗ ସହ ଜଳସମ୍ପଦ ବିଭାଗ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ହାତରୁ ଶକ୍ତି ବିଭାଗ କାଢ଼ି ସୁଶାନ୍ତଙ୍କ ସିଂଙ୍କୁ ଦିଆଯାଇଛି । ଶ୍ରମ ଓ ନିୟୋଜନ ବିଭାଗ ସହ ସେ ଶକ୍ତି ବିଭାଗ ଦାୟିତ୍ୱରେ ରହିବେ । ପ୍ରଫୁଲ୍ଲ ମଲ୍ଲିକ ଖଣି ଓ ଇସ୍ପାତ ବିଭାଗ ସହ ପୂର୍ତ୍ତ ବିଭାଗ ଦାୟିତ୍ୱରେ ରହିବେ । ବିକ୍ରମ କେଶରୀ ଆରୁଖଙ୍କ ହାତରୁ ସୂଚନା ଓ ଲୋକସମ୍ପର୍କ ବିଭାଗ କାଢ଼ି ନିଆଯାଇଛି । ସ୍ୱାସ୍ଥ୍ୟ ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ଦିଆଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଶିଳ୍ପ ବିଭାଗର ଦାୟିତ୍ୱ ଦିଆଯାଇଛି ।