ନୂଆଦିଲ୍ଲୀ: ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ଫଳ ଆସିଛି । ତ୍ରିପୁରାରେ ଶାସକ ବାମପନ୍ଥୀ ଦଳ ବିଜେପିଠାରୁ ଚିତପଟାଙ୍ଗ ମାରିଛି । ଅପରାହ୍ନ ୪ଟା ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ନିର୍ବାଚନ ହୋଇଥିବା ୫୯ଟି ବିଧାନସଭା ଆସନରୁ ବିଜେପି ଏବଂ ସହଯୋଗୀ ଦଳ ୪୩ଟି ଆସନ ହାସଲ କରିଛନ୍ତି । ସିପିଏମ୍ କୁ ୧୬ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଗତ ୨୦୧୩ ସାଧାରଣ ନିର୍ବାଚନରେ ସିପିଏମ୍ ୬୦ଟି ଆସନରୁ ୪୯ଟି ଆସନ ପାଇ ସରକାର ଗଢ଼ିଥିଲା । କଂଗ୍ରେସ ୧୦ଟି ଆସନ ପାଇଥିଲା ବେଳେ ବିଜେପି ଖାତା ଖୋଲି ନ ଥିଲା । ମାତ୍ର ଏଥର ଫଳ ଓଲଟି ଯାଇଛି । ବିଜେପି ଖାଲି ଖାତା ଖୋଲିନାହିଁ ବରଂ ୪୩ ଟି ଆସନ ସହ ସରକାର ଗଢ଼ିବାକୁ ଯାଉଛି । କଂଗ୍ରେସ ସେଠାରୁ ମୂଳପୋଛ ହୋଇଯାଇଛି ।
ସେହିଭଳି ନାଗାଲାଣ୍ଡରେ କ୍ଷମତାସୀନ ନାଗାଲାଣ୍ଡ ପିପୁଲସ୍ ଫ୍ରଣ୍ଟ ବା ଏନପିଏଫ୍ ସହ ବିଜେପି କଡ଼ା ଟକ୍କର ଦେଇଛି । ୬୦ ଟି ଆସନରୁ ଏନପିଏଫ୍ କୁ ୩୦ ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୭ ଆସନ ମିଳିଛି । ସେଠାରେ କଂଗ୍ରେସ ପୋଛି ହୋଇଯାଇଛି । ଅନ୍ୟାନ୍ୟ ଦଳକୁ ୩ ଆସନ ମିଳିଛି । ଗତ ସାଧାରଣ ନିର୍ବାଚନରେ ଏନପିଏଫ ୩୮ ଟି ଆସନ ପାଇ ଲଗାତର ତୃତୀୟ ଥର ପାଇଁ ଶାସନଗାଦିକୁ ଆସିଥିଲା । ବିଜେପି ଖାତାକୁ ଆସିଥିଲା ମାତ୍ର ଗୋଟିଏ ଆସନ । କଂଗ୍ରେସ ୮ ଆସନ ପାଇଥିଲା ବେଳେ ଜେଡ଼ି(ୟୁ)କୁ ମିଳିଥିଲା ଗୋଟିଏ ଆସନ । ମାତ୍ର ଗୋଟିଏ ଆସନରୁ ୨୭ ଟି ଆସନକୁ ଉଠିଥିବା ବିଜେପି ଏହି ଉତ୍ତର ପୂର୍ବାଂଚଳ ରାଜ୍ୟରେ ନିଜର ଶକ୍ତି ଦେଖାଇ ସରକାର ଗଢ଼ିବାର ଆଶା ସୃଷ୍ଟି କରିଛି ।
ଏକମାତ୍ର ମେଘାଳୟରେ କଂଗ୍ରେସ ନିଜର ଇଜ୍ଜତ ବଂଚାଇଛି । ଗତ ସାଧାରଣ ନିର୍ବାଚନରେ ଦଳ ୬୦ ଆସନରୁ ୨୯ ଟି ଆସନ ପାଇଥିଲା ବେଳେ ଏଥର ତାହା ୨୧ କୁ ଖସି ଆସିଛି । ବିଜେପି ଦୁଇଟି ଆସନ ପାଇ ଖାତା ଖୋଲିଛି । ଏନପିପିକୁ ୧୯ ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ଦଳ ୧୯ ଆସନ ପାଇଛନ୍ତି ।