ଭୁବନେଶ୍ୱର: ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଦଳୀୟ ପାଣ୍ଠିରୁ ମଂଜୁର ହୋଇଥିଲା ସର୍ବମୋଟ ୩୦ ଲକ୍ଷ ଟଙ୍କା । ପୋଷ୍ଟର ଓ ବ୍ୟାନର୍ ପାଇଁ ୧୫ ଲକ୍ଷ ଓ ହାତଖର୍ଚ୍ଚ ପାଇଁ ୧୫ ଲକ୍ଷ । ୧୫ ଲକ୍ଷ ଟଙ୍କାର ପୋଷ୍ଟର ଓ ବ୍ୟାନର୍ ସେୟାଡୁ(ଏଆଇସିସି) ଆସିଥିଲା । ପିସିସି ଜରିଆରେ ନଗଦ ୧୫ ଲକ୍ଷ ପଠାଯାଇଥିଲା ପ୍ରଣୟଙ୍କ ପାଖକୁ । ହେଲେ ପ୍ରଣୟଙ୍କ ପାଖକୁ ସେହି ଟଙ୍କା ୧୧ ଲକ୍ଷ ହୋଇ ଆସିଥିଲା । ବାଟରୁ ହଡ଼ପ ହୋଇଗଲା ୪ ଲକ୍ଷ ଟଙ୍କା । କଂଗ୍ରେସର ଜଣେ ବଡ଼ନେତା କୁଆଡ଼େ ସେହି ଟଙ୍କାକୁ ନିଜ ପାରିବାରିକ ଖର୍ଚ୍ଚ ପାଇଁ କାଟି ରଖିଦେଲେ । ଖୋଦ୍ ପ୍ରଣୟ ସାହୁଙ୍କ ଶିବିରରୁ କଥାଟି ଜଣାପଡ଼ିଛି । ବିଜେଡ଼ି ଓ ବିଜେପିର ସମୁଦ୍ର ଭଳି ଟଙ୍କା ଆଗରେ ଏଆଇସିସି ନିଜ ପ୍ରାର୍ଥୀଙ୍କୁ ୧୫ ଲକ୍ଷ ହାତଖର୍ଚ୍ଚ ଦେବା ଆଉ ସେଥିରୁ ୪ ଲକ୍ଷ ପିସି କଟିଯିବା ପ୍ରଣୟଙ୍କ ସମର୍ଥକଙ୍କୁ ହତବାକ୍ କରିଛି । ଅମାନତ୍ ଉଡ଼ିଯିବାର ଦୁଃଖଠାରୁ ଏହି କଷ୍ଟ ବଳିଯାଇଛି ।
ପ୍ରଣୟଙ୍କ ସମର୍ଥକଙ୍କ କହିବାନୁଯାୟୀ, ବିଜେପୁରରେ ତାଙ୍କ ପ୍ରାର୍ଥୀ ହାରିବା ପଛରେ କଂଗ୍ରେସ ମୁଖିଆମାନେ ସମ୍ପୂର୍ଣ୍ଣ ଦାୟୀ । ଯେଉଁ କେତେଜଣ ବରିଷ୍ଠ ନେତା ସେଠି କ୍ୟାମ୍ପ କରି ପ୍ରଚାର କରୁଥିଲେ ସେମାନେ ପ୍ରଣୟ ଜିତନ୍ତୁ ବୋଲି ବିଲକୁଲ୍ ଚାହୁଁନଥିଲେ । ଦଳର ପଇସାବାଲା ନେତା ଦୟା କଲା ଭଳି ପ୍ରାର୍ଥୀଙ୍କୁ ୨/୩ ଲକ୍ଷ ଦେଇ କାମ ଚଳେଇଦେଲେ । ଖର୍ଚ୍ଚ ପାଇଁ ପକେଟରୁ ଟଙ୍କାଟେ ବାହାରିବାକୁ କଷ୍ଟ ହେଲା । ଅଧେ ନେତା ବିଜେଡ଼ି ଜିତୁ ବୋଲି ଚାହିଁଲେ ଆଉ ଅଧେ ଚାହିଁଲେ ବିଜେପି ଜିତୁ । ପ୍ରଣୟ ଜିତିଲେ ପ୍ରସାଦ ହରିଚନ୍ଦନଙ୍କ ଭାଉ ବଢ଼ିଯିବ ବୋଲି ସେମାନେ ବୁଝିଥିବାରୁ ତାଙ୍କୁ ଚେକ୍ ଦେବା ପାଇଁ ଗୋଟିଚାଳନା କରିଥିଲେ । ଶ୍ରୀକାନ୍ତ ଜେନାଙ୍କ ଭଳି ନେତା ପ୍ରଣୟଙ୍କ ସପକ୍ଷରେ ଧୂମ୍ ମଚାଇଥିଲେ ମଧ୍ୟ ପକେଟରୁ ଟଙ୍କାଟେ ବାହାରି ନ ଥିଲା । ନିରଂଜନ ପଟ୍ଟନାୟକ, ନବ ଦାସ ଓ ଓଗେରଙ୍କ କଥା ନ କହିବା ଭଲ ବୋଲି ପ୍ରଣୟଙ୍କ ସମର୍ଥକ କହିଛନ୍ତି ।
ସେପଟେ ପ୍ରଣୟଙ୍କ ନିଶ୍ଚିତ ପରାଜୟ ଜାଣି ପିସିସି ମଙ୍ଗୁଆଳମାନେ ବି ନିଜ ଫାଇଦାରେ ରହିଗଲେ । କିଏ ଦଳୀୟ ପାଣ୍ଠିରୁ ନିଜ ଖର୍ଚ୍ଚ ବାହାର କରିବାକୁ ଚାହିଁଲେ ତ ଆଉ କିଏ ପ୍ରତିଦ୍ୱନ୍ଦୀ ଦଳଙ୍କଠାରୁ ମାଲ୍ ପକାଇଦେଇ ଚୁପ୍ ବସିବାକୁ ଚାହିଁଲେ । ପରିସ୍ଥିତି ଏଭଳି ହେଲା ଯେ ବୁଥ୍ ଖର୍ଚ୍ଚ ଛାଡ଼, ପ୍ରଣୟ ନିଜ ସମର୍ଥକଙ୍କୁ ଚା କପେ ଦେବାକୁ ବି ସମର୍ଥ ହେଲେ ନାହିଁ । ଶୁଖିଲା ଶୁଖିଲାରେ ଯେତିକି ପାରିଲେ ହାତଗଣତି ସମର୍ଥକଙ୍କୁ ଧରି ଭୋଟ ଭିକ୍ଷା କଲେ । ଆଉ ଫଳ ହେଲା ମାତ୍ର ୧୦,୨୭୪ ଖଣ୍ଡ ଭୋଟ । ଅମାନତ୍ ଉଡ଼ିଗଲା ।