ଝାରସୁଗୁଡ଼ା: ବିଜେଡ଼ି ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କହି ୧୦ ବର୍ଷ ହେଲା ବିଧାନସଭାରେ ଫଟଉଥିଲେ ।
ନବୀନ ପଟ୍ଟନାୟକ ଦୁର୍ନୀତିର ମହାନାୟକ ବୋଲି ଚିଲୋଉଥିଲେ । ହେଲେ ସେଇ ବିଜେଡ଼ିକୁ ନିଜର ଘର କରିଦେଲେ । ନବୀନ ପଟ୍ଟନାୟକ ତାଙ୍କ ପାଇଁ ହୋଇଗଲେ ପ୍ରଭୁ । ରାଜନୀତିରେ ଏଭଳି ଏକ ଚରିତ୍ର ପୁଣି ଓଡ଼ିଶାବାସୀ ପାଇଛନ୍ତି । ସେ ହେଉଛନ୍ତି ଝାରସୁଗୁଡ଼ାର ମାନ୍ୟବର ବିଧାୟକ ନବ ଦାସ । ଆଜି ଝାରସୁଗୁଡ଼ା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡ଼ିରେ ଯୋଗଦେଇଛନ୍ତି । ବିଜେଡ଼ି ଘର ପ୍ରବେଶକୁ ଲୋକଦେଖାଣିଆ ଓ ଚକାଚକ କରିବାକୁ ମାନ୍ୟବର ପ୍ରବଳ ଅର୍ଥ ଖର୍ଚ୍ଚ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରାଇବାକୁ ପ୍ରାୟ ୧ ଲକ୍ଷ ଲୋକଙ୍କ ସମାଗମ କରିଥିଲେ ।
ନବ ଏକା ବିଜେଡ଼ିକୁ ଆସିନାହାନ୍ତି । ସାଙ୍ଗରେ ଆଣିଛନ୍ତି ନିଜର କଂଗ୍ରେସ ପଲଟନକୁ । ସେମାନଙ୍କ ମଧ୍ୟରେ ଅଛନ୍ତି ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୮ ଜଣ ଜିଲ୍ଲା ପରିଷଦ ସଦସ୍ୟ, ୫ ଟି ବ୍ଲକ୍ ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା । ବିଜେଡ଼ି ମୁଖିଆ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଆୟୋଜିତ ଉତ୍ସବରେ ନବ ସମର୍ଥକମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ନବ ଦାସ ଜିନ୍ଦାବାଦ ଧ୍ୱନି ଦେଇ ଅଞ୍ଚଳ ଫଟାଇଥିଲେ ।
ମିଶ୍ରଣପର୍ବରେ ମୁଖ୍ୟମନ୍ତ୍ରୀଙ୍କ ସାଥିରେ ଥିଲେ ତାଙ୍କ ଯୁବ ବ୍ରିଗେଡ଼ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ(ବବି) ଦାସ ଓ ସଞ୍ଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ କିଶୋର ମହାନ୍ତି, ସାଂସଦ ପ୍ରଭାସ ସିଂ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ମଙ୍ଗଳା କିଷାନ, ପୂର୍ବତନ ବିଧାୟକ ରବି ପାଣି, ଅନୁପ ସାଏ ପ୍ରମୁଖ । ନବଙ୍କୁ ଦଳରେ ମିଶାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ ଭଲ ସଂଗଠକ ବୋଲି ତାରିଫ୍ କରିଥିଲେ । ତାଙ୍କର ଯୋଗଦାନ ବିଜେଡ଼ିକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନବ ବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶା ବିକାଶ ପଥରେ ଆଗକୁ ବଢ଼ିବ ବୋଲି କହିଥିଲେ ।
ସମାବେଶରେ ବିଜେଡ଼ିର ମୂଳ(କିଶୋର ମହାନ୍ତି)ଙ୍କ ସମର୍ଥକ ଓ ନବ ଦାସଙ୍କ ନେତୃତ୍ୱାଧୀନ ଆମଦାନୀ ବିଜେଡ଼ି ସମର୍ଥକଙ୍କ ପାଇଁ ଅଲଗା ଅଲଗା ବସିବା ବ୍ୟବସ୍ଥା ହୋଇଥିଲା । ବୋଧହୁଏ କୌଣସି ଅଘଟଣ ଆଶଙ୍କାରେ ଏଭଳି କରାଯାଇଥିଲା । ଅଞ୍ଚଳର ଟାଣୁଆ ବିଜେଡ଼ି ନେତା ତାପସ ରାୟ ଚୌଧୁରୀ ତାଙ୍କ ଭାଷଣରେ ମଂଜି କଥାଟି କହିଥିଲେ । ସେ କହିଥିଲେ, ଯେଉଁମାନେ ବିଜେଡ଼ିକୁ ବର୍ଷ ବର୍ଷ ଧରି ଗାଳି କରୁଥିଲେ, ବିଜେଡ଼ି ନେତା ଓ ପୋଷ୍ଟର ଉପରକୁ ଟେକାପଥର ଫିଙ୍ଗୁଥିଲେ ସେମାନେ ଏବେ ବିଜେଡ଼ିରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ଆମେ ବିଜେଡ଼ିକୁ ସ୍ୱାଗତ କରୁଛୁ ।
ସୂଚନାଯୋଗ୍ୟ, ନବ ଦାସ ବିଜେଡ଼ିରେ ଯୋଗଦେବେ ବୋଲି କିଛି ମାସ ଧରି ଚର୍ଚ୍ଚା ହେଉଥିଲା । ଗତ ୧୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇ ରାହୁଲ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ବିଜେଡ଼ିରେ ମିଶିବା କଥା ସ୍ପଷ୍ଟ କରିଥିଲେ । ତେବେ ନବ ଦାସ କଂଗ୍ରେସ ଛାଡ଼ିଥିଲେ ମଧ୍ୟ କଂଗ୍ରେସ ଏବଂ ନେତୃତ୍ୱ ବିରୋଧରେ ପଦୁଟିଏ କହିନାହାନ୍ତି । ଓଲଟି ରାହୁଲ ଗାନ୍ଧୀ ଓ ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।
ବିଧାୟକ ପଦ ଛାଡ଼ିଲେ
ବିଜେଡ଼ିରେ ମିଶିବା ପରେ ପରେ ଆଜି ନବ ଦାସ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ବାଚସ୍ପତି ପ୍ରଦୀପ ଅମାତ୍ ଙ୍କ ପାଖକୁ ପଠାଇଛନ୍ତି ।