ବଲାଙ୍ଗୀର: ଯୁବକମାନେ ସେବା ମନୋବୃତ୍ତିରେ ପରିଚାଳିତ ହୋଇ ନିଜର ପରିଚୟ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଆଜି ବଲାଙ୍ଗୀରରେ ଆୟୋଜିତ ବିଜୁ ଯୁବବାହିନୀ ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେବା ହେଉ ଯୁବ ସମାଜର ପରିଚୟ । ସେବା ହେଉ ଓଡ଼ିଆ ଜାତିର ପରିଚୟ । ତାହା ହିଁ ଏ ଜାତିକୁ ମହାନ କରିବ ।
ବିଜୁ ଯୁବବାହିନୀର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ଜୀବନରେ ଶୃଙ୍ଖଳା, ସାହାସ ଓ ମିଳିମିଶି କାମ କରିବାକୁ ସେବା ପ୍ରେରଣା ଦିଏ । ସେବା ପାଇଁ କଠିନ ପରିଶ୍ରମ, ତ୍ୟାଗ ଓ ସଂକଳ୍ପ ଦରକାର । ସେବା ଅହଂ ଦୂର କରି ଚିନ୍ତାଧାରାକୁ ବ୍ୟାପକ କରିଥାଏ । ସେବା ହିଁ ଶ୍ରେଷ୍ଠ ଧର୍ମ ଓ ସେବାର ବିକଳ୍ପ ନାହିଁ । ପରିବାର ଭିତରେ ଆପଣମାନଙ୍କ କର୍ତ୍ତବ୍ୟ ହେଉଛି ପିତାମାତାଙ୍କ ସେବା । ଦେଶପାଇଁ ଆପଣମାନଙ୍କ ସେବା ହେଉଛି ଦେଶଭକ୍ତି । କୁହାଯାଏ, ମାନବ ସମାଜର ସେବା ହେଉଛି, ଇଶ୍ୱରଙ୍କ ସେବା । ତେଣୁ ମାନବ ସମାଜର ସେବା ହେଉଛି ପ୍ରକୃତି ଭକ୍ତି ।
ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଗୋପବନ୍ଧୁ, ମଧୁବାବୁ ଓ ବିଜୁବାବୁ, ମା ରମା ଦେବୀ, ମାଳତୀ ଚୌଧୁରୀଙ୍କ ପରି ମହାପୁରୁଷ ମାନଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେବା ହିଁ ମହାପୁରୁଷମାନଙ୍କୁ ମହାନ କରିଛି । ମାନବ ସମାଜର ସେବା ହିଁ ସେମାନଙ୍କର ଏକମାତ୍ର ଧର୍ମ ଥିଲା । ସେଥିପାଇଁ ସେମାନେ ସାରା ଜୀବନ ଯୁବସୁଲଭ ଉଦ୍ଦୀପନାରେ ମାନବ ସମାଜର ସେବା କରି ଚାଲୁଥିଲେ । ସେଥିପାଇଁ ସେମାନେ ମୃତ୍ୟୁ ପରେ ମଧ୍ୟ କୋଟି କୋଟି ଲୋକଙ୍କ ହୃଦୟରେ ଅମର ହୋଇ ରହିଛନ୍ତି ।
ବିଜୁ ଯୁବବାହିନୀର ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଜିଲ୍ଲାରୁ ହଜାର ହଜାର ଯୁବକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଥିଲେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ୬୧୮ କୋଟି ୬୬ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ ।