ଭୁୁବନେଶ୍ୱର: ଜାତୀୟ ରାଜନୀତିରେ ନୂଆ ସମୀକରଣର ଅୟମାରମ୍ଭ । କେନ୍ଦ୍ରରେ ବିଜେପି ନୁହେଁ କି କଂଗ୍ରେସ ସରକାର ନୁହେଁ । ଏହି ଦୁଇ ଦଳର ବିକଳ୍ପ ହେବେ ସମଭାବାପନ୍ନ ଆଞ୍ଚଳିକ ଦଳ । ଏମିତି ଏକ ସଂକଳ୍ପ ଧରି ଆଞ୍ଚଳିକ ଦଳଗୁଡ଼ିକୁ ଏକାଠି କରିବାର ପ୍ରୟାସ ଆରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ନବୀନ ନିବାସରୁ ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇଛି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ବିଜେପି ଓ କଂଗ୍ରେସର ଦୃଢ଼ ବିକଳ୍ପ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବୈଠକ ଶେଷରେ ଉଭୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆଗକୁ ଅଧିକ ଆଲୋଚନା ହେବ ବୋଲି ମଧ୍ୟ ସେମାନେ କହିଛନ୍ତି ।
ଆଜି ସଂଧ୍ୟା ୬ଟାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ(କେସିଆର) ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ହୋଇଥିଲା । ବୈଠକ ସାରି ବାହାରିଲା ପରେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଜେପି ଓ କଂଗ୍ରେସର ବିକଳ୍ପ ନେଇ ଆମ ଦୁଇଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଗକୁ ଏ ନେଇ ଅଧିକ ଆଲୋଚନା ହେବ । ଜାତୀୟ ରାଜନୀତି ସହ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ, କୃଷି ସମସ୍ୟା ଓ ପୋଲାଭରମ୍ ସମ୍ପର୍କରେ ଆଲୋଚନା ହୋଇଥିବା ସେ କହିଥିଲେ ।
କେସିଆର୍ କହିଥିଲେ, ଦେଶ ଏକ ପରିବର୍ତ୍ତନ ଆବଶ୍ୟକ କରୁଛି । ବିଜେପି ଏବଂ କଂଗ୍ରେସଠାରୁ ଦେଶ ଏକ ବିକଳ୍ପ ଆବଶ୍ୟକ କରୁଛି । ଏହି ପରିପ୍ରେକ୍ଷୀରେ ସମଭାବାପନ୍ନ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବା ଦରକାର । ଏ ନେଇ ନବୀନଙ୍କ ସହ ଆଲୋଚନା ହୋଇଛି । ଆଗକୁ ଆହୁରି ଆଲୋଚନା ହେବ । କଂଗ୍ରେସ ଓ ବିଜେପିର ବି’ ଟିମ୍ ଅଭିଯୋଗ ସଂକ୍ରାନ୍ତରେ ସାମ୍ବାଦିକମାନେ ପଚାରିବାରୁ କେସିଆର୍ ଦୃଢ଼ ଭାବରେ କହିଥିଲେ, ଆମେ କାହାର ବି ଟିମ୍ ନୁହଁ । ଆମେ ଆମର ନିଜ ଟିମ୍ । କେସିଆର୍ ଙ୍କ ଏହି ମନ୍ତବ୍ୟକୁ ନବୀନ ସମର୍ଥନ କରିଥିଲେ ।
ଆଲୋଚନାର ସଫଳତା ନେଇ ଉଭୟ ମୁଖ୍ୟମନ୍ତ୍ରୀ ବେଶ୍ ଖୁସି ଥିଲେ । ସପରିବାର ଓଡ଼ିଶା ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ଦର୍ଶନ କରି କୋଣାର୍କ ଯିବେ । ଅପରାହ୍ନରେ ସେ କୋଲକତା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବେ । ପରଦିନ ସେ ଦିଲ୍ଲୀ ଯାଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀଙ୍କ ସହ ଆଲୋଚନା କରିବେ ।
Both the Chief Ministers close to Modijee. They are talking about unity between regional parties. But, plays pro-BJP politics when ever modijee telephones and asks their support. I feel, todays meeting is also a pro- BJP stunt. But, they are poseing differently.