ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜଣେ ଲୋକ ୧୬ ବର୍ଷ ଧରି ରାଜ୍ୟକୁ ଶାସନ କଲେଣି । ମାତ୍ର ରାଜ୍ୟର ମାତୃଭାଷାକୁ ଜାଣିପାରିଲେନି । ଏହା ଆଜିକାଲିକା ଚର୍ଚ୍ଚା ନୁହେଁ, ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବାର କିଛି ବର୍ଷଠାରୁ ଏହା ରାଜ୍ୟରେ ତର୍କ ବିତର୍କ ସୃଷ୍ଟି କରିଛି । ମାତ୍ର ଉକ୍ରଳ ଦିବସର ୮୦ ବର୍ଷ ପୂର୍ତ୍ତି ଅବସରରେ ପ୍ରସଙ୍ଗ ଟିକେ ଅଧିକ ଉଜ୍ଜୀବିତ ହୋଇଛି । ଅବଶ୍ୟ ଏହା ନବୀନ କିମ୍ବା ଦଳୀୟ ମାହୋଲକୁ ଅଶ୍ୱସ୍ତି ଆଣିବା ପରିବର୍ତ୍ତେ ଛାତି ଅଧିକ ଚଉଡ଼ା କରିଛି । ଲଜ୍ଜାହୀନ ଭାବେ ଓଡ଼ିଆ ଭାଷା ପ୍ରତି ନବୀନଙ୍କ କିର୍ତ୍ତୀମାନର ଗୁଣଗାନ କରିଛନ୍ତି ଛାମୁଆ ବିଜୁ ଜନତା ଦଳ ସଂଗଠନ ।
ନବୀନଙ୍କ କିର୍ତ୍ତୀମାନର ଫର୍ଦ୍ଦ ଖୋଲି ଗର୍ବରେ ଫାଟିଛନ୍ତି ଯୁବ ବିଜେଡ଼ି ନେତୃତ୍ୱ । ନବୀନଙ୍କ ଅମଳରେ ଓଡ଼ିଆ ଭାଷା ପ୍ରତିଷ୍ଠାନ,ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ, ଭାଗବତ ଟୁଙ୍ଗୀର ପୁନରୁଦ୍ଧାର, ଓଡ଼ିଆ ସାହିତ୍ୟ ଏକାଡେମୀକୁ ଅଧିକ ବ୍ୟୟବରାଦ, ଜେଏନୟୁ, ବନାରସ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରିଛନ୍ତି ମାନ୍ୟବର ନବୀନ ପଟ୍ଟନାୟକ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଓ ଓରିଶାର ଓଡ଼ିଶାକୁ ନାମ ପରିବର୍ତ୍ତନ ଆମ ସମୟର ସବୁଠାରୁ ବଡ଼ ଉପଲବ୍ଧି ବୋଲି ଯୁବ ବିଜେଡ଼ି କହିଛି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝନ୍ତି ଓ କହନ୍ତି ବୋଲି ସଂଗଠନ ଦୃଢ଼ୋକ୍ତି ପ୍ରକାଶ କରିଥିଲା ବେଳେ ନବୀନ ଓଡ଼ିଆଙ୍କ ହୃଦୟର ଭାଷା ବୁଝୁଥିବାରୁ ତାଙ୍କର ଲୋକପ୍ରିୟତା ଅତୁଟ ରହିଛି ବୋଲି ଯୁକ୍ତି ଦର୍ଶାଇଛି ।
ବିଜୁ ଜନତା ଦଳର ହିସାବ ସହିତ କାହାରି ଦ୍ୱିରୋକ୍ତି ନାହିଁ । ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ହୃଦୟରେ ବସା ବାନ୍ଧିଛନ୍ତି ଏକଥାରେ ବି କାହାରି ଦ୍ୱିମତ ନାହିଁ । ମାତ୍ର ବିନା ଦେଖା ଚାହାଁରେ ନବୀନ ଓଡ଼ିଆ ଲୋକଙ୍କ ହୃଦୟର କଥା କେମିତି ବୁଝୁଛନ୍ତି ତାହାର ଯାଦୁ ଏବେ ସୁଦ୍ଧା ସମସ୍ତଙ୍କୁ ଅଜଣା । ଘରର ମୁରବୀ ଯଦି ନିଜ ପିଲାପିଲିଙ୍କ ଭାଷା ବୁଝିପାରିବେନି ସେମାନଙ୍କୁ କେମିତି ଲାଳନ ପାଳନ କରିବେ? ଆଖିରେ ଆଖି ମିଶାଇ ମନର କଥା ପାଟିରେ କହି ନ ପାରିଲେ ଜଣେ ଜଣଙ୍କୁ ବୁଝିବ କେମିତି । ଭାଷା ନ ଜାଣି ବିନା କଥାବାର୍ତ୍ତାରେ ଯଦି ନବୀନ ଓଡ଼ିଆ ଲୋକଙ୍କ ହୃଦୟର କଥା ବୁଝିପାରୁଛନ୍ତି ବୋଲି ଯୁକ୍ତି କରାଯାଉଛି ତେବେ ତାହାଠୁଁ ବେଲଜ୍ଜିଆ ଯୁକ୍ତି ଆଉ କିଛି ନାହିଁ ।
ବାସ୍ତବରେ ନବୀନଙ୍କର ଓଡ଼ିଆ ଭାଷା ଶିଖିବାର ମନବୃତ୍ତି ନାହିଁ । ଜଣେ ସର୍ବଭାରତୀୟ ସେବାର ଅଧିକାରୀ ମାସ କେଇଟାରେ ଅନ୍ୟ ରାଜ୍ୟର ଭାଷାକୁ ପ୍ରାଞ୍ଜଳ ଭାବେ ବୁଝି କହି ପାରୁଥିବା ବେଳେ ନବୀନ ୧୬ ବର୍ଷରେ ବି ଓଡ଼ିଆ କହିପାରିଲେନି କି ଲେଖିପାରିଲେନି । ବୁଝୁଛନ୍ତି କି ନାଇଁ ମା ଗଙ୍ଗେଇ ଜାଣନ୍ତି । ଇଂରାଜୀ ଶବ୍ଦରେ ଲିଖିତ ଓଡ଼ିଆ ଭାଷଣକୁ ଖଣ୍ଡ ଖଣ୍ଡ କରି ବିକୃତ ଉଚ୍ଚାରଣ କରୁଥିଲେ ବି ସେ ଓଡ଼ିଆ ପଢ଼ି ବୁଝିପାରୁଛନ୍ତି ବୋଲି ଚେଲାଚାମଣ୍ଡାମାନେ ଯୁକ୍ତି କରୁଛନ୍ତି । ଆମ ଓଡ଼ିଆମାନେ ବି ସେହି ଖଣ୍ଡି ବିକୃତ ଓଡ଼ିଆ ଶୁଣି ଯେଭଳି ତାଳିମାରୁଛନ୍ତି ତାହା ଜାତି ପାଇଁ ଲଜ୍ଜା ଓ ଦୁର୍ଭାଗ୍ୟର କଥା ।
ତେବେ ନବୀନଙ୍କ ଭଳି ଟାଲେଣ୍ଟେଡ୍ ଲୋକ ଯେ ଓଡ଼ିଆ ଶିଖିବାକୁ ଚେଷ୍ଟା କରି ଫେଲ୍ ହୋଇଛନ୍ତି ତାହା ବିଲକୁଲ୍ ମିଛ । ସେ ବୁଝିଛନ୍ତି ଓଡ଼ିଆ ଶିଖିଲେ ତାଙ୍କ ପାଇଁ କୀଳା । ବିନା ଓଡ଼ିଆ ପଢ଼ା ଲେଖା ଓ ବୁଝାରେ ଲୋକେ ତାଙ୍କୁ ଥରକୁ ଥର ଅଧିକ ଭୋଟ ଦେଇଚାଲିଛନ୍ତି । ଲୋକପ୍ରିୟତାରେ ତାଙ୍କର କେହି ସମକକ୍ଷ ହୋଇପାରୁନାହାନ୍ତି । ଓଡ଼ିଆ ଶିଖିଲେ ଓଡ଼ିଆ ଲୋକଙ୍କୁ ସମ୍ଭାଳିବା ଯେ ନିହାତି କାଠିକର ସେକଥା ନବୀନ ଠିକ୍ ବୁଝିଛନ୍ତି । ବିଜେଡ଼ି ଭଳି ଦଳରେ ଯେଉଁ ସବୁ ନେତା ଅଛନ୍ତି ତାଙ୍କୁ ଗୋଟିଏ ଗୋଠରେ ପାଣି ପିଆଇବାର ସୂତ୍ର ରହିଛି ତାଙ୍କର ଓଡ଼ିଆ ଭାଷାର ଅଜ୍ଞତା ଭିତରେ । ଭାଷା ଜାଣିଥିଲେ ଦିନକୁ ହଜାରେ ନେତା,କର୍ମୀ,ଲୋକଙ୍କଠାରୁ ହଜାର ହଜାର ଅଭିଯୋଗ ଶୁଣିବାକୁ ପଡ଼ନ୍ତା । ଆଉ ଏହି ଅଡୁଆରୁ ମୁଖ୍ୟମନ୍ତ୍ରୀଙ୍କୁ ବଞ୍ଚାଇ ଦେଇଛି କେବଳ ଭାଷା । ସେପଟେ ମନ୍ତ୍ରୀ, ଏମଏଲଏଙ୍କ ଝିନଝଟରୁ ବି ତାଙ୍କୁ ଶାନ୍ତି ଦେଇଛି ଓଡ଼ିଆ ଭାଷାର ଅଜ୍ଞତା । ମନ୍ତ୍ରୀ,ଏମଏଲଏ ନବୀନ ନିବାସ ଯାଉଛନ୍ତି । ହେଲେ ମନ ଭିତର କଥା ଯେମିତି କହିବା କଥା କହିପାରୁନାହାନ୍ତି । କାରଣ ଯାହା କହିବାକୁ ପଡୁଛି ଇଂରାଜୀ ନହେଲେ ହିନ୍ଦୀରେ । ଆଉ ଆମ ନେତାମାନେ ଖଣ୍ଡି ଇଂରାଜୀ କି ହିନ୍ଦୀରେ ନିଜ କଥା କହିଲା ବେଳକୁ ଡର ମାଡ଼ି ଆସୁଛି । ତେଣୁ ଏତେ ଝାମେଲାକୁ ଯିବେ କାହିଁକି, ମୂଳରୁ ନ କହିଲେ ଗଲା ବୋଲି ନେତାମାନେ ଅଭ୍ୟସ୍ତ ହୋଇଗଲେଣି । ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର ସମ୍ମାନ ଓ ଡର ବଢ଼ୁଛି ପଛେ କମୁନାହିଁ ।
ଆଉ କଙ୍କଡ଼ାକୁ ଗୋଳିପାଣି ସୁବିଧା ଭଳି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହା ବେଶ୍ ସୁହାଉଛି । ମାତ୍ର ମିନିଟ୍ କି ଦୁଇ ମିନିଟ୍ କଥାବାର୍ତ୍ତା କରିଦେଲେ କାମ ସରିଲା । ଝାମେଲା ଶୁଣିବାର ନାହିଁ କି ସେଥିରେ ମୁଣ୍ଡ ପୂରାଇବାର ନାହିଁ । ଏହା ହିଁ ନବୀନ ଛତ୍ରଛାୟା ତଳେ ବିଜେଡ଼ି ନେତାଙ୍କ ଶୃଙ୍ଖଳାର ମୁଖ୍ୟ କାରଣ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ଜ୍ଞାନ ଉପରେ ସମାଲୋଚକମାନେ ଯେତେ ଯାହା କହିଲେ ବି ତାକୁ ପରବାଏ ନାହିଁ । ଓଡ଼ିଆ ଜାତିର ସ୍ୱାଭିମାନରୁ କ’ଣ ମିଳିବ? ଲୋକେ ତାଙ୍କୁ ହୃଦୟରେ ଗ୍ରହଣ କରୁଛନ୍ତି ଏବଂ ଭୋଟ ଦେଇ ଲଗାତର ୪ ଥର ମୁଖ୍ୟମନ୍ତ୍ରୀ କଲେଣି । ଓଡ଼ିଆ ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞତା ହୋଇଛି ଓଡ଼ିଆ ଲୋକଙ୍କ ସ୍ୱାଭିମାନ । ଅନ୍ତତଃ ବିଜେଡ଼ି ଚେଲାଚାମଣ୍ଡାମାନେ ଏହାକୁ ମୁକ୍ତ କଣ୍ଠରେ ସ୍ୱୀକାର କରିଦେଲେ ତାକୁ ନେଇ ରାଜନୀତି ହୁଅନ୍ତାନି ।