ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଓଡ଼ି ୦୫ ଏଫ୍-୦୦୦୧ ନମ୍ବର ଗାଡ଼ିଟି ଡି-ବ୍ରଦର୍ସ ଲିଙ୍କଡ୍ ଅଜୟ ବାରିକଙ୍କର । ସେହି ଗାଡ଼ିଟିକୁ ଛାତ୍ର ବିଜେଡ଼ି ସଭାପତି ତଥା ବିଧାୟକ ବ୍ୟୋମକେଶ ଓରଫ୍ ବାପି ରାୟ ଚଢ଼ୁଥିଲେ । ଏହି ସତଟିକୁ ଆଜି ବାପି ରାୟ ସିଧା ସିଧା ମାନିଯାଇଛନ୍ତି । “ମିଡ-ଡେ ଓଡ଼ିଶା” ଖବରକୁ ନେଇ ଛାତ୍ର କଂଗ୍ରେସର ମିଳିତ ଚଢ଼ାଉ ପରେ ବାପି ସତ କଥାଟିକୁ ଛପାଇ ପାରିନାହାନ୍ତି । ତେବେ ଏବେ ନୁହେଁ ସାଧାରଣ ନିର୍ବାଚନ ପୂର୍ବରୁ ସେହି ଗାଡିଟିକୁ ଚଢୁଥିଲେ ବୋଲି ନିଜକୁ ବଞ୍ଚାଇବା ପାଇଁ ସଫେଇ ଦେଇଛନ୍ତି ମାନ୍ୟବର ଯୁବ ବିଧାୟକ । ଅଜୁ ବାରିକଙ୍କ ଗାଡ଼ି ନାଁରେ ବିଧାନସଭା ପାସ୍ କରି ନିଜେ ବିଧାନସଭା ଚଢ଼ିଯିବା କିମ୍ବା ପତ୍ନୀଙ୍କ ଅଫିସ୍ ଯିବା ଆସିବାରେ ଗାଡ଼ି ବ୍ୟବହାର ହେବା କଥାଟିକୁ ଚତୁରତାର ସହ ଫାଙ୍କିଛନ୍ତି ବାପି । ତେବେ ଖୋଦ୍ ବିଜେଡ଼ି ମାହୋଲରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସର ଚଢ଼ାଉ ପରେ ବାପି ରାୟ ନିଜ ଦୋଷ ଘୋଡାଇବା ଉଦ୍ୟମରେ ବାଉଳା ଚାଉଳା ହୋଇଯାଇଛନ୍ତି । ଧଳସାମନ୍ତ ବ୍ରଦର୍ସଙ୍କ ସହ ଅଜୟ ବାରିକଙ୍କ ସମ୍ପର୍କ ନାହିଁ ବୋଲି ତଦନ୍ତକାରୀ ଅଫିସର ଭଳି ବାପି ସାର୍ଟିଫିକେଟ୍ ଦେଇଛନ୍ତି । ମାତ୍ର ବାପି ଠିକ୍ ଜାଣିଛନ୍ତି, କଟକ ଡେପୁଟୀ ମେୟର ଅଜୟ ବାରିକ ଧଳସାମନ୍ତ ବ୍ରଦର୍ସ ଲିଙ୍କ୍ରେ ଥିବା ପୁଲିସ ସୁରାକ୍ ପାଇଛି । ସେଥିପାଇଁ ଜେରା ବି କରିଛି । ଧଳସାମନ୍ତ ମାର୍ଫତରେ ତାଙ୍କ ଚେଲା ଭୂଆଁକୁ କଲେକ୍ସନ୍ ଏଜେଣ୍ଟ କରି ଅଜୁ ଦାଦାବଟି ଆଦାୟ କରୁଥିଲେ । ପ୍ରତିଦିନ ବାଦାମବାଡ଼ି ବସଷ୍ଟାଣ୍ଡରୁ ପ୍ରାୟ ୭୦୦୦ ଗାଡ଼ିମଟରରୁ ଆଦାୟ ହେଉଥିଲା ବଟି । ଶାସକ ଦଳର ଡେପୁଟୀ ମେୟର ସାଙ୍ଗକୁ କଟକ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକର କାଟତିରେ ଅଜୁ ତାଙ୍କ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ଅଭିଯୋଗ ପୁଲିସ ପାଖରେ ଅଛି । ଆଉ ସେହି ଦାଦାବଟି ଟଙ୍କାରେ ଓଡ଼ି ୦୫ ଏଫ୍-୦୦୦୧ ସ୍କର୍ପିଓ ଯେ କିଣା ହୋଇ ନ ଥିବ ତାହା କହିହବନି । ସେହି ଗାଡ଼ିକୁ ଚଢ଼ୁଥିଲେ ବାପି । ଆଜି ଏହି ସତ୍ୟକୁ ବାପି ଚାପି ପାରିନାହାନ୍ତି ।
ପ୍ରଶ୍ନ ଉଠୁଛି, ଅଜୁଙ୍କୁ କ୍ଲିନ୍ ଚିଟ୍ ଦେବାକୁ ବାପି ରାୟ କିଏ? ଅଜୁଙ୍କ ଗାଡ଼ି ସେ କେଉଁ ସମ୍ପର୍କରେ ଚଢୁଥିଲେ? ବିଧାୟକ ହେବା ପରେ ବାପି ସେହି ଗାଡ଼ିର ବିଧାନସଭା ପାସ୍ କରାଇବା କ’ଣ ମିଛ? ଗାଡ଼ିକୁ ପତ୍ନୀ ଅଫିସ ନେବା ଆଣିବାରେ ବ୍ୟବହାର କରୁଥିବା କ’ଣ ମିଛ? ଏହାର ତଦନ୍ତ ଆହ୍ୱାନ କରି ନିଜ ମୁଣ୍ଡରୁ ଦୋଷ ଖସାଇ ପାରିବେ ତ? ରାଜନୀତିରେ କ୍ଷମତାର ଔଦ୍ଧତ୍ୟ ସବୁ ବେଳେ କାଟୁ କରେନି । ପୁଲିସ ତଦନ୍ତ ରଫାଦଫା କରି ଅଜୁଙ୍କୁ କ୍ଲିନ୍ ଚିଟ୍ ଦେବା ଏବଂ ନିଜକୁ ଡି-ବ୍ରଦର୍ସ ଲିଙ୍କ୍ ଅଭିଯୋଗରୁ ମୁକ୍ତ କରିବାର ଦୁଃସାହାସ ଅନ୍ତତଃ ତାଙ୍କ ଭଳି ନେତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ସେ କଥା ବାପି ରାୟ ବୁଝିଯିବା ଦରକାର ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମାମଲାଟିକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ଗ୍ରହଣ କରିଛନ୍ତି । ଗୋଟିକ ପରେ ଗୋଟିଏ ଉତ୍ପାତିଆ ସାନ-ବଡ଼ ନେତାଙ୍କୁ ସାବାଡ଼ ନ କଲେ ନିଜ ଓ ଦଳର ଭାବମୂର୍ତ୍ତି ଯେ ଧୋଇ ହୋଇଯିବ ତାହା ମୁଖ୍ୟମନ୍ତ୍ରୀ ବୁଝି ସେଇ ଅନୁଯାୟୀ ପଦକ୍ଷେପ ନେଉଥିବା ନବୀନ ନିବାସର ଅନ୍ଦର ମହଲରୁ ସୂଚନା ମିଳିଛି । ସେପଟେ ବାପି ରାୟଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସର ଆନ୍ଦୋଳନ ଡାକରା ନବୀନଙ୍କୁ ଅଧିକ ଚିନ୍ତାରେ ପକାଇଛି । ଆସନ୍ତା ୯ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ କମିଶନରେଟ୍ ପୁଲିସ ଅଫିସ ଘେରାଉ ଡାକରା ଦିଆଯିବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ବିଜେଡ଼ି ନେତା ଓ ଖୋଦ୍ ଛାତ୍ର ସଂଗଠନର ସଭାପତିଙ୍କଙ୍କ ଡି-ବ୍ରଦର୍ସ ଲିଙ୍କ୍ ଅଭିଯୋଗ ଦଳର ଭାବମୂର୍ତ୍ତିକୁ ସଙ୍କଟରେ ପକାଇଥିବା ହୃଦୟଙ୍ଗମ କରିଛନ୍ତି ବିଜେଡ଼ି ସୁପ୍ରିମୋ ।