ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଓଆର ୨୯-୦୦୦୧ ପାଜେରୋ ହିସାବ କିତାବ ଶେଷରେ ସିବିଆଇ ହାତକୁ ଯାଇଛି । ଗଣମାଧ୍ୟମରେ ଧୂମ୍ ଚର୍ଚ୍ଚା ହେବା ପରେ ଗତ ୪ ତାରିଖରେ ସିବିଆଇ ସଞ୍ଜୟଙ୍କୁ ନୋଟିସ୍ ଜାରି କରି ପାଜେରୋ ସମ୍ପର୍କିତ ସମସ୍ତ କାଗଜପତ୍ର ମାଗିଥିଲା । ଆଜି(ବୁଧବାର) ସଞ୍ଜୟ ତାଙ୍କର ଜଣେ ଚେଲା ଗୌରାଙ୍ଗ ସାହୁଙ୍କ ହାତରେ କାଗଜପତ୍ର ସିବିଆଇକୁ ପଠାଇଛନ୍ତି ।
ନିଜେ କୋରାପୁଟ ଅଫିସିଆଲ୍ ଗସ୍ତରେ ଥିବା ଦର୍ଶାଇ ଚେଲାକୁ ପଠାଇଥିଲେ ସଞ୍ଜୟ । ଗୋପନୀୟ ରହିଥିବା ଏହି କଥାଟି ଗଣମାଧ୍ୟମକୁ ଲିକ୍ ହୋଇଯିବା ପରେ ସିବିଆଇ ଅଫିସ ସାମନାରେ ସାମ୍ବାଦିକଙ୍କ ଭିଡ଼ ହୋଇଯାଇଥିଲା । ଆଉ ସିବିଆଇ ଅଫିସରେ କାଗଜପତ୍ର ଦେଇ ବାହାରୁଥିବା ଗୌରାଙ୍ଗ କ୍ୟାମେରା ଦେଖି ହଡ଼ବଡ଼େଇ ଯାଇଥିଲେ । ପାଟି ଖନି ମାରିଯାଇଥିଲା । କ’ଣ ପାଇଁ ଆସିଥିଲେ ପଚରାଯିବାରୁ ଡରି ଛାନିଆଁ ହୋଇଯାଇଥିଲେ ଗୌରାଙ୍ଗ । ଭୟରେ ମୁଣ୍ଡ କୁଣ୍ଡାଇ କଥା ଫାଙ୍କି ବହୁ କଷ୍ଟରେ ସାମ୍ବାଦିକଙ୍କ କବଳରୁ ମୁକୁଳି ଆସିଥିଲେ । ତେବେ କୋରାପୁଟ ଗସ୍ତରେ ଥିବା ସଞ୍ଜୟ ସତକଥା ମାନିଯାଇଛନ୍ତି । ସିବିଆଇ ମାଗିଥିବା ପାଜେରୋ ଗାଡ଼ିର କାଗଜପତ୍ର ସେ ଗୌରାଙ୍ଗ ହାତରେ ପଠାଇଥିଲେ ବୋଲି ସ୍ୱୀକାର କରିଛନ୍ତି ।
ଚତୁର୍ଥ ହାଣ୍ଡ ହୋଇସାରିଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଜେରୋ ଓଆର ୨୯-୦୦୦୯ କୁ ଅର୍ଥତତ୍ତ୍ୱ ମାଲିକ ପ୍ରଦୀପ ସେଠୀ ଗିଫ୍ଟ କରିଥିବା ଅଭିଯୋଗ ହୋଇଛି । ଖୋଦ୍ ପ୍ରଦୀପ ସେଠୀ ସିବିଆଇକୁ ଦେଇଥିବା ବୟାନରେ ଏହା ସୂଚାଇଥିଲେ । ଅନ୍ୟପକ୍ଷରେ ସଞ୍ଜୟ ଗାଡ଼ିଟିକୁ ବିଜୟା ବ୍ୟାଙ୍କରୁ ଋଣ କରି କିଣିଥିବା ଦାବି କରୁଛନ୍ତି । ଏହାକୁ ନେଇ ଚର୍ଚ୍ଚାର ଝଡ଼ ବୋହିଥିଲେ ମଧ୍ୟ ଏ ସମ୍ପର୍କିତ କାଗଜପତ୍ର ମିଡ଼ିଆକୁ ଦେଖାଇବାକୁ ରହସ୍ୟଜନକ ଭାବେ କୁଣ୍ଠାବୋଧ ହୋଇଥିଲେ ସଞ୍ଜୟ । ଶେଷ ମୁହୁର୍ତ୍ତରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଏହାର କାଗଜପତ୍ର ଦେଖାଇ ନିଜକୁ ନିଦେ୍ର୍ଦାଷ ଦାବି କରିଛନ୍ତି ସେ । ତେବେ ଏହି ମାମଲାରେ ଶୋଇ ପଡ଼ିଥିବା ସିବିଆଇ ହଠାତ୍ ଚେଇଁଉଠିବା ସଞ୍ଜୟଙ୍କ ମୁଣ୍ଡରେ ଚଡ଼କ ପକାଇଛି । ସିବିଆଇ ତଦନ୍ତ ପାଜେରୋର ରହସ୍ୟ ଖୋଲିଦେବ ବୋଲି ଆଶା କରାଯାଉଛି । ସିବିଆଇକୁ ଦେଇଥିବା କାଗଜପତ୍ରର ସତ୍ୟତା ଉପରେ ସଞ୍ଜୟଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଥିବାରୁ ଏହା ଉପରେ ଏବେ ସମସ୍ତଙ୍କ ନଜର ।