ଭୁବନେଶ୍ୱର: ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଓଡ଼ିଶାରେ ପଛୁଆ ବର୍ଗଙ୍କ ମୁଣ୍ଡଗଣତି ପାଇଁ କେନ୍ଦ୍ର ସରକାରଙ୍କୁ ଆଉ କାକୁତୀ କରିବାକୁ ପଡ଼ିବନି । ରାଜ୍ୟ ସରକାର ଏହି କ୍ଷମତା ନିଜ ହାତକୁ ଆଣିଛନ୍ତି । ସାମାଜିକ ଏବଂ ଶିକ୍ଷାକ୍ଷେତ୍ରରେ ପଛୁଆ ବ୍ୟକ୍ତିଙ୍କ ସର୍ଭେ ତାଲିକା ରାଜ୍ୟ ସରକାର ନିଜେ ପ୍ରସ୍ତୁତ କରିବେ । ଏଥିପାଇଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ନିୟମାବଳୀ,୧୯୯୩ର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଆଗତ କରିଥିବା ସଂକଳ୍ପ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଏହି ସଂଶୋଧିତ ଆଇନ ବଳରେ ପଛୁଆ ବର୍ଗ କମିଶନଙ୍କ ଦ୍ୱାରା ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସର୍ଭେ କରାଯିବ ।
ଗତ ଜାନୁଆରୀ ୧୧ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସମ୍ଭବତଃ ଏହାର ମୂଳଦୁଆ ପଡ଼ିଥିଲା । ଆଜି ରାଜ୍ୟ ବିଧାନସଭାର ସଂକଳ୍ପ ପାରିତ ହେଲା ପରେ ଆଇନ ସଂଶୋଧନର ବାଟ ଖୋଲିଯାଇଛି । ସୁତରାଂ ୯୦ ବର୍ଷ ଧରି ଅଚଳ ରହିଥିବା ସର୍ଭେ କାର୍ଯ୍ୟର ଫଇସଲା ମାତ୍ର ୯୦ ମିନିଟ୍ ରେ ସମ୍ଭବ ହୋଇଛି । ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ସଂକଳ୍ପ ଯୋଗୁଁ । ଏହା ଏକ ଐତିହାସିକ ପଦକ୍ଷେପ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସଂକଳ୍ପଟିକୁ ଆଗତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପୂର୍ବରୁ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ମର୍ଯ୍ୟାଦା ଓଡ଼ିଶା ପାଇଥିଲା । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶା ଏଥିପାଇଁ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବା ସହ ରାଜ୍ୟକୁ ବିକାଶ ପଥରେ ଆଗକୁ ବଢ଼ାଇଥିଲା । ତେବେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଛୁଆ ବର୍ଗଙ୍କ ତଥ୍ୟର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଦୁର୍ଭାଗ୍ୟର କଥା ଯେ ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ୯୦ ବର୍ଷ ଧରି ତାହା ହୋଇପାରିନାହିଁ । ଶେଷଥର ପାଇଁ ୧୯୩୧ ମସିହାରେ ଏହି ଜନଗଣନା ହୋଇଥିବାରୁ ଏବେକାର ତଥ୍ୟ ଜାଣିବା ସମ୍ଭବ ହୋଇନାହିଁ । ସାମାଜିକ,ଶିକ୍ଷାଗତ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ସଂଖ୍ୟାର ନିର୍ଦ୍ଦିଷ୍ଟ ତଥ୍ୟ ନ ଥିବାରୁ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମରେ ଅନ୍ତରାୟ ସୃଷ୍ଟି ହେଉଛି ।
ଭାରତ ସରକାର ଏହାର ଆବଶ୍ୟକତା ଉପବଲବ୍ଧ କରିବା ପରେ ୨୦୧୧ ମସିହା ଜନଗଣନାରେ ସାମାଜିକ-ଅର୍ଥନୈତିକ ଏବଂ ଜାତି ଗଣନା କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ମାତ୍ର ଏହାର ସମ୍ପୂର୍ଣ୍ଣ ସର୍ଭେ ରିପୋର୍ଟ ଆସିପାରିଲା ନାହିଁ । ୨୦୧୭ ମସିହାରେ କେନ୍ଦ୍ର ସରକାର ଅଳ୍ପ କିଛି ସରକାରୀ ଯୋଜନାର ହିତାଧିକାରୀ ଚିହ୍ନଟ ପାଇଁ ଆଶିଂକ ତଥ୍ୟ ଦେଇ କାମ ଚଳେଇ ଦେଇଥିଲେ । ତକ୍ରାଳୀନ ଗୃହମନ୍ତ୍ରୀ ରାଜନାଥ ସିଂ ପଛୁଆ ବର୍ଗ ସର୍ଭେ ତାଲିକାକୁ ନିଜେ ମନିଟରିଂ କରୁଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ବାସ୍ତବରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଲାନି ।
ଆହୁରି ଦୁର୍ଭାଗ୍ୟର କଥା କି ୨୦୨୧ ମସିହାରେ ହେବାକୁ ଥିବା ଜନଗଣନା ସର୍ଭେ ଫର୍ମାଟ୍ ରେ ପଛୁଆ ବର୍ଗ ତାଲିକା ସ୍ଥାନ ପାଇନାହିଁ । ଏହାକୁ ଫର୍ମାଟ୍ ରେ ସ୍ଥାନିତ କରିବାକୁ ଗତ ଜାନୁଆରୀ ୧୧ ତାରିଖର କ୍ୟାବିନେଟ୍ ବୈଠକରେ ପାରିତ ଏକ ସଂକଳ୍ପ ଜରିଆରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ନିକଟରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡ଼ି ସାଂସଦମାନେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ଫଳ ମିଳିଲା ନାହିଁ ।
ଇତିମଧ୍ୟରେ ଗତ ୧୨ ତାରିଖରେ ରାଜ୍ୟ ସରକାର ଓଡ଼ିଶା ପଛୁଆ ବର୍ଗ କମିଶନ ଗଠନ କରି ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ୱାଳଙ୍କୁ ଅଧ୍ୟକ୍ଷ ନିଯୁକ୍ତି କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ସୂଚାଇ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ମହାତ୍ମା ଗାନ୍ଧୀଙ୍କ ୧୫୦ ଜନ୍ମବାର୍ଷିକୀ ପାଳନ କରୁଛେ । ସମାଜରେ ଅବହେଳିତ, ପଛୁଆ ବର୍ଗ ସଶକ୍ତ ହେଲେ ଯାଇ ଭାରତ ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିବ ବୋଲି ଗାନ୍ଧୀଜୀ ସ୍ୱପ୍ନ ଦେଖିଥିଲେ । ଗାନ୍ଧୀଜୀଙ୍କ ଏହି ସ୍ୱପ୍ନ ଓ ଆଦର୍ଶକୁ ରାଜ୍ୟ ସରକାର ପାଥେୟ କରି ଆଗକୁ ଚାଲୁଛନ୍ତି । ପଛୁଆ ଶ୍ରେଣୀଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ରାଜ୍ୟ ସରକାର ନିଜ ହାତକୁ ଆଣିବା ଗାନ୍ଧୀଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।