ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ କ’ଣ ହେବ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଯାଇଛି । ୯ ସଦସ୍ୟ ବିଶିଷ୍ଟ ଏହି ଦଳ ଏନଡିଏ ପଟେ ରହିବ ନା ବିରୋଧୀ ମେଣ୍ଟ ପଟେ ରହିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉଭୟ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତାରେ ବିଶ୍ୱାସ ରଖିଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମନାଇବା ପାଇଁ ଉଭୟ ପକ୍ଷ ବ୍ୟାକୁଳ ହୋଇପଡ଼ିଛନ୍ତି । ମୁମ୍ବାଇ ଗସ୍ତରେ ଥିବା ନବୀନଙ୍କ ସହ ଆଜି ବିଜେପି ସଭାପତି ଅମିତ୍ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂ, ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡ଼ିୟୁ ନେତା ନୀତିଶ କୁମାର ଟେଲିଫୋନ୍ ରେ କଥା ହୋଇଛନ୍ତି । ସେପଟେ ବିରୋଧୀ ମେଣ୍ଟରୁ ଶରଦ ପାୱାର ବି ନବୀନଙ୍କ ସହ କଥା ହୋଇଥିବା ଜଣାପଡ଼ିଛି ।
୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଉପାଧ୍ୟକ୍ଷ ପଦ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୨୨ । ମାତ୍ର ଏନଡିଏ ଏବଂ ୟୁପିଏ ଏହାଠାରୁ ଦୂରରେ ଅଛନ୍ତି । ଏନଡିଏ ସପକ୍ଷରେ ୧୧୫ ସଦସ୍ୟଙ୍କ ସମର୍ଥନ କୁହାଯାଉଥିବା ବେଳେ ଟିଡିପିର ୬ ସଦସ୍ୟଙ୍କୁ ମିଶାଇଲେ ୟୁପିଏ ସପକ୍ଷରେ ୧୧୭ ସଦସ୍ୟଙ୍କ ସମର୍ଥନ ଥିବା କୁହାଯାଉଛି । ତେଣୁ ଉଭୟ ପକ୍ଷରୁ ଯିଏ ବି ବିଜେଡ଼ିର ସମର୍ଥନ ପାଇବେ ତାଙ୍କ ହାତକୁ ଆସିବ ଉପାଧ୍ୟକ୍ଷ ଆସନ । ବିଜେଡ଼ି କାହାରିକୁ ସମର୍ଥନ ନ ଦେଇ ଭୋଟଦାନରୁ ଦୂରେଇ ବି ରହିପାରେ । ତେବେ ଯାହା ବି ହେଉ, ନବୀନ ପଟ୍ଟନାୟକ ହେବେ ଅସଲ ଖେଳାଳୀ ।
ଇତିମଧ୍ୟରେ ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂହ ଏନଡିଏ ପ୍ରାର୍ଥୀ ହେବା ଚୂଡ଼ାନ୍ତ ହୋଇସାରିଛି । ୟୁପିଏ ପକ୍ଷରୁ କିଏ ପ୍ରାର୍ଥୀ ହେବେ ଏଯାଏଁ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏନସିପି ସଭ୍ୟ ବନ୍ଦନା ଚଭନ୍ ପ୍ରାର୍ଥୀ ହେବାର ସମ୍ଭାବନା ଅଛି । ଆସନ୍ତାକାଲି(୮ ତାରିଖ) ୧୨ ଟା ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ହେବ । ୯ ତାରିଖ ପୂର୍ବାହ୍ନ ୧୧ଟାରେ ଭୋଟଗ୍ରହଣ ହେବ । ବିଜେଡ଼ି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆସନ୍ତାକାଲି ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରିବ । ତେବେ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା କଥାରେ ବିଜେଡ଼ି ଛିଡ଼ା ହୋଇଥିବାରୁ ସସପେନ୍ସ ଲାଗିରହିଛି ।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି । ବିଜେପି ସଭାପତି ଅମିତ୍ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ କରି ସମର୍ଥନ ମାଗିଥିବା ସେ କହିଛନ୍ତି । ଅତୀତରେ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗମାଙ୍କ ସପକ୍ଷରେ ବିଜେଡ଼ି ଜେଡ଼ିୟୁର ସମର୍ଥନ ଲୋଡ଼ିଥିଲା । ମାତ୍ର ଜେଡ଼ିୟୁ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲା । ଏବେ ଜେଡ଼ିୟୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ନୀତିଶ କୁମାର ନବୀନଙ୍କ ସମର୍ଥନ ଲୋଡ଼ିଛନ୍ତି । ଆସନ୍ତାକାଲି ବିଜେଡ଼ି ତାହାର ନିଷ୍ପତ୍ତି ନେବ ବୋଲି ମୁଖପାତ୍ର ଡ. ପାତ୍ର କହିଛନ୍ତି ।