ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ.କରୁଣାନିଧିଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇର କାବେରୀ ହସ୍ପିଟାଲ୍ ରେ ଚିକିତ୍ସାଧୀନ କରୁଣାନିଧି ଆଜି ସଂଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସଂଧ୍ୟା ୬ଟା ୧୦ରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଜୁଲାଇ ୨୬ ତାରିଖରେ ତାଙ୍କୁ କାବେରୀ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ତେବେ ବେଳକୁ ବେଳ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ତାଙ୍କର ଶରୀରର ବିଭିନ୍ନ ଅଙ୍ଗ ଅକାମି ହୋଇଯାଇଥିଲା । ତାଙ୍କ ମୃତ୍ୟୁ ଖବର ସମଗ୍ର ତାମିଲନାଡୁବାସୀଙ୍କୁ ଶୋକରେ ବୁଡ଼ାଇ ଦେଇଛି । ଆଜି କାବେରୀ ହସ୍ପିଟାଲ୍ ବାହାର ଜନସମୁଦ୍ର ପାଲଟିଯାଇଛି । କରୁଣାନିଧିଙ୍କ ମୃତ୍ୟୁରେ ଦେଶର ବରିଷ୍ଠ ରାଜନେତାମାନେ ଗଭୀର ଶୋକପ୍ରକାଶ କରିଛନ୍ତି ।
୧୯୨୪ ଜୁନ୍ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ କରୁଣାନିଧି । ମାତ୍ର ୧୪ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ । ୧୯୫୭ ମସିହାରେ ପ୍ରଥମ ଥର ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୧ ମସିହାରେ ସେ ଡିଏମକେର କୋଷାଧ୍ୟକ୍ଷ ହେବା ସହ ବିରୋଧୀ ଦଳ ନେତା ହୋଇଥିଲେ । ୧୯୬୭ ମସିହାରେ ଅନ୍ନାଦୁରାଇଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ୧୯୬୯ ମସିହାରେ ଅନ୍ନାଦୁରାଇଙ୍କ ପରଲୋକ ହେବାରୁ ତାଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ କରୁଣାନିଧି । ସମୁଦାୟ ୫ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ସହ ୧୩ ଥର ବିଧାନସଭାକୁ ନିର୍ବାଚିତ ହେବାର ରେକର୍ଡ ସୃଷ୍ଟି କରିଥିଲେ ।
କରୁଣାନିଧିଙ୍କ ମୃତ୍ୟୁରେ ତାମିଲନାଡୁ ସ୍ତବ୍ଧ ହୋଇଯାଇଛି । ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏହି ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁନାହାନ୍ତି । ହସ୍ପିଟାଲ୍ ବାହାର ଜନସମୁଦ୍ର ପାଲଟିଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ସମର୍ଥକଙ୍କର ସୁଅ ଛୁଟିଛି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । କରୁଣାନିଧିଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ରାଜନେତାମାନେ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେମାନେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କରୁଣାନିଧିଙ୍କୁ ଟଲେଷ୍ଟ ଲିଡର ଭାବେ ବର୍ଣ୍ଣନା କରିଛନ୍ତି । ତାମିଲନାଡୁ ବିକାଶ ଓ ଦେଶର ରାଜନୀତିରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୁଣାନିଧିଙ୍କ ଶେଷକୃତ୍ୟରେ ଯୋଗଦେବାକୁ ସେ ଦଳର ନେତା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ଚେନ୍ନାଇ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।