ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଆସନ୍ତାକାଲି ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେସନ । ପଞ୍ଚଦଶ ବିଧାନସଭାର ଏହି ଷଷ୍ଠ ଅଧିବେସନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିରେ ମୋଟ ୩୩ ଟି କାର୍ଯ୍ୟଦିବସ ରହିଛି । ଅଧିବେସନରେ ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ ଯୋଗଦେବା ନେଇ ଅନେକଙ୍କ ମନରେ ଆଶଙ୍କା ଥିଲେ ମଧ୍ୟ ତାହା ଦୂର ହୋଇଛି । ନବ ଦାସ ସ୍ୱାଭାବିକ ଭାବେ ଅଧିବେସନରେ ଯୋଗଦେବେ । ଗତ ଶୀତ ଅଧିବେସନରେ ବାଚସ୍ପତି ତାଙ୍କୁ ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ମାତ୍ର ଦୁଇ ଦିନ ଗୃହ ଚାଲିଲା ପରେ ଅଧାରୁ ବନ୍ଦ ହୋଇଯାଇଥିଲା । ତେବେ ଏଥର ବିଧାନସଭାରେ ନବ ଦାସ ପୁରୁଣା ସସ୍ପେଣ୍ଡ ଆଦେଶ ଅନୁଯାୟୀ ଅବଶିଷ୍ଟ ୫ ଦିନର ଅବଧି କାଟିବେ ନା ନାହିଁ ସେ ନେଇ ଅନେକଙ୍କ ମନରେ ପ୍ରଶ୍ନ ଥିଲା । ମାତ୍ର ପୂର୍ବ ଅଧିବେସନରେ ବିଧାୟକଙ୍କ ଉପରେ ସସ୍ପେଣ୍ଡ ଆଦେଶ ସହ ଚଳିତ ଅଧିବେସନର କୌଣସି ସମ୍ପର୍କ ନାହିଁ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି । ଅର୍ଥାତ୍ ନବ ଦାସ କାର୍ଯ୍ୟରେ ଯୋଗଦେବା ନେଇ ପ୍ରଶ୍ନ ହିଁ ନାହିଁ ।
ନବ ଦାସଙ୍କ ସସପେଣ୍ଡ ପ୍ରସଙ୍ଗ ଉପରେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ ଦଳର ମୁଖ୍ୟ ସଚେତକ ଓ ରଣେନ୍ଦ୍ର ସ୍ୱାଇଁଙ୍କ ଭଳି ବରିଷ୍ଠ ବିଧାୟକଙ୍କଠାରୁ ସାମ୍ବାଦିକମାନେ ଜାଣିବାକୁ ଚାହିଁଥିଲେ । ମାତ୍ର ସେମାନେ ଏ ପ୍ରସଙ୍ଗରେ କୌଣସି ସଠିକ୍ ଜବାବ ଦେଇ ନ ପାରି ବାଚସ୍ପତିଙ୍କ ନିଷ୍ପତି ଉପରକୁ କଥା ଛାଡ଼ିଥିଲେ । ସେମାନଙ୍କ ଆଚରଣ କହିଥିଲା ନବ ଦାସଙ୍କ ଭବିଷ୍ୟତ ବାଚସ୍ପତିଙ୍କ ହାତରେ । ଶାସକ ଦଳର ଏହି ବରିଷ୍ଠ ସଦସ୍ୟମାନେ ନବ ଦାସଙ୍କ ସସ୍ପେଣ୍ଡ ପ୍ରସଙ୍ଗ ଉପରେ ବିଧାନସଭା ନୀତି ନିୟମ ଉପରେ ନିଜର ଅଜ୍ଞତା ପ୍ରକାଶ କରିଥିଲେ ।
ଗତ ଶୀତ ଅଧିବେସନରେ ଗୃହର ପ୍ରଶ୍ନକାଳରେ ନବ ଦାସ ନିଜ ମୋବାଇଲରେ ଅଶ୍ଲୀଳ ଭିଡ଼ିଓ ଦେଖୁଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମର ରିପୋର୍ଟ ଭିତ୍ତିରେ ଶାସକ ଦଳର ସଭ୍ୟଙ୍କ ଅଭିଯୋଗକୁ ବାଚସ୍ପତି ତୁରନ୍ତ ଗ୍ରହଣ କରି ନବଙ୍କୁ ୭ ଦିନ ପାଇଁ ସସ୍ପେଣ୍ଡ ଆଦେଶ ଦେଇଥିଲେ । ଡିସେମ୍ବର ୧୫ ତାରିଖରେ ଏହି ଘଟଣା ଘଟିଥିଲା । ତେବେ ନବଙ୍କୁ ତାଙ୍କ ପକ୍ଷ ରଖିବାର ସୁଯୋଗ ନ ଦେଇ ବାଚସ୍ପତିଙ୍କ ତ୍ୱରିତ ପଦକ୍ଷେପକୁ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ବିରୋଧ କରି ଗୃହ ବର୍ଜନ କରିଥିଲେ । ଗୃହର କାର୍ଯ୍ୟ ପୁଣି ୮ ଦିନ ବାକି ଥିବା ବେଳେ ପରଦିନ ସରକାରୀ ଦଳର ଇଙ୍ଗିତରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଥିଲେ ।