ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଭାରତବର୍ଷର ୧୪୦ ଜଣ ବ୍ୟକ୍ତି ୬୦ ଟି ବ୍ୟାଙ୍କରୁ ୧୧ ଲକ୍ଷ ୬୦ ହଜାର କୋଟିର ଋଣ ଠକିନେଇଛନ୍ତି । ବିଜୟ ମାଲ୍ୟା ୧୭ ଟି ବ୍ୟାଙ୍କରୁ ୯ ହଜାର କୋଟି ଋଣ ନେଇ ଚମ୍ପଟ୍ ମାରିଛନ୍ତି । ଅନ୍ୟ ୧୩୯ ଜଣ ଏଭଳି ମୋଟା ଅଙ୍କର ଋଣ ବ୍ୟାଙ୍କମାନଙ୍କଠାରୁ ନେଇ ବର୍ଷ ବର୍ଷ ଧରି ଦେଉନାହାନ୍ତି । ବ୍ୟାଙ୍କ ଏହି ଋଣଗୁଡ଼ିକୁ ଏନପିଏ ଖାତାକୁ ଚଢ଼ାଇ ଦେଇଛି । ଦେଶର ଏହି ୧୪୦ ଜଣ ଖିଲାପି ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାର ଜଣେ ବିଜୟ ମାଲ୍ୟା ଅଛନ୍ତି । ଅସମର୍ଥିତ ସୂତ୍ରର ଖବର ଅନୁଯାୟୀ, ସେ ହେଉଛନ୍ତି ଇମଫା ଗ୍ରୁପ୍ର ପ୍ରତିଷ୍ଠାତା ବଂଶୀଧର ପଣ୍ଡା । ବିଭିନ୍ନ ବ୍ୟାଙ୍କ ଖାତାରେ ତାଙ୍କ ନାମରେ ଶହ ଶହ କୋଟି ଟଙ୍କାର ଋଣ ଗଡୁଛି । ନିର୍ଦ୍ଦିଷ୍ଟ ଭାବେ ଏହି ଋଣ ପରିମାଣ କେତେ ତାହା ପ୍ରକାଶ ପାଇ ନ ଥିଲେ ମଧ୍ୟ ଓଡ଼ିଶାବାସୀଙ୍କୁ ଏହା ଚକିତ କଲା ଭଳି ବୋଲି ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ ଉଚ୍ଚ ପଦାଧିକାରୀ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଏହି ତଥ୍ୟ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଇମଫା ନାଁରେ ବ୍ୟାଙ୍କ ଋଣ କାରବାରର ପ୍ରଚ୍ଛଦପଟରେ ଅଛନ୍ତି ବଂଶୀଧର ପଣ୍ଡାଙ୍କ ପ୍ରଭାବଶାଳୀ ସାଂସଦ ପୁଅ ବୈଜୟନ୍ତ ପଣ୍ଡା । ନିଜର ପ୍ରଭାବ ବଳରେ ସେ ବିଭିନ୍ନ ବ୍ୟାଙ୍କରୁ ଶହ ଶହ କୋଟି ଟଙ୍କା ଋଣ ଆଣିବାରେ ସମର୍ଥ ହୋଇଛନ୍ତି ଏବଂ ବର୍ଷ ବର୍ଷ ଧରି ଋଣ ନ ସୁଝି ବ୍ୟାଙ୍କକୁ ଠକିବା(!)ରେ ବି ସମର୍ଥ ହୋଇଛନ୍ତି । ବିଜୟ ମାଲ୍ୟାଙ୍କ ଭଳି ବୈଜୟନ୍ତ ବି ଏହି ବ୍ୟାଙ୍କ ଟଙ୍କାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ଦିଲ୍ଲୀ ମହଲରେ ଏହି ନାଁ ଆଉ ଲୁଚି ନାହିଁ । ପାର୍ଲିଆମେଣ୍ଟରେ ବିଜେଡ଼ି ସଂସଦୀୟ ଦଳ ନେତା ଏହି ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କ ନାଁ ନେଇନାହାନ୍ତି ସତ ହେଲେ ଓଡ଼ିଶାର ଜଣେ ସାଂସଦ ଏହି ବ୍ୟାଙ୍କ ଋଣ ଖିଲାପୀ ତାଲିକାରେ ଥିବା କହିଛନ୍ତି । ଅନୁମତି ମିଳିଲେ ସେ ନାଁ ପ୍ରକାଶ କରିବେ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ଭର୍ତ୍ତୃହରି । ଅର୍ଥାତ୍ ବିଜେଡ଼ି ସଂସଦୀୟ ଦଳ ନେତା ନିଜ ଦଳର ଜଣେ ସାଂସଦଙ୍କ ନାଁ ସଂସଦରେ ପ୍ରକାଶ କରିବାକୁ ତୟାର ହୋଇଛନ୍ତି ।
ଏକଥା ନିଶ୍ଚିତ ଯେ ଦିଲ୍ଲୀରେ ୬ ଦିନ ରହଣୀ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେ ଏହା ଅଜଣା ଅଛି ତାହା ନୁହେଁ । ତେବେ ବୈଜୟନ୍ତଙ୍କ ମୁଖା ଖୋଲିବାକୁ ସେ ଭର୍ତ୍ତୃହରିଙ୍କୁ ଇସାରା ଦେଇଥିବା ସ୍ପଷ୍ଟ ହୋଇଛି । କାରଣ ଏତେ ବଡ଼ ମାମଲାରେ ନିଜ ଦଳର ସାଂସଦଙ୍କ ଗୋହି ଖୋଳିବାକୁ ନବୀନଙ୍କ ବିନା ପରାମର୍ଶରେ ଭର୍ତ୍ତୃହରି ଯେ ସାହାସ କରିଥିବେ ତାହା ଜମାରୁ ବିଶ୍ୱାସଯୋଗ୍ୟ ନୁହେଁ ।
ଉଲ୍ଲେଖଯୋଗ୍ୟ ଯେ ଅତୀତରେ ବୈଜୟନ୍ତ ପଣ୍ଡା ପରିବାରର ଇମଫାକୁ ରାଜ୍ୟ ସରକାର ୨୪୦୦ କୋଟି ଟଙ୍କା ଋଣ ଛାଡ଼ କରି ବିବାଦକୁ ଆସିଥିଲେ । ସାରା ରାଜ୍ୟରେ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ସେହି ସୁବିଧା ହାସଲ କରିବାକୁ ବୈଜୟନ୍ତ ଅଲଗା ବାଟରେ ଖେଳ କରିଥିବା କୁହାଯାଉଛି । ହୁଏତ ବିଜୟ ମାଲ୍ୟାଙ୍କ ଆଦର୍ଶ ତାଙ୍କୁ ଏଥିପାଇଁ ଅନୁପ୍ରାଣିତ କରିପାରିଥାଏ । କଥା ହେଉଛି, ସାଧାରଣ ଲୋକଟିଏ ଟଙ୍କା ୧୦/ ୨୦ ହଜାର ବ୍ୟାଙ୍କ ଋଣ ପାଇବା କେତେ କଷ୍ଟ ତାହା ଅନୁଭବୀ ଜାଣେ । ଶହେ ଥର ବ୍ୟାଙ୍କ ଦୌଡି କାଗଜପତ୍ର ସହ କାକୁତୀ ମିନତୀ ହେଲେ ବି ଋଣ ମିଳେନି । ରାଜ୍ୟର ଏମିତି ବହୁ ମେଧାବୀ ଛାତ୍ରଛାତ୍ରୀ ବ୍ୟାଙ୍କଠାରୁ ସହଯୋଗ ନ ପାଇ ବରବାଦ ହୋଇଯାଉଛନ୍ତି । ମାତ୍ର ବିଜୟ ମାଲ୍ୟା, ବୈଜୟନ୍ତ ପଣ୍ଡାଙ୍କ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଏଭଳି ସହୃଦୟତା ଏବେ ବିତର୍କର ବିଷୟ ହୋଇଥିବା ବେଳେ ସେମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ସମସ୍ତଙ୍କ ଅପେକ୍ଷା ।