ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନିରବତା ଭାଙ୍ଗି ପ୍ରସାଦ ହରିଚନ୍ଦନ ଶେଷରେ ରମେଶ ଜେନାଙ୍କ ସପକ୍ଷରେ ବାହାରିଛନ୍ତି । ରମେଶଙ୍କୁ ରାତିଅଧିଆ ଗିରଫଦାରି ପ୍ରତିବାଦରେ ଆସନ୍ତାକାଲି ବ୍ରହ୍ମପୁର ଆଇଜି ଅଫିସ ଘେରାଉକୁ ସେ ସମର୍ଥନ ଘୋଷଣା କରିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ ଏହି ଆନ୍ଦୋଳନକୁ ପୂର୍ଣ୍ଣମାତ୍ରାରେ ଆଗକୁ ନେବ ବୋଲି ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଶେଷ ମୁହୁର୍ତ୍ତରେ ପ୍ରସାଦ ଏହି ପ୍ରସଙ୍ଗରେ ଆଗକୁ ବାହାରି ଲୁଲୁ ମହାପାତ୍ର ଓ ତାରା ବାହିନୀପତିଙ୍କ ଭଳି ଟାଣୁଆ ନେତାଙ୍କ ଆକ୍ରୋଶରୁ ବର୍ତ୍ତିଯାଇଛନ୍ତି ।
ପ୍ରସାଦ କହିଛନ୍ତି, ଅପରାଧୀଙ୍କୁ କଂଗ୍ରେସ ସମର୍ଥନ କରୁନାହିଁ । ମାତ୍ର ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ପୁଲିସ ଯେଉଁ ଢ଼ଙ୍ଗରେ ଘରୁ ଉଠାଇ ନେଲା ସେଥିରୁ ରାଜନୈତିକ ଆକ୍ରୋଶ ସ୍ପଷ୍ଟ ବାରି ହୋଇପଡୁଛି । ରମେଶଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ । ପୁଲିସ ସ୍କାନରରେ ସେ ଥାଇପାରନ୍ତି । ହେଲେ ପୁଲିସ ଆଖିରୁ ସେ ନିଜକୁ ଲୁଚାଇ ନ ଥିଲେ । ତାଙ୍କ ନାଁରେ ୱାରେଣ୍ଟ ନ ଥିଲା କି ସେ ଫେରାର ଆସାମୀ ନ ଥିଲେ । ପୁଲିସ କୌଣସି ବିଷୟରେ ଯଦି ତଦନ୍ତ କରିବାର ଥିଲା ତେବେ ଆଗୁଆ ନୋଟିସ୍ ଦେଇ ଥାନାକୁ ଡକାଇ ପାରିଥାଆନ୍ତା । ମାତ୍ର ସେଭଳି କିଛି ନ ହୋଇ କି ନ କରି ପୁଲିସ ରାତିଅଧରେ ତାଙ୍କୁ ଘରୁ ଉଠାଇ ନେବା ପଛରେ ରାଜନୈତିକ ଗନ୍ଧ ବାରିଛନ୍ତି ପିସିସି ସଭାପତି ପ୍ରସାଦ । ପୁଲିସର ଏଭଳି ଆକ୍ରୋଶମୂଳକ ପଦକ୍ଷେପ ବିରୋଧରେ କଂଗ୍ରେସ ସଂଗ୍ରାମ କରିବ ବୋଲି ସେ ଘୋଷଣା କରିଛନ୍ତି ।
ରମେଶ ଜେନାଙ୍କ ଗିରଫରେ ଦକ୍ଷିଣାଞ୍ଚଳ ଆଇଜି ଅଫିସ ଘେରାଉ କଥା ପ୍ରଥମେ କଂଗ୍ରେସ ମୁଖ୍ୟ ସଚେତକ ତାରା ବାହିନୀପତି ମିଡ଼ିଆରେ ଘୋଷଣା କରିଥିଲେ । ଲୁଲୁ ମହାପାତ୍ର ଏହାକୁ ପୂର୍ଣ୍ଣମାତ୍ରାରେ ସହଯୋଗ ଦେଇଥିଲେ । ହେଲେ ଏ ନେଇ ପ୍ରସାଦ ହରିଚନ୍ଦନଙ୍କ ନିରବତା ମାମଲାକୁ ଅକଳିଆ କରିଥିଲା । କେବଳ ଲୁଲୁ ଏବଂ ତାରା ରମେଶ ଜେନାଙ୍କ ସପକ୍ଷରେ ବାହାରି ଆନ୍ଦୋଳନ ରାସ୍ତା ଧରୁଥିବା ପ୍ରଚାର ହୋଇଥିଲା । ଏହି ଆନ୍ଦୋଳନରେ ରାଜ୍ୟ କଂଗ୍ରେସର ସମର୍ଥନ ନାହିଁ ବୋଲି ପ୍ରସାଦଙ୍କ ନିରବତା ବାର୍ତ୍ତା ଦେଇଥିଲା । ତେବେ ଶେଷ ମୁହୁର୍ତ୍ତରେ ପ୍ରସାଦ ତାଙ୍କ ନିରବତା ଭାଙ୍ଗି ସାମ୍ବାଦିକ ସମ୍ମିଳନୀରେ ରମେଶ ଜେନାଙ୍କ ସପକ୍ଷରେ ବାହାରି ମାମଲାକୁ ସ୍ପଷ୍ଟ କରିଛନ୍ତି ।
ଆସନ୍ତାକାଲି ବ୍ରହ୍ମପୁରରେ କଂଗ୍ରେସର ଆଇଜି ଅଫିସ ଘେରାଉକୁ ସମ୍ପୂର୍ଣ୍ଣ ସଫଳ କରି ସରକାର ଓ ପୁଲିସ ଉପରେ ଚାପ ପକାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଯାହା ଖବର ମିଳିଛି, ବ୍ରହ୍ମପୁରରେ ଆଇଜି ଅଫିସ ଘେରାଉ ବେଳେ ହିଂସାକାଣ୍ଡ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି । ବ୍ରହ୍ମପୁରରେ କଂଗ୍ରେସ ନିଜର ତାକତ୍ ଦେଖାଇବାକୁ ଏହି ସୁଯୋଗ ହାତଛଡ଼ା କରିବ ନାହିଁ । ପିସିସି ସଭାପତିଙ୍କ ଏହି ଖୋଲା ଆଭିମୁଖ୍ୟରେ ଦଳର କିଛି ବରିଷ୍ଠ ନେତା ଅସୁଖୀ ଥିଲେ ମଧ୍ୟ କର୍ମୀମହଲରେ ସ୍ୱାଗତ କରାଯାଇଛି । ବ୍ରହ୍ମପୁରରେ ରମେଶ ଜେନାଙ୍କ ସମର୍ଥକଙ୍କୁ ଏହା ମାନସିକ ଭାବେ ଦୃଢ଼ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରସଙ୍ଗକୁ ନେଇ କଂଗ୍ରେସରେ ସମ୍ଭାବ୍ୟ ବିଦ୍ରୋହକୁ ଟାଳିଦେଇଛନ୍ତି ପ୍ରସାଦ ।