ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅରଟେଲ୍ କନେକ୍ସନ୍ରେ ନେଟ୍ କି ଟିଭି ବ୍ୟବହାର କରୁଥିବା ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ମୁଣ୍ଡ ପିଟିଦେଲେ ବି ଅଭିଯୋଗ କେହି ଶୁଣିବାର ନାହିଁ । ଦିନେ ଓଳିଏ ନୁହେଁ, ମାସ ମାସ ଧରି ନେଟ୍ କି ଟିଭି ନ ଆସିଲେ କମ୍ପାନୀବାଲା କମ୍ପ୍ଲେନ୍ ଶୁଣିବାର ନାହିଁ । କମ୍ପ୍ଲେନ୍ ଲଜ୍ ପାଇଁ ଫୋନ୍ କଲେ ସେପଟୁ ଯୁବତୀ କି ଯୁବକ ଜଣେ କଅଁଳିଆ ସ୍ୱରରେ ସବୁ ଶୁଣିବେ । କହିବେ ଠିକ୍ ଅଛି ଆମେ କମ୍ପ୍ଲେନ୍ ଲଜ୍ କରିଦେଉଛୁ । ଆପଣଙ୍କର ୨/୪ ଘଣ୍ଟା ଭିତରେ ଠିକ୍ ହୋଇଯିବ । ତେବେ ତାହା ତ ହେବନି, ବରଂ ଆପଣ ଯେତେଥର ଅଭିଯୋଗ କରୁଥିବେ ସେଇ ସମାନ ଉତ୍ତର ପାଇବେ । ମାସ ମାସ ଧରି ଏମିତି ଚାଲୁଥିଲେ ବି କନେକ୍ସନ୍ ସଜଡ଼ା ହୋଇପାରୁନି । ଆପଣ ଭାବିପାରୁଛନ୍ତି ତ ଏହି ସାଂଘାତିକ କଥାଟିକୁ । ଲୋକଙ୍କୁ ସେବା ଦେବେ କ’ଣ ଅରଟେଲ୍ ସଂସ୍ଥା ଲୋକଙ୍କୁ ଏମିତି ଭାଣ୍ଡାମୀ କରୁଛି ଲୋକେ ବାଧ୍ୟ ହୋଇ ଶେଷକୁ କନେକ୍ସନ୍ କାଟୁଛନ୍ତି ହେଲେ ନ୍ୟାୟ ପାଇପାରୁନାହାନ୍ତି ।
ଅରଟେଲ୍ ଶୋଷଣର ଶିକାର ହୋଇଥିବା ସବୁ ଲୋକଙ୍କର ଏହି ସମାନ ଅଭିଯୋଗ । ୟୁନିଟ୍-୩ରେ ରହୁଥିବା ଜଣେ ଭଦ୍ର ମହିଳାଙ୍କ ଅଭିଯୋଗ ଆହୁରି ସାଂଘାତିକ । ତାଙ୍କ ଘରର ନେଟ୍ ଅଚଳ ହେଲାପରଠାରୁ ସେ ପ୍ରତିଦିନ ସକାଳେ ଓ ସଂଧ୍ୟାରେ କମ୍ପ୍ଲେନ୍ ଦେଲେ ଏବଂ ସମାନ ଉତ୍ତର ପାଇଲେ । ନେଟ୍ର ଜରୁରୀ ଆବଶ୍ୟକତା ଥିବାରୁ ସେ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ୨୦ ଦିନ ଧରି କେହି ଶୁଣିଲେ ନାହିଁ । ଶେଷକୁ ବାଧ୍ୟ ହୋଇ ସେ ଅରଟେଲ୍ ସଂସ୍ଥାର ନିର୍ଦ୍ଦେଶକ ବି.ପି.ରଥଙ୍କୁ ଫୋନ୍ କଲେ । ମାତ୍ର ଅଭିଯୋଗ ଶୁଣିଲା କ୍ଷଣି ସେ ବିନା ଉତ୍ତରରେ ଫୋନ୍ କାଟିଦେଲେ । ଭଦ୍ର ମହିଳା ଜଣଙ୍କ ତାଙ୍କୁ ଏସଏମଏସ୍ କରି ଗୁହାରି ଜଣାଇଲେ । ତିନି ତିନି ଥର ରିମାଇଣ୍ଡ କଲେ । ମାତ୍ର ପଦେ ଉତ୍ତର କି ପ୍ରତିଶ୍ରୁତି ମିଳିଲାନି । ଶେଷରେ ମହିଳା ଜଣଙ୍କ ବାଧ୍ୟହୋଇ ସଂସ୍ଥା ମାଲିକ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସବୁ କଥା ଏସଏମଏସ୍ ରେ ଜଣାଇ ସମାଧାନର ନେହୁରା ହେଲେ । ଆଶ୍ଚର୍ଯ୍ୟର କଥା ବାବୁ ବୈଜୟନ୍ତ ପଣ୍ଡା ମଧ୍ୟ ତାହାକୁ ରେସପଣ୍ଡ୍ କଲେନି । ଶେଷରେ ବାଧ୍ୟ ହୋଇ ମହିଳାଜଣଙ୍କ ଅରଟେଲ୍ରୁ କନେକ୍ସନ୍ କାଟିଦେଲେ ।
ଶାସ୍ତ୍ରୀନଗର, ୟୁନିଟ୍-୧, ୟୁନିଟ୍-୨, ୟୁନିଟ୍-୩, ଓଲଡ ଟାଉନ୍ ଆଦି ବିଭିନ୍ନ ସ୍ଥାନରୁ ଏଭଳି ସମାନ ଅଭିଯୋଗ ଆସିଛି । ମାସିକ ବିଲ୍ ନେବା ବେଳେ କର୍ତ୍ତୃପକ୍ଷ ଆଦୌ ହେଳା କରୁନାହାନ୍ତି । ମାତ୍ର ସେବା ନ ଦେଇ ଲୋକଙ୍କୁ ଏଭଳି ଶୋଷଶ ଦିନ ଦ୍ୱିପହରେ କରୁଥିଲେ ମଧ୍ୟ କେହି ତାଙ୍କର ହଲେଇ ପାରୁନାହାନ୍ତି । ସଂସ୍ଥା ଲୋକଙ୍କୁ ଭକୁଆ ବନେଇ ଠକି ଚାଲିଥିବା ବେଳେ ନିଜର ଫାଇଦା କିନ୍ତୁ ହାତେଇବାରେ ହେଳା କରୁନି । ସଂସ୍ଥାର କେବୁଲ୍ ଭୁବନେଶ୍ୱର ସହରର ସବୁ ଇଲେକ୍ଟ୍ରିକ୍ ପୋଲ୍ ଜରିଆରେ ବିଛା ଯାଇ କନେକ୍ସନ୍ ଦିଆଯାଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମକୁ ବର୍ଷକୁ ଦେୟ ଦେଉଛି ମାତ୍ର ୧୦ ହଜାର ଟଙ୍କା । ସଂସ୍ଥା ବର୍ଷସାରା ବ୍ୟବହାର କରୁଥିବା ପୋଲ୍ ପିଛା ୧ ପଇସା ବି ପଡୁନି । ବିଏମସି ଏହି ବାବଦରେ ବିପୁଳ ଟଙ୍କା ହରାଉଥିଲେ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କ ସଂସ୍ଥା ହିସାବରେ ମାଫ୍ କରିଦେଇଛି । ତେବେ ସାଂସଦ ବାବୁ ଏଥିପାଇଁ କୃତଘ୍ନ ହୋଇ ଠିକ୍ କରୁନାହାନ୍ତି । ନିଜ ଗରାଖଙ୍କୁ ଦୟା ଦେଖାଇବା କଥା କେହି କହୁନାହାନ୍ତି । ନିଜ ହକ୍ ପାଇଁ କ’ଣ ହାତଯୋଡି ନେହୁରା ହେଉଥିବେ?