ଭୁବନେଶ୍ୱର(ମିଡ଼-ଡେ ଓଡ଼ିଶା): କଂଗ୍ରେସ ହେଭିୱେଟ୍ ଲୁଲୁ ମହାପାତ୍ରଙ୍କ ଦେହରେ ହାତ ମାରିବ ପୁଲିସ । ତାଙ୍କୁ ବାନ୍ଧି ଜେଲ୍ରେ ପୂରାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ହୋଇଛି । ଏଭଳି ଦୁଃସାହସ ପୁଲିସ ନିଜ ଆଡୁ କରୁନି । ଖୋଦ୍ ଥାର୍ଡ ଫ୍ଲୋର୍ ପୁଲିସକୁ ଏହାର ବ୍ଲୁ ପ୍ରିଣ୍ଟ ଧରାଇଦେଇଛି । ଧଳ ବ୍ରଦର୍ସ ଓ ରମେଶ ଜେନାଙ୍କ ସହ ଅପରାଧିକ ସମ୍ପର୍କ ନେଇ ଲୁଲୁଙ୍କୁ ଫସାଯିବ । ସେଥିପାଇଁ ଆବଶ୍ୟକ ତଥ୍ୟପ୍ରମାଣ ଯୋଗାଡ଼ ବି ଚାଲିଛି । ରମେଶ ଜେନାଙ୍କ ଗିରଫରୁ ପୁଲିସ ଏହି ମେଗା ଅଭିଯାନ ଆରମ୍ଭ କରିଛି ।
ଅପରାଧ ଜାଲରେ ଲୁଲୁଙ୍କୁ ଫସାଇ ଜେଲ୍ ଠୁଙ୍କିବା ଯୋଜନା ପଛର ମଉକା ଆସିଛି ଡି ବ୍ରଦର୍ସ ଲିଙ୍କ୍ରୁ । ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଗିରଫ ପରେ ପରେ ଲୁଲୁ ଗଣମାଧ୍ୟମରେ ସୁଶୀଲଙ୍କ ସପକ୍ଷରେ ଯୁକ୍ତି କରି ବିବାଦକୁ ଆସିଥିଲେ । ସୁଶୀଲ ବିରୋଧରେ ଆଗରୁ ଅପରାଧିକ ମାମଲା ଥିଲେ ବି କୋର୍ଟ ତାକୁ ନିର୍ଦୋଷ ସାବ୍ୟସ୍ତ କରିସାରିଛି । ଏବେ ସେ ନିଜକୁ ପରିବର୍ତ୍ତନ କରି ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ଅଛି ବୋଲି ଲୁଲୁ ଓକିଲାତି କରିଥିଲେ । ଖାଲି ସେତିକି ନୁହେଁ, ଧଳସାମନ୍ତ ଦ୍ୱାରା କଟକରେ ଆୟୋଜିତ ରକ୍ତଦାନ ଶିବିରକୁ ସେ ଯାଇଥିଲେ ଏବଂ ସେଠାରେ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ହୋଇଥିବାରୁ ସେ ଧନ୍ୟବାଦର ପାତ୍ର ବୋଲି ଲୁଲୁ କହିବାକୁ ପଛାଇ ନ ଥିଲେ । ଧଳସାମନ୍ତ ପରିବାର ତାଙ୍କର ଦୂର ସମ୍ପର୍କ ପାରିପାରିକ ସମ୍ପର୍କୀୟ ଏବଂ ସେହି ଦୃଷ୍ଟିରୁ ସେମାନଙ୍କୁ ସେ ପିଲାଦିନୁ ଜାଣନ୍ତି ବୋଲି ଲୁଲୁ ଖୋଲାଖୋଲି କହି ସମସ୍ତଙ୍କୁ ଚମକୃତ କରିଥିଲେ । ତେବେ ସେତିକିରେ କଥା ସରିନାହିଁ । ଏବେ ନେପଥ୍ୟରେ ଡି ବ୍ରଦର୍ସ ଲିଙ୍କ୍ ନେଇ ଲୁଲୁଙ୍କ ଖାସ୍ ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ପୁଲିସ ଗିରଫ ପରେ ମାମଲା ଗୁରୁତର ମୋଡ଼ ନେଇଛି । ଗଣମାଧ୍ୟମରେ ଲୁଲୁ ଏହାକୁ ଖୋଲା ଚାଲେଞ୍ଜ କରି କହିଛନ୍ତି, ସାହାସ ଅଛି ତ ତାଙ୍କ ସମେତ ଅନ୍ୟ ରାଜନୈତିକ ବ୍ୟକ୍ତିମାନଙ୍କୁ ପୁଲିସ ଜେରା କରୁ । ପୁଲିସ ଜେରାର ସାମନା ପାଇଁ ସେ ଏକଦମ୍ ତୟାର ।
ତେବେ ଲୁଲୁଙ୍କ ଏହି ଚାଲେଞ୍ଜ ଯଦିଓ ପୁଲିସ ପାଇଁ ଅଡୁଆ ହୋଇଛି ମାତ୍ର ଲୁଲୁଙ୍କୁ ଫସାଇବା ପାଇଁ ନକ୍ସା ତିଆରି ସରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ରକ୍ତଦାନ ଶିବିର ଅଥବା ଧଳସାମନ୍ତର ଯୁବକ ସଂଘ ଉତ୍ସବରେ ଯୋଗଦେଇଥିବା ନେତାଙ୍କୁ ଜେରା କଲେ, ଖାଲି କଂଗ୍ରେସ କି ଲୁଲୁ ନୁହେଁ, ବିଜେଡ଼ି, ବିଜେପି ସମସ୍ତେ ଫସିବେ । ତେଣୁ ଏହାକୁ ଏଡାଇ କେବଳ ଲୁଲୁଙ୍କୁ ଫସାଇବା ପାଇଁ ରମେଶ ଜେନାଙ୍କୁ ମାଧ୍ୟମ କରିବ ପୁଲିସ । ରମେଶ ଜେନାଙ୍କ ବିଶାଳ ଅପରାଧିକ ନେଟ୍ୱାର୍କ ଓ ଡି ବ୍ରଦର୍ସ ପଛରେ ଲୁଲୁ ମହାପାତ୍ରଙ୍କ ଭୂମିକାକୁ ସାବିଦ୍ କରିବ ପୁଲିସ । ରମେଶ ଜେନାଙ୍କ ପୁଲିସ ରିମାଣ୍ଡ ଅବଧି ସମୟରେ ହିଁ ଲୁଲୁଙ୍କୁ ଟାଣିନେବାକୁ ପୁଲିସକୁ ତୃତୀୟ ମହଲା ନିର୍ଦ୍ଦେଶ ଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।
ପୁଲିସ ଏଭଳି କଲେ ସାଂଘାତିକ ରିସ୍କ ରହିବ ନିଶ୍ଚିତ । କାରଣ ବିରୋଧୀ ଦଳରେ ଥିଲେ ମଧ୍ୟ ଲୁଲୁଙ୍କ ଦେହରେ ହାତମାରିବା ଛୋଟକାଟିଆ କଥା ନୁହେଁ । ମାତ୍ର ଏଇ କିଛି ମାସ ହେଲା ସରକାରଙ୍କ ବିରୋଧରେ ଲୁଲୁଙ୍କ ଉଗ୍ର ରୂପ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ପିସିସି ସଭାପତିଙ୍କ ସମେତ ଦଳର ବରିଷ୍ଠ ନେତାଙ୍କୁ ସାଇଡ ଲାଇନ୍ କରି ଲୁଲୁବାହିନୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ମନ୍ତ୍ରୀମାନଙ୍କ ଉପରେ ଯେଭଳି ଅଣ୍ଡାମାଡ ଚଳାଇଲେ ତାହା ସରକାରଙ୍କୁ ବିବ୍ରତ କରିଛି । ନିକଟରେ ଲୁଲୁ ନିଜର ସ୍ୱତନ୍ତ୍ର ବାହିନୀ ଗଠନ କରି ସରକାର ବିରୋଧୀ ସଂଗ୍ରାମକୁ ଆହୁରି ଶାଣିତ କରିଛନ୍ତି । ଲୁଲୁଙ୍କ ଏହି ପ୍ରୟାସ ଉପରେ ରୋକ୍ ଲଗାଇବା ପାଇଁ ଡି ବ୍ରଦର୍ସ ଲିଙ୍କ୍ ମଉକାରେ ରମେଶ ଜେନା ପ୍ଲାଟଫର୍ମ ମିଳିଛି ସରକାରଙ୍କୁ । ତେବେ ପୁଲିସ ଏଥିରେ କେତେ ସଫଳ ହେବ ତାହା ସମୟ କହିବ ।