ଭୁୁବନେଶ୍ୱର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଫରେଷ୍ଟ ପାର୍କ ସାମନାରେ ଥିବା ସରକାରୀ ବାସଭବନରେ ଦିନଦ୍ୱିପ୍ରହରେ ଚୋର ପଶୁଛନ୍ତି । ତାହା ପୁଣି ଘର ଜଗୁଥିବା ଦୁଇଜଣ ସଶସ୍ତ୍ର ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ । ଲାଗ ଲାଗ ଦୁଇ ଦିନ ହେଲା ତାଙ୍କ ଘରର ପାଚେରୀ ଡେଇଁ ଚୋରମାନେ ଆଲୁମିନିୟମ ସାମଗ୍ରୀ, ଲାଇଟ୍ ଚୋରି କରିନେଉଛନ୍ତି । ଗତକାଲି ସେ ଦ୍ୱିପ୍ରହରେ ଘରେ ବିଶ୍ରାମ ନେଉଥିବା ବେଳେ ଚୋରମାନେ ପଶିଥିବା ଶ୍ରୀ ମିଶ୍ର ପଛରେ ଜାଣିବାକୁ ପାଇଥିଲେ ।
ଆଜି ବିଧାନସଭାର ଶୂନ୍ୟକାଳରେ ନିଜେ ଏହା କହିଛନ୍ତି ନରସିଂହ ମିଶ୍ର । ଖାଲି ତାଙ୍କ ଘର ନୁହେଁ, ପଡୋଶୀ ବରିଷ୍ଠ ପୁଲିସ ଅଧିକାରୀ(ଆଇପିଏସ୍)ଙ୍କ ଘରୁ ମଧ୍ୟ ଦିନ ସାଢ଼େ ଦୁଇଟାରେ ଚୋରି ହୋଇଥିବା ସେ ଜଣାଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କିଭଳି ସଙ୍ଗୀନ ଅବସ୍ଥାରେ ପହଞ୍ଚିଛି ତାହାର ଅବତାରଣା କରିବାକୁ ଯାଇ ଶ୍ରୀ ମିଶ୍ର ନିଜ ଅନୁଭବର କାହାଣୀ ବର୍ଣ୍ଣନା କରିଥିଲେ ।
ଶ୍ରୀ ମିଶ୍ର କହିଥିଲେ, ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରତିଦିନ ହତ୍ୟା, ଚୋରି, ଡକାୟତି,ଲୁଟପାଟର ଖବର ଆସୁଛି । ଦୁଇଦିନ ତଳେ ବାଙ୍କୀରେ ଜଣେ ସରପଞ୍ଚଙ୍କ ସ୍ୱାମୀ ଏବଂ ସାମ୍ବାଦିକଙ୍କୁ ବୁବୃର୍ତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିପାରିନାହିଁ । ସାମ୍ବାଦିକମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଥିଲେ ମଧ୍ୟ ସରକାରଙ୍କର ଭୃକ୍ଷେପ ନାହିଁ । ସୁନ୍ଦରଗଡ଼ ବଣାଇରେ ସାନଭାଇ ଅତି ନୃଶଂସ ଭାବରେ ତାର ବଡ଼ଭାଇର ବଂଶ ନିପାତ କରିବାକୁ ସାହାସ କରିଛି ।
ତାଙ୍କର ନିଜ ଜିଲ୍ଲା ବଲାଙ୍ଗୀରରେ କିଭଳି ଅପରାଧ ଘଟଣାମାନ ନିତି ଘଟୁଛି, ଖବରକାଗଜ ପୃଷ୍ଠାର ଖବର ଲେଉଟାଇଥିଲେ । ବଲାଙ୍ଗୀର ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ଅପରାଧୀ ଓ ଅସାମାଜିକ ଲୋକଙ୍କ ଆଡ୍ଡା ପାଲଟିଥିବାରୁ ଡାକ୍ତର ଓ କର୍ମଚାରୀମାନେ ନିରାପଦ ମଣୁନାହାନ୍ତି । ରାଜ୍ୟ ସରକାର କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ ପଚାରିବା ସହ ଗୃହ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହାର ଉତ୍ତର ରଖିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତାଙ୍କ ଉଦବେଗ ଦେଖି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବଲାଙ୍ଗୀର ମେଡ଼ିକାଲ୍ କଲେଜ ସୁରକ୍ଷା ସମ୍ପର୍କରେ ପଦକ୍ଷେପ ନେବାକୁ ଗୃହରେ ଉପସ୍ଥିତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।