ଭୁବନେଶ୍ୱର: ବିଜେପୁର ଦଳୀୟ ବିଦ୍ରୋହକୁ ଟାଳି ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅସନ୍ତୁଷ୍ଟ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କୁ ମନାଇ ଶାନ୍ତ କରାଇଛନ୍ତି । ଆଜି ସଂଧ୍ୟାରେ କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ନାରାୟଣଙ୍କ ମାନଭଂଜନର ବ୍ୟବସ୍ଥା ହୋଇଥିଲା । କନକ ବର୍ଦ୍ଧନ, ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର ଏବଂ ଧର୍ମେନ୍ଦ୍ରଙ୍କ ଲଢ଼ୁଆ ବାହିନୀ ନାରାୟଣଙ୍କୁ ଧରି ଆଗୁଆ ଉପସ୍ଥିତ ଥିଲେ । ବହୁତ ସମୟ ରୁଦ୍ଧଦ୍ୱାର ବୈଠକ ବସିଲା । ଶେଷ ଆଡକୁ ଧର୍ମେନ୍ଦ୍ର ଆସିଲେ । ଦିଲ୍ଲୀ ଯିବାକୁ ତରବରିଆ ଥିଲେ । ଭିତରକୁ ଯାଇ ମାତ୍ର କେଇ ମିନିଟ୍ ମଧ୍ୟରେ କାମ ଶେଷ କରିଦେଲେ । ବାହାରେ ମିଡ଼ିଆକୁ ଆସି କହିଲେ, ଆମ ଘର କଥା ତୁଟାଇ ଦେଇଛୁ । ନାରାୟଣ ବାବୁ ଆମ ଦଳର ଜଣେ ଦାୟିତ୍ୱବାନ କାର୍ଯ୍ୟକର୍ତ୍ତା । ଅଶୋକଙ୍କ ବିଜେପିରେ ମିଶିବାକୁ ନେଇ ସ୍ଥାନୀୟ ଶାଖାରେ କିଛି ଅସାମଞ୍ଜସ୍ୟ ଥିଲା । ତାହା ଏବେ ତୁଟିଯାଇଛି । ଆମ ଦଳରେ ମନର କଥା ବ୍ୟକ୍ତ କରିବାର ଶତ ପ୍ରତିଶତ ଅଧିକାର ଅଛି ବୋଲି ଧର୍ମେନ୍ଦ୍ର ଜଲଦି ଜଲଦି କହି ସିଧା ଏୟାରପୋର୍ଟ ଧରିଥିଲେ ।
ତାଙ୍କ ପରେ ନାରାୟଣ ସାହୁ ଆସି ବାଇଟ୍ ଦେଲେ । ସତେ ଯେମିତି କିଛି ହୋଇନି ସେଭଳି କଥା କହିଲେ । ସଂଧ୍ୟା ପର୍ଯ୍ୟନ୍ତ ତାଙ୍କର ଯେଉଁ ଆଭିମୁଖ୍ୟ କି ବକ୍ତବ୍ୟ ଥିଲା ତାହା ଓଲଟିଯାଇଥିଲା । କହିଲେ, ମୁଁ ଅସନ୍ତୁଷ୍ଟ ନ ଥିଲି କି ନାହିଁ । ଦଳର ନିଷ୍ପତ୍ତିକୁ ମୁଁ ସମ୍ମାନର ସହ ମାନିବି । ଆମ ଦଳରେ ବ୍ୟକ୍ତି ବଡ଼ ନୁହେଁ, ଦଳ ବଡ଼ ବୋଲି କହିଥିଲେ ନାରାୟଣ ।
ନାରାୟଣଙ୍କ ମାନଭଂଜନ ରାଜ୍ୟ ବିଜେପି ପାଇଁ ଖୁସି ଖବର ହୋଇଥିଲେ ମଧ୍ୟ ବିଜେପୁର ତୃଣମୂଳ ବିଜେପି କର୍ମୀଙ୍କୁ ଏହା ସନ୍ତୁଷ୍ଟ କରିପାରି ନ ଥିବା ଖବର ମିଳିଛି । ଜିଲ୍ଲା ସଭାପତି ତାଙ୍କ କର୍ମୀମାନଙ୍କ ମତାମତ ନ ନେଇ ନିଜେ ନିଜେ କିଭଳି ମନ ବୁଝେଇଲେ ବୋଲି ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର ତାଙ୍କୁ ଭୁବନେଶ୍ୱର ଡାକି କି ରସ ପିଆଇଲେ ବୋଲି କିଛି କର୍ମୀ ଜାଣିବାକୁ ଚାହିଁଛନ୍ତି । ତେବେ ସେ ଯାହା ହେଉ, ନାରାୟଣଙ୍କ ମାନଭଂଜନ ସହ ବିଜେପୁରରେ ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥୀତ୍ୱ ମଧ୍ୟ ସ୍ପଷ୍ଟ ହୋଇଯାଇଛି । କେବଳ ଘୋଷଣା ବାକି ରହିଛି ।